ଓଡ଼ିଶାଲାଇଭ୍ ବ୍ୟୁରୋ

ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ପରେ ରାଜନୀତି ତେଜିଛି। ଏହାକୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‍ କରିଥିବା ବେଳେ ବିଜେପି ମଧ୍ୟ ବିଜେଡିକୁ ଜବାବ ଦେଇଛି। ସିବିଆଇ ତଦନ୍ତକୁ ନେଇ ବିଜେପି-ବିଜେଡି ମଧ୍ୟରେ କାଦୁଅଫିଙ୍ଗା ଚାଲିଥିବା ବେଳେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାର ସିବିଆଇକୁ ଅସ୍ତ୍ର କରିଛି ବୋଲି ଡାକ୍ତର ରାଉତ ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ବିଷୟରେ କ’ଣ କହିବେ?
ଚିଟ୍‌‍ଫଣ୍ଡ ଠକେଇର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ୨୦୧୨ରେ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସିବିଆଇ ଦୀର୍ଘ ଦିନ ଧରି ଶୋଇବା ପରେ ଏବେ ଜାଗ୍ରତ ହୋଇଛି। ଅଚାନକ୍ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଛି। ବର୍ଷକ ତଳେ ସିବିଆଇ ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ପତ୍ନୀଙ୍କୁ ଜେରା କରିଥିଲା। ଗିରଫ କରିବା ପୂର୍ବରୁ ସିବିଆଇ ଚାର୍ଜସିଟ୍ ଦେଇଥାନ୍ତା। ହେଲେ ତାହା ନ କରି ସିବିଆଇ ରାତି ଅଧିଆ ଗିରଫ କରିଥିବାରୁ ସନ୍ଦେହ ସୃଷ୍ଟି ହେଉଛି। ଭାରତୀୟ ଜନତା ପାର୍ଟି ସରକାର ଏବଂ ନରେନ୍ଦ୍ର ମୋଦି ସିବିଆଇକୁ ଅସ୍ତ୍ର କରିଛନ୍ତି।  ଜଣେ ଯଦି ଦୋଷ କରିଛି ତାହାଲେ ସେ ଦଣ୍ଡ ପାଇଲେ ଆମର କିଛି କହିବାର ନାହିଁ। ହେଲେ ଯେଉଁ ସମୟରେ ଏବଂ ଯେଉଁଭଳି ଢ଼ଙ୍ଗରେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ଗସିରଫ କରିଛି ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ।
ରାଜନୈତିକ ଫାଇଦା ପାଇଁ ସିବିଆଇକୁ ଅସ୍ତ୍ର କରାଯାଉଛି କି?
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଭୁବନେଶ୍ୱରରେ ଧମକ ଦେଇ ଯିବା ପରେ ପ୍ରଭାତ ବିଶ୍ୱାଳ ଗିରଫ ହୋଇଛନ୍ତି। ଏଣୁ ସନ୍ଦେହ ବଢ଼ିବା ସ୍ୱାଭାବିକ। ସିବିଆଇକୁ ରାଜନୈତିକ ଅସ୍ତ୍ର କରି ବିଜେଡିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସିବିଆଇ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥା।  ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ୫ ବର୍ଷ ପୂରିଥିଲେ ମଧ୍ୟ ସିବିଆଇ କିଛି ପଦକ୍ଷେପ ନେଉ ନ ଥିଲା କାହିଁକି? ପ୍ରଭାତ ବିଶ୍ୱାଳ ଜଣେ ବିଧାୟକ। ତାଙ୍କୁ ପୂର୍ବରୁ ଜେରା କରାଯାଇଛି। ହେଲେ ରାତି ଅଧିଆ ଗିରଫକୁ ଆମେ ନିନ୍ଦା କରୁଛୁ। ଯଦି ସେ କିଛି ଅପରାଧ କରିଥାନ୍ତି ତାହାଲେ ଦଣ୍ଡ ପାଇଲେ ବିଜେଡିର କିଛି କହିବାର ନାହିଁ।
