ପ୍ରଶାନ୍ତ କୁମାର ମଙ୍ଗରାଜ

ପାଇକ ବିଦ୍ରୋହର ଅମର ସାରଥୀ କୃତ୍ତିବାସ ପାଟ୍ଟଶାଣୀଙ୍କ ବୀରତ୍ୱ ଓ ବଳିଦାନର କାହାଣୀ।

(ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ)

୧୮୧୭ରୁ ଆରମ୍ଭ ହୋଇ ୧୮୨୫ରେ ପାଇକ ବିଦ୍ରୋହ ପରିସମାପ୍ତ ଘଟିଥିଲେ ମଧ୍ୟ ସେଇ ବିଦ୍ରୋହର ରୂପରେଖ ୧୮୩୬ ଯାଏଁ ପରିବ୍ୟାପ୍ତ ଥିଲା। ୧୮୨୭ରେ ତାପଙ୍ଗ ବିଦ୍ରୋହ (ନେତୃତ୍ୱ-ମାଧବଚନ୍ଦ୍ର ଦଳବେହେରା) ପରେ ବାଣପୁର ଅଞ୍ଚଳରେ ୧୮୩୬ ମସିହାରେ ବ୍ରିଟିଶ୍ ବିରୋଧୀ ବିଦ୍ରୋହ ସଙ୍ଗଠିତ ହୋଇଥିଲା। ଯାହାର ନେତୃତ୍ୱ ନେଇଥିଲେ ଅରାଙ୍ଗଗଡ଼ର ଦଳବେହେରା ତଥା ମୁକ୍ତି ସଂଗ୍ରାମର ମହାରଥୀ କୃତ୍ତିବାସ ପାଟ୍ଟଶାଣୀ, ଯାହାଙ୍କ ଦ୍ୱାରା ୧୮୩୬ ମସିହା ଜୁନ୍ ୪,୫ ଓ ୬ ତାରିଖ ୩ ଦିନ ଧରି ବାଣପୁର ଅଞ୍ଚଳ ସ୍ୱାଧୀନ ହୋଇପାରିଥିଲା। କୁହାଯାଏ-ପରାଧୀନ ଭାରତରେ ଓଡ଼ିଶାର ବାଣପୁର ଅଞ୍ଚଳ ହିଁ ପ୍ରଥମେ ସ୍ୱାଧୀନତାର ସ୍ପର୍ଶ ଅନୁଭବ କରିପାରିଥିଲା।
ସଂଗ୍ରାମୀ କୃତ୍ତିବାସ ପାଟ୍ଟଶାଣୀଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଦେଓଗାଁରେ। ପିତାଙ୍କ ନାମ ଶ୍ୟାମସୁନ୍ଦର ପାଟ୍ଟଶାଣୀ। ଶ୍ୟାମସୁନ୍ଦରଙ୍କ ଦୁଇ ପୁତ୍ର ବୃତ୍ତିବାସ ଓ କୃତ୍ତିବାସ ମଧ୍ୟରେ କୃତ୍ତିବାସ ଥିଲେ ଜ୍ୟେଷ୍ଠପୁତ୍ର। ପିତାଙ୍କ ଅନ୍ତେ ବଂଶ ପରମ୍ପରା ଅନୁଯାୟୀ ସେ ହେଲେ ଅରାଙ୍ଗଗଡ଼ର ଦଳବେହେରା। କେହି କେହି ତାଙ୍କୁ ମାଳ ସାତକୋଶର ଦଳବେହେରା ବୋଲି କହନ୍ତି।
କୃତ୍ତିବାସ ପିଲାଦିନେ ଥିଲେ ଖୁବ୍ ଶାନ୍ତ ଓ ସରଳ। ଯୁବାବସ୍ଥାରେ ପହଞ୍ଚିବା ପରେ କୁଳଧର୍ମ ଅନୁସାରେ ସେ ଖେଳ, କୁସ୍ତି, କସରତ, ଅଶ୍ୱାରୋହଣ, ଅସୀ ଓ ଚକ୍ରଚାଳନା ଶିକ୍ଷା କରି ପ୍ରଚଣ୍ଡ ପାରଦର୍ଶିତା ହାସଲ କଲେ। ତାଙ୍କ ପାଖରେ ଥିଲା ଅସାଧାରଣ ଦେଶ ପ୍ରେମ। ଓଡ଼ିଶା ଦଖଲ ପରେ ଫିରିଙ୍ଗମାନେ ଯେତେବେଳେ ସମସ୍ତ ସ୍ୱାଧୀନତା ଲୋପ କରିବାକୁ ବସିଲେ, ସେତେବେଳେ କୃତ୍ତିବାସ ପାଟ୍ଟଶାଣୀଙ୍କ ମନରେ ବିଦ୍ରୋହ ଜାଗି ଉଠିଥିଲା। ତାଙ୍କର ଡାକରା ଥିଲା-‘ମରିବୁ ପଛେ, ଅପମାନ ସହି ବଞ୍ଚିବୁ ନାହିଁ’।
୧୮୧୭ ପାଇକ ବିଦ୍ରୋହ ପୂର୍ବରୁ ସେ ଏକ ସନ୍ତ୍ରାସବାଦୀ ଦଳଗଠନ କରିଥିଲେ। କେତେକ କନ୍ଧପାଇକ ଓ ବନ୍ଧୁକ ନେଇ ସେ ରାଜସ୍ୱ ଲୁଣ୍ଠନ, ଫିରିଙ୍ଗ ଓ କମ୍ପାନୀ ସରକାରଙ୍କୁ ହତ୍ୟା କରୁଥିଲେ। ଏହି ବିଦ୍ରୋହ ବ୍ୟାପକ ନଥିଲେ ମଧ୍ୟ ବାଣପୁର ଅଞ୍ଚଳରେ ଇଂରେଜମାନଙ୍କର ନିଦ ହଜେଇ ଦେଇଥିଲା।
କୃତ୍ତିବାସ ପାଟ୍ଟଶାଣୀଙ୍କୁ ସହଯୋଗ ଦେଇଥିଲା କନ୍ଧ ସର୍ଦ୍ଦାର-ଲୋଚନ। ତା’ର ଜନ୍ମସ୍ଥାନ-ଘୁମୁସରା। ହେଲେ ସେ ବାଣପୁର ମାଳ ଭିତରେ ଘର କରି ରହୁଥିଲେ। ଦେହରେ ତାଙ୍କର ହାତୀର ବଳ, ଛାତିରେ ସିଂହର ସାହସ। ଧନୁବିଦ୍ୟାରେ ଧୁରନ୍ଧର।
କୃତ୍ତିବାସ ପାଟ୍ଟଶାଣୀ ଖବର ନେଲେ ଖୋର୍ଦ୍ଧାରେ ଫ୍ଲେମିଙ୍ଗ୍ ସାହେବ ଡେରା ପକାଇଛନ୍ତି। ସେ ଦୁଇଜଣ ଯୁବକଙ୍କୁ ହତ୍ୟା ପାଇଁ ପଠାଇଥିଲେ। ଯଦିଓ ସେ ଦୁହେଁ ସଫଳ ହୋଇନଥିଲେ। ତଥାପି ବିଚାର ବେଳେ ତାଙ୍କୁ ହତ୍ୟା ପାଇଁ ଚେଷ୍ଟା ଅଭିଯୋଗରେ ଅଭିଯୁକ୍ତ କରାଯାଉଥିଲା।୧୮୧୭ ପାଇକ ବିଦ୍ରୋହ ପୂର୍ବରୁ ବକ୍ସି ବାରମ୍ବାର ବାଣପୁର ଅଞ୍ଚଳ ଆସୁଥିଲେ। ବାଣପୁର ତାଙ୍କର ପ୍ରିୟ ଭୂମି ଥିଲା। ହେଲେ ଫିରିଙ୍ଗମାନେ ଯେତେବେଳ କଟକଣା ଜାରି କଲେ, ସେତେବେଳେ ବକ୍ସି ଆଉ ବାଣପୁର ଆସିପାରିଲେ ନାହିଁ। ତାଙ୍କର କୃତ୍ତିବାସ ପାଟ୍ଟଶାଣୀଙ୍କ ଉପରେ ଯଥେଷ୍ଟ ଭରସା ଥିଲା। ପାଇକ ବିଦ୍ରୋହ ବେଳେ କୃତ୍ତିବାସ ପାଟ୍ଟଶାଣୀ ବାଣପୁର ଅଞ୍ଚଳରେ ବିଦ୍ରୋହ ପରିଚାଳନା କରୁଥିଲେ। ବାଣପୁର ବିଦ୍ରୋହ ପାଇକ ବିଦ୍ରୋହର ଅଂଶବିଶେଷ ହୋଇଥିଲେ ମଧ୍ୟ କେତେକ ସ୍ୱତନ୍ତ୍ର କାରଣରୁ ଏହାକୁ ‘ପଞ୍ଚୁଆ ଫତୁରୀ’ ବୋଲି କୁହାଯାଏ।
୧୮୩୬ ମସିହା ଜୁନ୍ ମାସ। କୃତ୍ତିବାସଙ୍କ ନେତୃତ୍ୱରେ ପୁଣିଥରେ ବିଦ୍ରୋହ ମୁଣ୍ଡ ଟେକିଲା। ସେତେବେଳେ ବାଣପୁରରେ ନୂଆକରି ଥାନା ହୋଇଥାଏ। ଦୁଇ ତିନୋଟି ଫାଣ୍ଡି ଓ ଡାକବଙ୍ଗଳା ଥାଏ। ଗୋରା ଓ କଳା ପଲଟଣ ‘ପଲଟଣ ପଡ଼ିଆ’ରେ ଛାଉଣି ପକାଇ ରହୁଥିଲେ। ରାତି ଅଧିଆ ଥାନା ଉପରେ ଚଢ଼ାଉ ହେଲା। କେତେ ପୋଲିସ୍ ମଲେ। ଥାନା ଘରେ ନିଆଁ ଲଗାଇ ଦିଆଗଲା। ଡାକବଙ୍ଗଳାରେ ନିଆଁ ଲଗାଯିବା ସହ ଖଜଣା ଟଙ୍କା ଲୁଟ୍ କରି ନିଆଗଲା।
ଯୁଦ୍ଧ ଘମାଘୋଟ ହେଲା। ଶତ୍ରୁମାନଙ୍କୁ ଭୁଆଁ ବୁଲାଇ ପାହାଡ଼ ଖୋଲ ଭିତରେ ପୂରାଇ ପଥର ଗଡ଼ାଇ ଶରମାରି ଆକ୍ରମଣ କରାଗଲା। ଇଂରେଜ ଫୌଜମାନେ ପ୍ରାଣ  ବିକଳରେ ବାଣପୁର ଅଞ୍ଚଳ ଛାଡ଼ି ପଳାଇ ଗଲେ। ସମ୍ପୂର୍ଣ୍ଣ ବାଣପୁର ବିଦ୍ରୋହୀମାନଙ୍କର ହାତ ମୁଠାକୁ ଆସିଗଲା।
ରାଜା ହେବ କିଏ? ଭାଳେଣି ପଡ଼ିଲା। ବୁଦ୍ଧିମାନ କୃତ୍ତିବାସ ପାଟ୍ଟଶାଣୀ ଅଭିନବ ଉପାୟ ଚିନ୍ତା କଲେ। ପଞ୍ଚୁଆ ବୋଲି ଗଡ଼ରୋଡ଼ଙ୍ଗ ଅଞ୍ଚଳରେ ଏକ ଗଉଡ଼ ବଳଦ କିଣିବା ପାଇଁ ବାଣପୁର ଆସିଥିଲା। ତା’ ଚେହେରା ବକ୍ସିଙ୍କ ଚେହେରା ସହ ପ୍ରାୟ ମିଶୁଥିଲା। କୃତ୍ତିବାସ ପଞ୍ଚୁଆକୁ ଅଭୟ ଦେଇ ବକ୍ସି ବେଶରେ ସଜେଇ ଦେଲେ। ମଗରମୁହଁ ପାଲିଙ୍କିରେ ବସେଇ, ଛତ୍ରିତ୍ରାସ ଆଡେଣୀ ବୈରେଖ ଟେକି, ବୀରତ୍ୱର କାହାଳି ବଜାଇ, ମଣିମା ଡାକ ପକାଇ ପଟୁଆର କରି ଗାଁ ଗାଁ ବୁଲାଇଲେ। ଲୋକଙ୍କର ବିଶ୍ୱାସ ହେଲା ଫିରିଙ୍ଗ ବାଣପୁର ଛାଡ଼ି ଚାଲିଯାଇଛି। ପଞ୍ଚାନନ ନାୟକ ଓରଫ ପଞ୍ଚୁଆ ହେଲା ରାଜା।
ତା’ ନାଆଁ ଦିଆଗଲା-ରାଜା ଶରଣ ସିଂହ। ଲୋଚନ ବିଶୋଇ ହେଲେ ମନ୍ତ୍ରୀ ଓ କୃତ୍ତିବାସ ପାଟ୍ଟଶାଣୀ ହେଲେ ସେନାପତି। ବାଣପୁରର ଏହି ବିଦ୍ରୋହ ବା ମେଳିକୁ ‘ପଞ୍ଚୁଆ ଫତୁରୀ’ ବୋଲି କୁହାଯାଏ।
