ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ମାହୋଲ ଏବେ ସରଗରମ ହୋଇଉଠିଛି। ଆସନ୍ତା ଶନିବାର ଦିନ ପିଲା ବାଛିବେ ସେମାନଙ୍କ ନୂଆ ନେତା କିଏ ହେବେ ଯିଏ କି କଲେଜର ସବୁ କଥା ବୁଝିବେ ଓ ସବୁ ଅସୁବିଧାର ସମାଧାନ କରିବା ପାଇଁ ଉଦ୍ୟମ କରିବେ। ହଷ୍ଟେଲ ସମସ୍ୟା ହେଉ କି ଅଧ୍ୟାପକ ଅଭାବ ସମସ୍ୟା ହେଉ ଅଥବା ଅନ୍ୟ ଯେ କୌଣସି ଛୋଟ ବଡ଼ ସମସ୍ୟା ହେଉ ନିର୍ବାଚିତ ଛାତ୍ର ସଂସଦ ସଭାପତି ଓ ସଦସ୍ୟ ମାନଙ୍କ ଉପରେ ଢେର ସାରା ଦାୟିତ୍ୱ।
ଏବର୍ଷ ଛାତ୍ର ସଂସଦ ନିର୍ବାଚନରେ କାହାର ଜିତାପଟ ହେଉଛି ଓ କିଏ କ୍ୟାମ୍ପସର ନୂଆ ନେତା ହେଉଛନ୍ତି ତାହା ତ ଆଉ କିଛି ଦିନ ମଧ୍ୟରେ ଜଣା ପଡ଼ିବ। ତେବେ ଆସନ୍ତୁ ଜାଣିବା ଅତୀତରେ କେଉଁମାନେ କେଉଁଠି ଛାତ୍ର ସଂସଦ ନିର୍ବାଚନ ଜିତିଥିଲେ ଓ କିଭଳି ପରେ ସକ୍ରିୟ ରାଜନୀତିକୁ ଆସିଥିଲେ।
ସୁରେଶ ପୂଜାରୀ
ଗଙ୍ଗାଧର ମେହେର କଲେଜର ଛାତ୍ର ସଂସଦ ସଭାପତି ଭାବେ ସୁରେଶ ପୂଜାରୀ ନିର୍ବାଚିତ ହୋଇଥିଲେ ୧୯୮୦ରେ। ଛାତ୍ର ନେତାରୁ ସେ ବର୍ତ୍ତମାନ ବିଜେପିର ଜଣେ ତୁଙ୍ଗ ନେତା ଓ ଦଳର ରାଷ୍ଟ୍ରୀୟ ସମ୍ପାଦକ। ଛାତ୍ର ରାଜନୀତି କଥା ପଡ଼ିଲେ ପୂଜାରୀଙ୍କ ନାମ ପ୍ରଥମେ ମନକୁ ଆସେ। ସେହିଭଳି ଆଉ ଜଣେ ନେତ୍ରୀ ହେଉଛନ୍ତି ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ଯିଏକି ଗୋଟିଏ ସମୟରେ ସମ୍ବଲପୁର ୱିମେନସ୍ କଲେଜର ସଭାପତି ଥିଲେ।
ଭକ୍ତ ଚରଣ ଦାସ
ପୂର୍ବତନ ସାଂସଦ ଓ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ଏଇକ୍ଷଣି ପ୍ରଦେଶ କଂଗ୍ରେସ ସଭାପତି ଦୌଡ଼ରେ ଥିବା ଭକ୍ତ ଦାମଧ୍ୟ ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଛନ୍ତି। ୧୯୭୯ରେ ସେ ଭବାନୀପାଟଣା ସରକାରୀ କଲେଜର ଛାତ୍ର ସଂସଦ ନିର୍ବାଚନ ଜିତି ସଭାପତି ହୋଇଥିଲେ।
ପ୍ରଦୀପ ପାଣିଗ୍ରାହୀ
ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜଣେ ଅଗ୍ରଣୀ ଛାତ୍ର ନେତା ଥିଲେ। ୧୯୮୭ରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ସେହି ନିର୍ବାଚନରେ ସେ ନିର୍ଦଳୀୟ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ଜିତିଥିଲେ। ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନ ନ ଲଢ଼ିବା ପାଇଁ ତାଙ୍କ ଉପରେ ଚାପ ପଡ଼ିଥିଲା କିନ୍ତୁ ସେ ତାକୁ ଖାତିର ନ କରି ଶେଷ ପର୍ଯ୍ୟନ୍ତ ଲଢ଼ି ନିର୍ବାଚନ ଜିତିଥିଲେ।