ବିଜେଡ଼ିର ଆଗାମୀ ରଣନୀତି କ’ଣ ରହିବ?
ଗୋଟେ କୂଅରେ ପାଣି ଅଛି। ୧୦ ବାଲ୍‌ଟି ପାଣି ନେଇଗଲେ କୂଅରୁ ପାଣି ଶୁଖିଯାଏ ନାହିଁ। ଠିକ୍ ସେମିତି ଗୋଟିଏ ରାଜନୈତିକ ଦଳର ଅବସ୍ଥା। ଆମ ଦଳର ନେତା ଠିକ୍ ଅଛନ୍ତି ଏବଂ ନୀତି ଠିକ୍ ଅଛି। ଯଦି ଯିଏ ଅପରାଧ କରି ଦୋଷୀ ସାବ୍ୟସ୍ତ ହେବ ଏବଂ ଦଳରୁ ଚାଲିଯିବ ସେଥିରେ ଦଳର କିଛି କ୍ଷତି ହେବ ନାହିଁ। ନୂଆ ଲୋକ ଆସିବେ।
ବିଜେପିର ମିଶନ-୧୨୦ ସଫଳ ହେବ କି?
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ‘ମିଶନ୍-୧୨୦’କୁ ନେଇ ଓଡ଼ିଶାରେ ଗର୍ଜନ କରି ଦିଲ୍ଲୀରେ ପହଞ୍ଚିବା ପରେ ୧୨୦ରୁ ଶୂନ କଟି ଯାଇଛି। ବିଜେପି କେବଳ ୧୨ଟି ଆସନରେ ସୀମିତ ରହିବ। ଓଡ଼ିଶା ଶାହା ଯିବା ପରେ ଗୁଜୁରାଟ ଦଙ୍ଗା ଘଟଣାରେ ସେ କୋର୍ଟରେ ହାଜର ହୋଇଛନ୍ତି। ଗଣତନ୍ତ୍ରରେ ଲୋକ ହେଉଛନ୍ତି ସର୍ବଶକ୍ତିମାନ। ଲୋକେ ଯାହା ବିଚାର କରିବେ ତାକୁ ଭୋଟ ଦେବେ।  ବିଜେପିର ଏବେ ୧୦ ଜଣ ବିଧାୟକ ଏବଂ ଜଣେ ଲୋକସଭା ସାଂସଦ ଅଛନ୍ତି। ସେମାନେ ୧୦ରୁ ଏକଥରକେ ୧୨୦କୁ ଜମ୍ପ୍ କରିବା ଅସମ୍ଭବ। ଏହା ବାହାପିଆଙ୍କ ବାରବାଟି ଚାଷ।
ଜମାକାରୀଙ୍କୁ କିପରି ନ୍ୟାୟ ମିଳିବ?
ଚିଟଫଣ୍ଡ ସଂସ୍ଥାରେ ଟଙ୍କା ରଖିବାକୁ ଜମାକାରୀଙ୍କୁ କିଏ କହିଥିଲା? ସରକାର କ’ଣ ସେମାନଙ୍କୁ ଟଙ୍କା ରଖିବାକୁ କହିଥିଲେ? କେନ୍ଦ୍ର ସରକାର ମଲ୍ଟି ଷ୍ଟେଟ୍ କୋ ଅପରେଟିଭ୍ ସୋସାଇଟି ପାଇଁ ଆଇନ୍ କଲେ। ଓଡ଼ିଶାରେ ମଧ୍ୟ ଏହି ଆଇନ୍ କାର୍ଯ୍ୟକାରୀ ହେଲା। ସେତେବେଳେ ବିଜେପି ନେତା ସମବାୟ ବିଭାଗ ଦାୟିତ୍ୱରେ ଥିଲେ। ସେହି ସମୟରେ ମଲ୍ଟି ଷ୍ଟେଟ୍ କୋ ଅପରେଟିଭ୍ ରେଜିଷ୍ଟ୍ରେସନ ହୋଇଥିଲା। ତେଣୁ କେଉଁ ଲୋକମାନେ ରେଜିଷ୍ଟ୍ରେସନ କରୁଛନ୍ତି ତାହା ତତ୍‌କାଳୀନ ବିଜେପି ମନ୍ତ୍ରୀ ତଦାରଖ କରିବାର ଥିଲା। ଏହାଛଡ଼ା ଗଣତନ୍ତ୍ର ରାଷ୍ଟ୍ରରେ ଲୋକମାନଙ୍କ ପ୍ରତି ସରକାରଙ୍କର କର୍ତ୍ତବ୍ୟ ରହିଛି। କଷ୍ଟ ଉପାର୍ଜିତ ଟଙ୍କା ଜମାକାରୀ କିପରି ପାଇବେ ସେଥିପାଇଁ ସରକାର କମିଶନ ବସାଇଛନ୍ତି। ଏଣୁ ସରକାର କିଛି କରୁ ନାହାନ୍ତି ବୋଲି ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି।
(ପ୍ରସ୍ତୁତି: ସତ୍ୟବ୍ରତ ପାଢ଼ୀ)

 

Comment