ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧର ମହାନାୟକ ଅର୍ଜନ ସିଂଙ୍କୁ ଝୁରୁଛି ସାରା ଦେଶ। ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଉଛନ୍ତି ଦେଶବାସୀ। ଭାରତ-ପାକ୍ ଯୁଦ୍ଧରେ ସେ ଦେଖାଇଥିବା ବୀରତ୍ୱକୁ ଆଜି ସାରା ଦେଶ ସଲାମ୍ ଜଣାଉଛି।
୯୮ ବର୍ଷ ବୟସରେ ଶନିବାର ବିଳମ୍ବିତ ରାତିରେ ଆରପାରିକୁ ଚାଲିଯାଇଥିଲେ ଭାରତୀୟ ବୟୁସେନାର ମାର୍ଶଲ ଅର୍ଜନ ସିଂ। ଏହି ମହାନାୟକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ୩ ସେନାର ମୁଖ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସୋମବାର ଅର୍ଜନ ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ତେବେ ସେ ଦେଶମାତୃକାର ସେବା ପାଇଁ ଦେଖାଇଯାଇଥିବା ଦମ୍ଭ ଓ ବୀରତ୍ୱକୁ ସାରା ଦେଶ ମନେପକାଉଛି।
୧୯୧୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଅର୍ଜନ ସିଂ। ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ସେତେବେଳେ ସେ ପାଇଲଟ୍ ଟ୍ରେନିଂ ପାଇଁ ମନୋନୀତ ହୋଇଥିଲେ। ୧୯୪୪ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବ୍ରିଟିଶ-ଇଣ୍ଡିଆନ୍ ସେନାର ପାଇଲଟ୍ ଅଫିସର ଭାବେ ସେ ଜାପାନୀ ସେନା ବିରୋଧରେ ଲଢେ଼ଇ କରିଥିଲେ। ଏହି ବୀରତ୍ୱ ପ୍ରଦର୍ଶନ ଯୋଗୁଁ ସେତେବେଳେ ତାଙ୍କୁ ଲର୍ଡ ମାଉଣ୍ଟ ବ୍ୟାଟେନ୍ ନିଜେ ଭେଟିବାକୁ ପହ୍ଞ୍ଚିଥିଲେ। ସେତେବେଳେ ଅର୍ଜନ ସିଂଙ୍କୁ ‘ଫ୍ଲାଇଂ କ୍ରସ୍’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
୪୪ ବର୍ଷ ବୟସରେ ସେ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଅର୍ଜନ। ପଠାନକୋଟ୍ ଓ ୱାଘା ବର୍ଡର ଅଞ୍ଚଳରେ ଅତର୍କିତ ଆକ୍ରମଣ କରି ପାକ୍ ସେନାକୁ ଧୂଳି ଚଟାଇଥିଲେ ସେ ।
୧୯୭୦ରେ ବାୟୁସେନାରୁ ଅବସର ନେଇଥିବା ଅର୍ଜନ ସିଂଙ୍କୁ ୨୦୦୨ରେ ମାର୍ଶଲ ରାଙ୍କ୍‌‍ ଦିଆଯାଇଥିଲା। ଏହାସହ ତାଙ୍କୁ ଦେଶର ଦ୍ୱିତୀୟ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା। ଅବସର ପରେ ସ୍ୱିଜରଲ୍ୟାଣ୍ଡ ଓ କେନିୟାରେ ଭାରତର ହାଇକମିଶନର୍ ଥିଲେ ଅର୍ଜନ। ୧୯୮୯ରେ ସେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୨ରେ ବାୟୁସେନାର ଫାଇଭ୍ ଷ୍ଟାର ରାଙ୍କ୍‌‍କୁ ପଦୋନ୍ନତି ପାଇଥିଲେ ସେ।

Tags: Air Force, Marshal of Air Force, Arjan Singh, Modi, India-Pakistan war, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here