ଓଡ଼ିଶାଲାଇଭ୍ ବ୍ୟୁରୋ

୫ ଘଣ୍ଟିଆ ହରତାଲ ପରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ୍‌ କରିଛି। ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି ବୋଲି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି। ମୂଲ୍ୟ ବୃଦ୍ଧିକୁ ନେଇ ଲୋକେ ଉଦ୍‌ବେଗ ପ୍ରକାଶ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି, ଓଡ଼ିଶାର ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରଙ୍କର ଆନ୍ତରିକତା ନାହିଁ। କୃଷି ଋଣ ଛାଡ ପାଇଁ କେନ୍ଦ୍ର ଅର୍ଥ ଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।
ଶ୍ରୀ ଦାସବର୍ମା କହିଛନ୍ତି, ”୨୦୦୮ରେ ଉପା ସରକାର ଚାଷୀଙ୍କୁ ୬୮ ହଜାର କୋଟି ଟଙ୍କାର ଋଣ ଛାଡ଼ କରିଥିଲେ। ଏନଡିଏ ସରକାର କ୍ଷମତାକୁ ଆସିବା ପରେ ୧,୫୦,୦୦୦ ଟଙ୍କା ଗ୍ୟାସ୍‌ରୁ ଲାଭ ଉଠାଇଛନ୍ତି। ଏହି ଲାଭ ଟଙ୍କାକୁ ଯଦି ଚାଷୀଙ୍କ ପାଇଁ ବିନିଯୋଗ କରାଯାଆନ୍ତା ତାହାଲେ ଚାଷୀ ଉପକୃତ ହୋଇପାରନ୍ତେ।”
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲୁ। ହେଲେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ ବୋଲି ଖବର ଆସିଥିବା ବିଜେଡି କହିଛି।
ଚାଷୀଙ୍କ କୃଷି ଋଣ ଛାଡ଼ ଦାବିରେ ସୋମବାର ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେପି କହିଛି।
ମଙ୍ଗଳବାର ବିଜେଡି ‘ହରତାଲ’କୁ ଜବାବ ଦେବ ବିଜେପି
ବିଜେଡିର ୫ ଘଣ୍ଟିଆ ‘ହରତାଲ୍’କୁ ବିଜେପି କାଉଣ୍ଟର କରିଛି। କହିଛି କୃଷକ ମୋର୍ଚ୍ଚା ରାଲିକୁ ଭଣ୍ଡୁର କରିବା ଲାଗି ବିଜେଡି ଏଭଳି କାର୍ଯ୍ୟକ୍ରମ କରିଛି। ଶାନ୍ତିପୂର୍ଣ୍ଣ ବନ୍ଦ ନାଁରେ ବିଜେଡି ଗୁଣ୍ଡାଗର୍ଦ୍ଦି କରିଛି ବୋଲି ଦଳ କହିଛି। ଏହା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ବିଜେପି ଅଭିଯୋଗ କରିଛି। ଏହାର ଜବାବରେ ବିଜେପି ଯୁବମୋର୍ଚ୍ଚା ମଙ୍ଗଳବାର ସବୁ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ। ଏହାସହ ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି।
Tags: Sanjay Dasburma, Odisha Government, Odisha News, Odisha Breaking News, Odisha Spot News, Bjd Rally, Paddy Crop, Prime Minister, Odisha Farmer, Farmer Loan, Rajbhawan,Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment