ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋନି-ସବ୍‌ ଚ୍ୟାନେଲ୍‌ର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲ୍‌ଟା ଚଷମା’ର ଦର୍ଶକଙ୍କ ପାଇଁ ଖରାପ ଖବର। ଏହି ସିରିୟଲଟି ବନ୍ଦ ହେବାର ଆଶଙ୍କା ଦେଖାଦେଇଛି।
ସିରିୟଲର ଏକ ଦୃଶ୍ୟକୁ ନେଇ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ପକ୍ଷରୁ ଆପତ୍ତି କରାଯାଇଛି। କମିଟି ଅନୁସାରେ ଏକ ଏପିସୋଡ୍‌‍ରେ ଶିଖ‍ଙ୍କ ଦଶମ ଗୁରୁଗୋବିନ୍ଦ ସିଂହଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ ହୋଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ଏପିସୋଡ୍‌ରେ ଯେଉଁ କଥା କୁହାଯାଇଛି, ତାହା ଶିଖ୍‌ମାନଙ୍କର ଧାର୍ମିକ ଭାବନା ପ୍ରତି ଆଘାତ ଆଣିଛି।
କମିଟିର ପ୍ରମୁଖ କୃପାଳ ସିଂ ବନ୍ଦୁଗର କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂଙ୍କୁ ଜୀବିତ ଭାବରେ ଦେଖାଇବା ଓ ଚିତ୍ରଣ କରିବା ଶିଖ୍‍ ଧର୍ମ ପ୍ରତି ଅବମାନନା। କୌଣସି ଅଭିନେତା କିମ୍ବା ଚରିତ୍ର ନିଜକୁ ଗୁରୁଗୋବିନ୍ଦ ସିଂଙ୍କ ସହିତ ସମାନ କରିପାରିବେ ନାହିଁ ଓ ଏହା ଏକ ଅକ୍ଷମଣୀୟ ଭୁଲ୍‍।
ଜୁଲାଇ ୮ ତାରିଖରେ ପ୍ରସାରିତ ଏପିସୋଡ୍‌କୁ ନେଇ ଏହି ବିବାଦ ଛିଡ଼ା ହୋ‍ଇଛି। ୨୦୦୮ ଜୁଲାଇରୁ ଆରମ୍ଭ ହୋ‍ଇଥିବା ଏହି ଧାରାବାହିକର ବହୁ ଦର୍ଶକ ଅଛନ୍ତି ଓ ବିଭିନ୍ନ ସାମାଜିକ ସମସ୍ୟା ଓ ଘଟଣାକୁ ନେଇ ‘ଉଲ୍‌ଟା ଚଷମା’ ଦର୍ଶକଙ୍କୁ ଆକର୍ଷିତ କରୁଛି।
ମନେପକାଇ ଦିଆଯାଇପାରେ ଯେ, ନିକଟରେ ହିଁ ସୋନୀ ଟିଭୀରେ ପ୍ରସାରିତ ଅନ୍ୟ ଏକ ସିରିଅଲ୍‍ ‘ପେହେରେଦାର ପିୟା କି’ ବିରୁଦ୍ଧରେ ଦର୍ଶକମାନେ ଅନଲାଇନ ପିଟିସନ୍‍ କରିଥିଲେ ଓ ତା’ପରେ ସିରିଅଲକୁ ବନ୍ଦ କରିଦିଆଯାଇଥିଲା।
‘ତାରକ ମେହେତା କା ଉଲ୍‌ଟା ଚଷମା’ ବିରୁଦ୍ଧରେ ଯେଉଁ ଅଭିଯୋଗ କରାଯାଇଛି, ତାହାକୁ ଧାରାବାହିକର ପ୍ରଯୋଜକ ଏବଂ କଳାକାର ଖଣ୍ଡନ କରିଛନ୍ତି।

Tags: Tarak Meheta, Tarak Meheta Ka Ulta Chasma, Serial, Daily Soap, Daily Serial, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here