ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ନିର୍ମାଣ ଓ ଅଭିନୟ ପାଇଁ ବଳାତ୍କାରୀ ବାବା ରାମରହିମଙ୍କର ଥିଲା ଅହେତୁକ ଆଗ୍ରହ। ନିଜେ ୬ଟି ଫିଲ୍ମ ପ୍ରଯୋଜନା କରି ନାୟକ ହେଉଥିଲେ, ସ୍କ୍ରିନରେ ରୋମାନ୍ସ କରୁଥିଲେ, ନାଚୁଥିଲେ, ଫାଇଟ୍ କରୁଥିଲେ। ଫିଲ୍ମଗୁଡିକରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଥିଲେ ପାପାଙ୍କ ଆଞ୍ଜେଲହନିପ୍ରୀତ।
ଗୋଟିଏ ମାସ ଭିତରେ ସବୁ କିଛି ବଦଳି ଯାଇଛି। ସେ ନିଜେ ନାୟକ ଭାବେ ତାଙ୍କ ଫିଲ୍ମରେ ଅଭିନୟ କରୁଥିଲେ, ଏବେ ତାଙ୍କ ଜୀବନୀ ଉପରେ ହେଉଥିବା ଫିଲ୍ମରେ ସେ ଖଳନାୟକ ଭାବେ ଚିତ୍ରିତ ହେବେ। ଏବେ ତାଙ୍କର କଳା ସାମ୍ରାଜ୍ୟ ଓ ଅପକର୍ମ ଉପରେ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର। ବିଶେଷକରି ବାବା (ରାମରହିମ) ଓ ତାଙ୍କ ବେବି (ହନିପ୍ରୀତ)ଙ୍କ ସମ୍ପର୍କ, ଡେରା ଆଶ୍ରମରେ ହେଉଥିବା ବ୍ୟଭିଚାର ଉପରେ ଏହି ଫିଲ୍ମ ନିର୍ମାଣ ହେଉଛି। ସବୁଠୁ ରୋଚକ ଖବର ହେଉଛି, ରାମରହିମଙ୍କ ତଥାକଥିତ ପାଳିତ କନ୍ୟା ହନିପ୍ରୀତଙ୍କ ଭୂମିକାରେ ରାକ୍ଷୀ ସାୱନ୍ତ ଅଭିନୟ କରୁଛନ୍ତି।
ଜାତୀୟ ୱେବ ପୋର୍ଟାଲ ଦି କୁଇଣ୍ଟକୁ ଦେଇଥିବା ସାକ୍ଷାତକାରରେ ରାକ୍ଷୀ ସାୱନ୍ତ ଏ ସଂପର୍କରେ ସୂଚନା ଦେଇଛନ୍ତି। ରାକ୍ଷୀଙ୍କ ଭାଇ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଆଉ ଏହି ଫିଲ୍ମ ସୁଟିଂ ଆରମ୍ଭ ହୋଇଥିବା କହିଛନ୍ତି ରାକ୍ଷୀ। ଫିଲ୍ମର ନାଁ ହେଉଛି ଅବ୍ ଇନସାଫ ହୋଗା। ଫିଲ୍ମର କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ରାକ୍ଷୀ ତାଙ୍କ ସାକ୍ଷାତକାରରେ କହିଛନ୍ତି, “ମୋତେ ଫିଲ୍ମରେ ହନିପ୍ରୀତ ରୋଲ୍ ଅଫର ମିଳିବା ପରେ ମୁଁ ସାଙ୍ଗେ ସାଙ୍ଗେ ହଁ ଭରିଥିଲି। କାରଣ, ରାମରହିମ ଓ ହନିପ୍ରୀତଙ୍କ ଅପକର୍ମ ଲୋକଲୋଚନକୁ ଆସିଲେ ଏଭଳି ଭଣ୍ଡଙ୍କ କଥାରେ ଭଳିଯିବେ ନାହିଁ ସାଧାରଣ ଲୋକ”।
ରାକ୍ଷୀ ସ୍ୱୀକାର କରିଛନ୍ତି ଯେ ସେ ପୂର୍ବରୁ ରାମରହିମ ଓ ହନିପ୍ରୀତଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଭଲ ଭାବେ ତାଙ୍କୁ ଜାଣିଥିଲେ। ରାମରହିମ ଓ ହନିପ୍ରୀତଙ୍କୁ ନେଇ ତାଙ୍କ ମନରେ ପ୍ରଥମରୁ ହିଁ ସନ୍ଦେହ ରହିଥିଲା। ରାକ୍ଷୀ ଆହୁରି ମଧ୍ୟ କହିଛନ୍ତି ଅନେକ ବଲିଉଡ୍ କଳାକାର ରାମରହିମଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ। ହ୍ରିତିକ ରୋଶନଙ୍କୁ ସେ ନିଜେ ରାମରହିମଙ୍କ ସହ ପରିଚୟ କରାଇ ଦେଇଥିଲେ। ହ୍ରିତିକ, ରାମରହିମ ଓ ରାକ୍ଷୀ ସାଙ୍ଗ ହୋଇ ଫଟୋ ମଧ୍ୟ ଉଠାଇଛନ୍ତି।