ଚନ୍ଦ୍ର ଶେଖର ସାହୁ
ପୁରୁଖା କଂଗ୍ରେସ ନେତା, ବ୍ରହ୍ମପୁରର ପୁର୍ବ ସାଂସଦ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ମଧ୍ୟ ଛାତ୍ର ରାଜନୀତି କରୁଥିଲେ। ୧୯୭୧ରେ ଖଲ୍ଲିକୋଟ କଲେଜ ଓ ୧୯୭୩ରେ ଲିଙ୍ଗରାଜ ଲ’ କଲେଜ ଛାତ୍ର ସଂସଦ ନିର୍ବାଚନ ଲଢ଼ି ସଫଳ ହୋଇଥିଲେ। ଦକ୍ଷିଣ ଓଡ଼ିଶାର ଜଣେ ଅଗ୍ରଣୀ ଛାତ୍ର ନେତା ଭାବରେ ତାଙ୍କର ବେଶ୍ ପରିଚୟ ଥିଲା।
ଅରୁଣ ସାହୁ
ବିଜେଡି ନେତା, ତିନିଥର ନୟାଗଡ଼ ବିଧାୟକ ଓ ପୂର୍ବତନ ପଞ୍ଚାୟତ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଅବା ଛାତ୍ର ନେତା ଭାବେ କିଏ ନ ଜାଣେ? ୧୯୮୭ରେ ସେ ବାଙ୍କୀ କଲେଜ ଛାତ୍ର ସଂସଦ ନିର୍ବାଚନ ଜିତି ସଭାପତି ପଦ ଅଳଙ୍କୃତ କରିଥିଲେ। ତା’ ପରେ ୧୯୯୦ରେ ଶ୍ରୀ ସାହୁ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହୋଇଥିଲେ।ବର୍ତ୍ତମାନର ବିଜେଡି ଛାତ୍ର ରାଜନୀତିର ସେ ହେଉଛନ୍ତି  ମୁଖ୍ୟ ଆକର୍ଷଣ।
ରାଜା ସ୍ୱାଇଁ
ଆଠଗଡ଼ରୁ ବିଧାନସଭାକୁ ୬ ଥର ନିର୍ବାଚିତ ହୋଇ ବିଜେଡି ରାଜନୀତିରେ ଜଣେ ତୁଙ୍ଗ ନେତା ଭାବେ ପରିଚିତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେ ସମୟର ଜଣେ ଆଗଧାଡ଼ିର ଛାତ୍ର ନେତା ଥିଲେ। ୧୯୬୯ରେ ରାଜା ସ୍ୱାଇଁ ଭଦ୍ରକ କଲେଜ ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ ଓ ସଭାପତି ହୋଇଥିଲେ।
ବର୍ତ୍ତମାନ ଯେଉଁମାନେ ବିଧାୟକ ଅଛନ୍ତି ସେମାନଙ୍କ ମଧ୍ୟରୁ ବେଶ୍ କିଛି ଛାତ୍ର ରାଜନୀତିରୁ ହିଁ ଆସିଛନ୍ତି ଯେମିତିକି: ବ୍ୟୋମୋକେଶ ରାୟ, ପ୍ରଭାତ ତ୍ରିପାଠି, ପ୍ରଦୀପ ମହାରଥୀ, ପ୍ରତାପ ଜେନା ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସ।
Tags: Pradeep Panigrahi, Suresh Pujari, Chandra Sekhar Sahu, Arun Kumar Sahoo,Bhakta Charan Das, Raja Swain, Politics, Odisha Politics, Odisha Ministers, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment