ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ସୁନ୍ଦରୀ ତଥା ୟୁନିସେଫ୍‍ ଗୁଡ୍‍ୱିଲ୍‍ ଆମ୍ବାସଡର ପ୍ରିୟଙ୍କା ଚୋପ୍ରା ମିଳିତ ଜାତିସଂଘ (ୟୁଏନ୍‍) ସାଧାରଣ ପରିଷଦରେ ଭାଷଣ ଦେଇ ନ୍ୟୁଜ୍‍ ହେଡ୍‍ଲାଇନ ବନିଛନ୍ତି। ୟୁଏନ୍‍ ଗ୍ଲୋବାଲ ଗୋଲ୍‍ଡ ଆୱାର୍ଡ ପ୍ରଦାନ ସମାରୋହରେ ଯୋଗଦେଇ ବିଶ୍ୱ ସମୁଦାୟର ବିକାଶ ପାଇଁ ଝିଅମାନଙ୍କ ସଶକ୍ତିକରଣ ବିଷୟ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ମହାତ୍ମାଗାନ୍ଧିଙ୍କ ବାର୍ତ୍ତାକୁ ଉଲ୍ଲେଖକରି ପ୍ରିୟଙ୍କା ତାଙ୍କ ଟ୍ୱିଟର ଆକାଉଣ୍ଟରେ କହିଛନ୍ତି ଯେ ଯଦି ଆମକୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେବ ଏବଂ ଯଦି ଆମକୁ ପ୍ରକୃତ ଯୁଦ୍ଧ ବନ୍ଦ କରିବା ପାଇଁ ଲଢେଇ କରିବାକୁ ହେବ, ତେବେ ସେହି ଆଭିମୁଖ୍ୟ ପିଲାମାନଙ୍କଠାରୁ ଆରମ୍ଭ ହେବା ଆବଶ୍ୟକ।
ୟୁଏନ୍‍ ଆସେମ୍ବଲିର ଜେନେରାଲ କାଉନ୍‍ସିଲରେ ଉପସ୍ଥିତ ଅନ୍ତର୍ଜାତୀୟ ନେତୃବୃନ୍ଦଙ୍କୁ ସମ୍ବୋଧନକରି ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି ପ୍ରିୟଙ୍କା ସୋସିଆଲ ମିଡିଆରେ କହିଛନ୍ତି।
“ଆମକୁ ଆମର ଭବିଷ୍ୟତ ବଂଶଧର ଏହି ପିଲାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରିବାକୁ ହେବ, ସେମାନଙ୍କ ଦକ୍ଷତାର ବିକାଶ କରିବା ସହ ସେମାନଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାକୁ ହେବ। ତାହେଲେ ଯାଇ ଏହି ପିଲାଙ୍କ ପାଇଁ ଆମେ ଏକ ମୁକ୍ତ ଓ ନିର୍ଭୀକ ଭବିଷ୍ୟତ ସୃଷ୍ଟି କରିପାରିବା”, ଲେଖିଛନ୍ତି ପ୍ରିୟଙ୍କା।
ବିଶେଷତଃ ଆମକୁ ପିଲାଙ୍କୁ ଏକ ସୁରକ୍ଷିତ ଦୁନିଆ ଉପହାର ଦେବାକୁ ହେବ, ଯେଉଁଠି ସେମାନେ ଏକାଠି ବସିପାରିବେ, ହସିପାରିବେ ଏବଂ ସେମାନଙ୍କ ସ୍ୱପ୍ନର ପୂର୍ଣ୍ଣ ବିକାଶ କରିବାର ସୁଯୋଗ ପାଇବେ। ୟୁନିସେଫ୍‍ ଗୁଡ୍‍ୱିଲ୍‍ ଆମ୍ବାସଡର ପ୍ରିୟଙ୍କା ଚୋପ୍ରା ଏହି ବାର୍ତ୍ତା କହିବାକୁ ଚାହିଁଛନ୍ତି।
ନ୍ୟୁୟର୍କରେ ଏହି ସମାରୋହରେ ଯୋଗଦେବା ଅବସରରେ ସେ ଭାରତୀୟ ଯୁବତୀ ରିଆ ଶର୍ମାଙ୍କୁ ୟୁଏନ ଗ୍ଲୋବାଲ ଗୋଲ୍‍ସ ଆୱାର୍ଡ ପ୍ରଦାନ କରିଥିଲେ। ରିଆ ନିଜର ସଂଗଠନ ‘ମେକ୍‍ ଲଭ୍‍ ନଟ୍‌ ସ୍କାର୍ସ୍‍’ ମାଧ୍ୟମରେ ଭାରତରେ ଏସିଡ୍‍ ଆକ୍ରମଣ ଶିକାର ହେଉଥିବା ମହିଳାଙ୍କ ଲାଗି କାମ କରୁଛନ୍ତି।
ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଇଭେଣ୍ଟର ବିଭିନ୍ନ ଫଟୋ ଅପଲୋଡ କରିଛନ୍ତି। ଗୋଟିଏ ଫଟୋରେ ସେ ସିରିଆର ମୁଜୁନ ଅଲ୍‍ ମେଲେହାନ ଏବଂ ପାକିସ୍ତାନର ନୋବେଲ ଶାନ୍ତି ପୁରସ୍କାର ବିଜେତା ମାଲାଲାଙ୍କ ସହ ଦେଖିବାକୁ ମିଳିଥିଲେ।  ସିରିଆର ଶରଣାର୍ଥୀ ପରିବାରର ମୁଜୁନ୍‍ ହେଉଛନ୍ତି ସର୍ବକନିଷ୍ଠ ୟୁନିସେଫ୍‍ ଗୁଡୱିଲ୍‍ ଆମ୍ବାସାଡର।

 

Comment