ସାକ୍ଷାତକାରରେ ରାକ୍ଷୀ ଆଉ ଏକ ବଡ଼ ରହସ୍ୟ ସଂପର୍କରେ କହିଛନ୍ତି। ସିରସାସ୍ଥିତ ଡେରା ଆଶ୍ରମରେ ଯେଉଁ ଗୁଫାରେ ରାମରହିମ ରୁହନ୍ତି, ଯାହାକୁ ନେଇ ଏତେ ଚର୍ଚ୍ଚା ସେଠାକୁ ମଧ୍ୟ ସେ ଯାଇଛନ୍ତି। ହେଲେ ତାଙ୍କୁ କୁହାଯାଇଥିଲା ଯେ ଗୁଫାମଧ୍ୟରେ ବାବା ପୂଜା ପାଠ କରନ୍ତି। କିନ୍ତୁ ପରେ ସତ କଥା ଜାଣିବା ପରେ ତାଙ୍କୁ ଅନେକ କଷ୍ଟ ହୋଇଥିବା କହିଛନ୍ତି ରାକ୍ଷୀ। ସେଠାରେ ସାଧ୍ଵୀମାନଙ୍କ ଯୌନଶୋଷଣ କରାଯାଉଥିଲା ଏବଂ ସେମାନେ ଯେତେବେଳେ ପରିବାର ଲୋକଙ୍କ ଏ ବିଷୟରେ ଜଣାଉଥିଲେ, ସେମାନଙ୍କ କଥାକୁ କେହି ବିଶ୍ୱାସ କରୁନଥିଲେ। ରାକ୍ଷୀ କହିଛନ୍ତି ଯେ ରାମରହିମ ସେହି ଝିଅମାନଙ୍କ ବାପାମାଆଙ୍କୁ ଟଙ୍କା ଓ ମଦ ଦେଇ ସେମାନଙ୍କ ମୁହଁ ଚୁପ କରାଉଥିଲା।
ଦିନେ ବାବାଙ୍କ ରୁମ​‌ରେ ଭାଏଗ୍ରା’ (ଯୌନଶକ୍ତି ବର୍ଦ୍ଧକ ଟନିକ୍) ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ବୋଲି କହିଛନ୍ତି ରାକ୍ଷୀ।
“ମୋ ମୁଣ୍ଡ ଘୁରି ଯାଇଥିଲା, ମୁଁ ସେହିଦିନ ନିଷ୍ପତ୍ତି ନେଇଥିଲି ଯେ ଦିନେ ନାଦିନେ ଏହି ତଥାକଥିତ ବାବାର ମୁଖା ଖୋଲିଦେବି। ଆଜି ଏହି ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି”କହିଛନ୍ତି ରାକ୍ଷୀ ସାୱନ୍ତ।
ରାକ୍ଷୀଙ୍କ ମତରେ ରାମରହିମଙ୍କ ବାଓପିକରେ ମେଲୋଡ୍ରାମା ରହିଛି, ଆଇଟମ୍ ସଙ୍ଗ ରହିଛି, ବିଶେଷ କରି କମର୍ସିଆଲ୍ ଫିଲ୍ମରେ ଯାହା ରହିବା କଥା, ତାହା ରହିଛି, ହେଲେ ଉଦ୍ଦେଶ୍ୟ ହେଉଛି ଭଣ୍ଡ ବାବାଙ୍କ ପର୍ଦ୍ଦାଫାସ କରିବା।
ଜେଲରେ ସଜା କାଟୁଥିବା ରାମରହିମ କିପରି ହନିପ୍ରୀତଙ୍କୁ ଝୁରୁଛନ୍ତି, ପ୍ରଥମ ସିନରେ ଏହି ଦୃଶ୍ୟ ରହିଥିବା କହିଛନ୍ତି ରାକ୍ଷୀ।
ସେପଟେ ହରିଆଣା ପୁଲିସ ରାମରହିମଙ୍କ ଅପକର୍ମ ସଂପର୍କରେ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ଡେରା ଆଶ୍ରମ ପରିସରରେ ୬୦୦ କଙ୍କାଳ ଥିବା ଅନୁମାନ କରାଯାଉଛି। ଆଶ୍ରମ ପରିସରକୁ ଖୋଳି ଏହାର ସତ୍ୟତା ଖୋଜିବା ପାଇଁ ଜୋରଦାର ବ୍ୟବସ୍ଥା କରାଯାଇଛି। ଡେରା ଆକାଉଣ୍ଟରେ କୋଟି କୋଟି ଟଙ୍କା ଥିବା ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି।
ତଦନ୍ତ ଶେଷ ହେଲେ ଆହୁରି ଅନେକ ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି।
ସେହିପରି ରାମରହିମଙ୍କ ଉପରେ ଚାଲିଥିବା ଦୁଇଟି ହତ୍ୟା ମାମଲାର ପ୍ରତି ଦିନ ଶୁଣାଣି କରୁଛନ୍ତି ହରିୟାଣା ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟ।

 

LEAVE A REPLY

Please enter your comment!
Please enter your name here