କୃତ୍ତିବାସ ବାଣପୁରର ପୂର୍ବ ରାଜଧାନୀ ବଙ୍କାଡ଼ଗଡ଼ରେ ଲୋଚନ ସହ କେତେକ କନ୍ଧ ପାଇକଙ୍କୁ ଧରି ଅବସ୍ଥାନ କଲେ। ବିଦ୍ରୋହୀ ବାଣପୁର ଦଖଲ କଲା ପରେ ଟାଙ୍ଗୀ ଥାନା ଅଭିମୁଖେ ଟାଙ୍ଗୀ ଯାତ୍ରା କଲେ। କେତେକ ବିଶ୍ୱାସଘାତକଙ୍କ ଯୋଗୁଁ ପଞ୍ଚୁ ନାୟକ ଓରଫ ପଞ୍ଚୁଆ ରାଜା ଓ ଲୋଚନ ବିଶୋଇ ଧରା ପଡ଼ି ଫାଶୀ ପାଇଲେ। ମାତ୍ର ୩ ଦିନ ମଧ୍ୟରେ ବାଣପୁର ପୁନଶ୍ଚ ସ୍ୱାଧୀନତା ହରାଇ ବସିଲା।
ମେଳି ବା ଫତୁରୀ ଦମନ ପରେ କୃତ୍ତିବାସ ବଣ ଜଙ୍ଗଲ ମଧ୍ୟରେ ଘୂରି ବୁଲିଲେ। ନିଜ ଖୁଡ଼ୁତାଶୁର ଚମ୍ପାଝର ଦଳବେହେରା ବାସୁଦେବ ନରେନ୍ଦ୍ର ସିଂହଙ୍କ ଚକ୍ରାନ୍ତରେ ଫିରିଙ୍ଗ ହାତରେ ଧରା ପଡ଼ିଲେ। ତାଙ୍କ ବିରୋଧରେ ରାଜଦ୍ରୋହ, ନରହତ୍ୟା, ହତ୍ୟା ପାଇଁ ଚେଷ୍ଟା, ଲୁଣ୍ଠନ, ଡକାୟତି ଓ ଅରାଜକତା ଆଦି ଅଭିଯୋଗ ଅଣାଗଲା। ସେ କୌଣସି ପ୍ରଶ୍ନର ଉତ୍ତର ଦେଲେ ନାହିଁ କି ତଳେ ମୁଣ୍ଡ ନୁଆଁଇଲେ ନାହିଁ। ଶେଷରେ ଦ୍ୱୀପାନ୍ତର ଆଦେଶ ଦେଲା। ଲୋଚନକୁ ମୁର୍ଖ ବଣୁଆ କନ୍ଧ କହି ଖଲାସ କରି ଦିଆଗଲା। ମାତ୍ର ସେ କହିଲା, “ମୁଁ ମୁର୍ଖ ବଣୁଆ କନ୍ଧ ନୁହେଁ। ମୁଁ ଫତୁରୀର ମୂଳ। ମୁଁ ନିଶ୍ଚୟ ମୋ ସାଆନ୍ତ ସଙ୍ଗେ କଳାପାଣି ଯିବି। କାହାର ସାଧ୍ୟ ନାହିଁ ମୋ ସାଆନ୍ତ ଠାରୁ ମୋତେ ଅଲଗା କରି ରଖିବ।”
କୃତ୍ତିବାସଙ୍କ ସହ ଲୋଚନକୁ ମଧ୍ୟ ଦ୍ୱୀପାନ୍ତର ହେଲା। ସେ ଦ୍ୱୀପାନ୍ତରରୁ ଖସି ଆସି ବିଶ୍ୱାସଘାତକ ଖୁଡ଼ୁତାଶୁର ବାସୁଦେବ ନରେନ୍ଦ୍ରର ମୁଣ୍ଡକାଟି ପ୍ରତିଶୋଧ ନେବା ପାଇଁ ଶପଥ ନେଇଥିଲେ। ହେଲେ ମୁଣ୍ଡକାଟି ନ ପାରି ଅବଶୋଷରେ କୃତ୍ତିବାସ ପାଟ୍ଟଶାଣୀ ଆଣ୍ଡାମାନରେ ପ୍ରାଣ ତ୍ୟାଗ କଲେ। ଭାରତର ମୁକ୍ତି ସଂଗ୍ରାମ (ପାଇକ ବିଦ୍ରୋହ)ର ଜଣେ ମହାରଥୀଙ୍କୁ ଓଡ଼ିଆ ଜାତି ସବୁଦିନ ପାଇଁ ହରାଇ ବସିଲା।
(ଲେଖକ ଜଣେ ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍‌)

1 COMMENT

Comment