ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେରା ଆଶ୍ରମରେ ଅତ୍ୟଧିକ ଅୟସ ଅରାମରେ ଦିନ କାଟୁଥିବା ଗୁରୁମିତ ରାମରହିମ ସିଂହଙ୍କୁ ଏବେ ଜେଲରେ ଦିନକୁ ୮ ଘଣ୍ଟା ଖଟିବାକୁ ପଡିବ। ଦିନକୁ ମଜୁରି ମିଳିବ ୨୦ ଟଙ୍କା। ସଶ୍ରମ କାରାଦଣ୍ଡ ଭୋଗୁଥିବା ରାମରହିମ ଜେଲ ବାରାକରେ ଥିବା ଏକ ଛୋଟ ଜମିରେ ପରିବା ଚାଷ କରିବେ। ଉତ୍ପାଦିତ ପରିବା, ଜେଲ ରୋଷେଇଶାଳାରେ ବ୍ୟବହାର କରାଯିବ ବୋଲି କହିଛନ୍ତି ଜେଲ କର୍ତ୍ତୃପକ୍ଷ।
ଅନୈତିକ ଭାବେ କୋଟି କୋଟି ଟଙ୍କା ଅର୍ଜନ କରି ଆଲିସାନ ବଙ୍ଗଳା ଓ ପୃଥିବୀର ସବୁ ସୁଖ ଭୋଗିଥିବା ଏହି ବଳାତ୍କାରୀ ବାବା ଏବେ ରୋହତକ ସୋନାରିଆ ଜେଲରେ ଜଣେ ଅଣକୁଶଳୀ ଶ୍ରମିକ ଭାବେ କାମ କରିବେ। ସାଧାରଣ କଏଦୀ ଭଳି ତାଙ୍କୁ ବ୍ୟବହାର କରାଯାଉଛି। କୌଣସି ପ୍ରକାର ସ୍ୱତନ୍ତ୍ର ସୁବିଧା ଦିଆଯାଉନାହିଁ ବୋଲି କହିଛନ୍ତି ହରିଆଣା ପୋଲିସ ଡିଜି।
ପ୍ରତି ଗୁରୁବାର ଦିନ ରାମରହିମ ତାଙ୍କ ପରିବାର ଲୋକଙ୍କୁ ଭେଟିପାରିବେ ନେଇ ତାଙ୍କୁ ଅନୁମତି ମିଳିଛି। ଜେଲ ନିୟମ ଅନୁସାରେ ପରିବାରର ଦୁଇଜଣଙ୍କ ସହ ସେ ଫୋନରେ କଥା ହୋଇପାରିବେ। ଯେଉଁ ନମ୍ବରରେ କଥା ହେବେ, ପୁଲିସ ତା‘ର ଯାଞ୍ଚ କରିବା ପରେ ଏହି ଅନୁମତି ମିଳିବ। ରାମରହିମ ଯେଉଁ ଦୁଇଟି ଫୋନ ପୁଲିସକୁ ଦେଇଛନ୍ତି, ସେଥିମଧ୍ୟରୁ ଗୋଟିଏ ତାଙ୍କର ତଥାକଥିତ ପାଳିତ ଝିଅ ହନିପ୍ରୀତଙ୍କର। ତେବେ ଗତ ଅଗଷ୍ଟ ୨୫ ତାରିଖଠାରୁ ଯେଉଁ ଦିନ ରାମରହିମ ଦୋଷୀ ସାବ୍ୟସ୍ତ ହୋଇ ଜେଲକୁ ଆସିଥିଲେ, ସେହିଦିନୁ ଫେରାର ଅଛନ୍ତି। ତାଙ୍କ ଫୋନକୁ ରିଙ୍ଗ କଲେ ତାହା ଅପହଞ୍ଚ ଦୂରତାରେ ଥିବା ନେଇ ଜବାବ ଆସୁଛି। ହନିପ୍ରୀତ ନେପାଳକୁ ଖସି ପଳାଇଥିବା ସୂଚନା ମିଳିବା ପରେ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୁଲିସ ତନାଘନା ଚଳାଇଛି।
ସୁରକ୍ଷା ଦୃଷ୍ଟିରୁ ରାମରହିମଙ୍କ ବାରାକକୁ କାହାରିକୁ ଛଡାଯାଉନାହିଁ। କଡ଼ା ନଜରରେ ସେ ରହୁଥିବା ସେଲକୁ ରଖାଯାଇଛି।
ସେପଟେ ବଳାତ୍କାରୀ ବାବା ରାମରହିମଙ୍କ କଳାକାରନାମାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ହରିଆଣା ଡେରା ଆଶ୍ରମରେ ଛୋଟ ଛୋଟ ପିଲାମାନଙ୍କୁ ବିକ୍ରି କରିଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ପାନିପଥର ଜଣେ ମହିଳା ଅଭିଯୋଗ କରିଛନ୍ତି, ୧୨ ବର୍ଷ ତଳେ ରାମରହିମଙ୍କ କଥାରେ ବିଶ୍ୱାସକରି ସେ ତାଙ୍କର ଦୁଇ ମାସର ଶିଶୁକୁ ​‌ଡେରା ଆଶ୍ରମରେ ଛାଡି ଦେଇଥିଲେ, ଏବେ ସେହି ଶିଶୁର ପତ୍ତା ମିଳୁନାହିଁ।
ଶୁଣିବାକୁ ମିଳୁଛି, ସେବା ନାଁରେ ଶିଶୁଙ୍କୁ ଦାନ କରିବାକୁ ଡେରା ଅନୁଗାମୀମାନଙ୍କୁ ପ୍ରବର୍ତ୍ତାଉଥିଲା ରାମରହିମ। ଶହ ଶହ ଅନ୍ଧ ଭକ୍ତ ରାମରହିମଙ୍କ କଥାରେ ବିଶ୍ୱାସ କରି ସେମାନଙ୍କ ଶିଶୁଙ୍କୁ ଡେରା ଆଶ୍ରମକୁ ଦିନ କରିଦେଇଥିଲେ। ହେଲେ ଏହାପରେ ଶିଶୁ କୁଆଡେ ଗଲା, କିଏ ସେମାନଙ୍କୁ ଲାଳନପାଳନ କରୁଛି, ତା’ର କୌଣସି ଖବର ବାପାମାଆଙ୍କୁ ଦିଆଯାଉନଥିଲା। ତେବେ ଡେରା ଗୁଣ୍ଡାଙ୍କ ଭୟରେ ନିଜ ପିଲାଙ୍କ କଥା ପଚାରିବାକୁ ସାହସ ଜୁଟାଇ ପାରୁନଥିଲେ ସେମାନଙ୍କ ବାପା-ମାଆ। ସନ୍ଦେହ କରାଯାଉଛି, ଏହି ଶିଶୁମାନଙ୍କୁ ବିକ୍ରି କରିଦିଆଯାଇଛି।
ଦୁଇ ସାଧ୍ୱୀଙ୍କ ବଳାତ୍କାର ମାମଲାରେ ରାମରହିମ ୨୦ ବର୍ଷ ଜେଲ ଦଣ୍ଡ ହେବା ପରେ ବାବାଙ୍କ ଅପକର୍ମ ନେଇ ମୁହଁ ଖୋଲିବାକୁ ସାହସ କରୁଛନ୍ତି କିଛି ଡେରା ଅନୁଗାମୀ। ଏ ନେଇ ତଦନ୍ତ କରିବାକୁ ହରିୟାଣା ପୁଲିସ ବିଚାର କରୁଛି।

LEAVE A REPLY

Please enter your comment!
Please enter your name here