“ବାପା କହୁଥିଲେ ସଙ୍ଗୀତକୁ ପେଷା କରି ପେଟ ପୋଷି ପାରିବୁନି। ଯଦି ସଙ୍ଗୀତ ଲାଇନରେ ଯିବୁ ତାହାଲେ ଚଣ୍ଡି ମନ୍ଦିର ପାଖରେ ଥାଳି ଧରି ବସିବୁ। ବଡ଼ ଭାଇ ବି ଚାହୁଁଥିଲେ ମୁଁ ଚାକିରି କରେ। ହେଲେ ମୁଁ ମୋ ଜିଦ୍‌‍ରେ ଅଟଳ ରହିବାରୁ ବାପା ମୋତେ ଘରୁ ତଡ଼ି ଦେଇଥିଲେ। ଘର ଛାଡ଼ି ହାଇଦ୍ରାବାଦ ଚାଲି ଆସିଲି। ବାପାଙ୍କର ସେହି ନିଷ୍ପତ୍ତି ହିଁ କଟକର ‘ମହମ୍ମଦ ମୁବାରକ’ଙ୍କୁ ଓଡ଼ିଶାର ଜଣେ ସଫଳ ଗୀଟାରିଷ୍ଟ କରିପାରିଛି। ଆଉ ଶତାଧିକ ପିଲାଙ୍କ ପାଇଁ ସେ ଏବେ ‘ମୁବାରକ୍ ସାର୍’ ପାଲଟି ଯାଇଛନ୍ତି।”

ହାଇଦ୍ରାବାଦରେ ବଦଳିଗଲା ଜୀବନର ମୋଡ଼
କଟକ ସୂତାହାଟ ଅଞ୍ଚଳର ‘ମହମ୍ମଦ ମୁବାରକ୍’। ସ୍କୁଲରେ ପାଠ ପଢ଼ିବା ବେଳେ ‘ମାଉଥ୍ ଅର୍ଗାନ୍’ ବଜାଉଥିଲେ। ଆଉ ସଙ୍ଗୀତ ପ୍ରତି ଧୀରେଧୀରେ ଆକୃଷ୍ଟ ହୋଇଯାଇଥିଲେ। ତାଙ୍କ ବାପା ଓ ବଡ଼ ଭାଇ ପୋଲିସ ବିଭାଗରେ ଚାକିରି କରୁଥିବାରୁ ସେମାନେ ମୁବାରକଙ୍କୁ ସଙ୍ଗୀତ ଲାଇନରେ ଛାଡ଼ିବାକୁ ଚାହୁଁ ନ ଥିଲେ। ମୁବାରକ୍ ପୋଲିସ କିମ୍ବା ଡାକ୍ତର ହୁଅନ୍ତୁ ବୋଲି ବାପା ଚାହୁଁଥିଲେ। ହେଲେ ବାପା ଓ ଭାଇଙ୍କ ଇଚ୍ଛା ବିରୋଧରେ ଯାଇଥିଲେ ମୁବାରକ୍। ଯେଉଁଥିପାଇଁ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା।
ସେଦିନର ସ୍ମୃତିକୁ ମନେ ପକାଇ ମହମ୍ମଦ ମୁବାରକ୍ କୁହନ୍ତି, “୧୯୭୨ ମସିହାରେ ମୁଁ ମାଟ୍ରିକ୍ ପାସ୍ କରି ସାରିଥାଏ। ମୁଁ କ’ଣ କରିବି ତାକୁ ନେଇ ପରିବାର ଲୋକ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥାନ୍ତି। ଶେଷରେ ମୋ’ ପାଇଁ ଘରେ ଏକ ଗୋଲ୍ ଟେବୁଲ୍ ବୈଠକ ବସିଲା। ପରିବାରର ସମସ୍ତ ସଦସ୍ୟ ଏବଂ ବନ୍ଧୁ ବାନ୍ଧଙ୍କ ଉପସ୍ଥିତିରେ ବାପା ମୋତେ ଶେଷ ଥର ପାଇଁ ପଚାରିଲେ, ତୁ କ’ଣ କରିବାକୁ ଚାହୁଁଛୁ ? ମୋର ଉତ୍ତର ଥିଲା ‘ମୁଁ ସଙ୍ଗୀତ ଲାଇନ୍‌‍ରେ ଯିବି’। ଏହି ପଦିଏ କଥାରେ ବାପା ରାଗି ଯାଇଥିଲେ ଏବଂ ‘ଗେଟ୍ ଲଷ୍ଟ’ ବୋଲି କହିଥିଲେ। ବାପାଙ୍କ ଆଦେଶ ମାନି ମୁଁ  ଘର ଛାଡ଼ି ହ୍ରାଇଦ୍ରାବାଦ ଚାଲି ଆସିଲି। ସେଠାରେ ବ୍ରହ୍ମପୁରର ଉପେନ୍ଦ୍ର କୁମାର ରାଓଙ୍କ ସହଯୋଗରେ ‘ରୟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲଣ୍ଡନ ସ୍କୁଲ’ରେ ନାମ ଲେଖାଇ ଗୀଟାର ଶିଖିବା ଆରମ୍ଭ କଲି। ୫ ବର୍ଷର କୋର୍ସକୁ ୨ ବର୍ଷରେ ଶେଷ କରିଥିଲି। ବାପାଙ୍କର ସେହି ନିଷ୍ପତ୍ତି ହିଁ ମୋତେ ଆଜି ଆଉ ଏକ ଭିନ୍ନ ପରିଚୟ ଦେଇଛି।’’
ଅର୍କେଷ୍ଟ୍ରାରେ ‘ଗୀଟାର’ ର ପ୍ରବେଶ
ହାଇଦ୍ରାବାଦରେ ଦେହ ଖରାପ ହେବାରୁ ଏବଂ ମା’ ବାପା ମନେ ପଡ଼ିବାରୁ କଟକ ଚାଲି ଆସିଥିଲେ ମୁବାରକ୍। ତା’ପରଠୁ ଆଉ ସେ ବାହାରକୁ ନ ଯାଇ ଅର୍କେଷ୍ଟ୍ରା ପାର୍ଟିରେ ଯୋଗ ଦେଲେ। ‘ହବିବ୍ ମେଲୋଡି’ ପାର୍ଟିରେ ପ୍ରଥମେ ଗୀଟାର ପ୍ରବେଶ କରିଥିଲେ ସେ। ଏହାପରେ ଅେର୍କେଷ୍ଟ୍ରା ଏବଂ ଓଡ଼ିଶା ସଙ୍ଗୀତ ଜଗତରେ ଗୀଟାର ମାନିଆ ବଢ଼ି ଚାଲିଲା। ମୁବାରକ୍ ସାରଙ୍କ ଗୀଟାର ବଜାଇବା ଶୈଳୀ ହିଁ ହବିବ୍ ମେଲୋଡ଼ି ପାର୍ଟିକୁ ଆହୁରି ଲୋକପ୍ରିୟ କରିପାରିଥିଲା। ୧୯୭୫ ଡିସେମ୍ବର ୩୧ ତାରିଖ ସୁଦ୍ଧା ‘ହବିବ୍ ପାର୍ଟି’ ୩୨ଟି ପ୍ରୋଗ୍ରାମ୍ କରିବାକୁ ସମର୍ଥ ହୋଇଥିଲା  ।
ମହମ୍ମଦ ମୁବାରକ୍ ରୁ ‘ମୁବାରକ୍ ସାର୍’
‘ଦାଦାଗିରି’ ଫିଲ୍ମରେ ଗୀଟାର ବଜାଇବାକୁ ସୁଯୋଗ ମିଳିବା ପରେ ଅନ୍ୟ ଫିଲ୍ମରୁ ଅଫର୍ ଆସିଥିଲା। ହେଲେ ପ୍ରଯୋଜକଙ୍କ କପି-ପେଷ୍ଟ ଫର୍ମୁଲା ଯୋଗୁଁ ମୁବାରକ୍ ଫିଲ୍ମ ଲାଇନରୁ ଦୂରେଇ ଆସ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେବା ଲାଗି ନିଷ୍ପତ୍ତି ନେଲେ। କଟକର ହୋଟେଲ ଆକବରୀ, ହାଇକୋର୍ଟ ଏବଂ ବିଜୁ ପଟ୍ଟନାୟକ ଛକରେ ପିଲାଙ୍କୁ ଗୀଟାର, କିବୋର୍ଡ, ମାଣ୍ଡୁଲିନ୍ ଏବଂ ମାଉଥ୍ ଅର୍ଗାନ୍ ଶିକ୍ଷା ଦେଇ ସେ ‘ମହମ୍ମଦ ମୁବାରକ୍’ରୁ ‘ମୁବାରକ୍ ସାର୍’ ପାଲଟି ଯାଇଛନ୍ତି। ତାଙ୍କରି ପାଖରୁ ତାଲିମ୍ ନେଇ ବହୁ ପିଲା ଏବେ ଓଲିଉଡ୍ ଏବଂ ଅର୍କେଷ୍ଟ୍ରା ଜଗତରେ ଆଗ ଧାଡ଼ିର ଗୀଟାରିଷ୍ଟ ଭାବେ ସୁନାମ ଅର୍ଜନ କରିଛନ୍ତି। ଏହାସହ କଟକ ସନ୍ ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଦୀପକ ମିତ୍ର ହେଉଛନ୍ତି ମୋର ପ୍ରଥମ ଗୀଟାର ଷ୍ଟୁଡେଣ୍ଟ ବୋଲି ମୁବାରକ୍ କହିଛନ୍ତି  ।
(ପ୍ରସ୍ତୁତି: ସରୋଜ ମହାପାତ୍ର)

Tags: Mohammed Mubarak, Dadagiri, Guitarist, Saroj, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here