ଓଡ଼ିଶାଲାଇଭ୍ ବ୍ୟୁରୋ

ମିଳିତ ଜାତିସଂଘର ସାଧାରଣ ପରିଷଦରେ ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘ ମଞ୍ଚରେ ପାକିସ୍ତାନର କାର୍ଯ୍ୟକଳାପକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କହିଛନ୍ତି, “ଭାରତ ଡାକ୍ତର, ବୈଜ୍ଞାନିକ ତିଆରି କରୁଥିବା ବେଳେ ପାକିସ୍ତାନ ଜିହାଦୀ ତିଆରି କରୁଛି।”
ଭାରତ ଡାକ୍ତର ତିଆରି କରି ଲୋକଙ୍କ ଜୀବନ ବଞ୍ଚାଉଛି। ବୈଜ୍ଞାନିକ ତିଆରି କରି ସମଗ୍ର ବିଶ୍ୱକୁ ନୂଆ ନୂଆ ଜ୍ଞାନକୌଶଳ ଭେଟି ଦେଉଛି। ହେଲେ ପାକିସ୍ତାନ ‘ଜିହାଦୀ’ ତିଆରି କରି ଲୋକଙ୍କ ଜୀବନ ନେଉଛି। ଖାଲି ସେତିକି ନୁହେଁ, ପାକିସ୍ତାନକୁ ‘ଆତଙ୍କବାଦୀ’ଙ୍କ ଦେଶ କହିବାକୁ ଭୁଲି ନାହାନ୍ତି ସୁଷମା ସ୍ୱରାଜ।
ଦେଶର ବିକାଶ ପାଇଁ ଏବଂ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଆମେ ଆଇଆଇଟି, ଆଇଆଇଏମ୍ ଏବଂ ଏମ୍‌ସ ଭଳି ଅନୁଷ୍ଠାନ ତିଆରି କରିଛୁ। ହେଲେ ପାକିସ୍ତାନ ପିଲାଙ୍କ ଭବିଷ୍ୟତ ନଷ୍ଟ କରିବା ପାଇଁ ଲସ୍କର-ଇ-ତୋଇବା, ଜୈସ୍-ଇ-ମହମ୍ମଦ, ମହମ୍ମଦ ମୁଜାହିଦ୍ଦିନ୍ ଭଳି ଆତଙ୍କବାଦୀ ସଙ୍ଗଠନକୁ ପ୍ରଶୟ ଦେଇ ସାରା ବିଶ୍ୱରେ ଆତଙ୍କ ଖେଳାଉଛି।
ଭାରତ-ପାକିସ୍ତାନ ଏକା ସାଙ୍ଗରେ ସ୍ବାଧୀନ ହୋଇଛି। ସ୍ୱାଧୀନତା ପରଠୁ ଭାରତ ରାଷ୍ଟ୍ର ନିର୍ମାଣରେ ଲାଗିଛି। ଆମେ ଆଇଟି କ୍ଷେତ୍ରରେ ସମଗ୍ର ବିଶ୍ୱରେ ‘ସୁପର ପାୱାର’ ହୋଇଥିବା ବେଳେ ପାକିସ୍ତାନ ‘ଆତଙ୍କବାଦୀ’ ଦେଶ ଭାବେ ପରିଚୟ ହାସଲ କରିଛି।
ସୁଷମା ସ୍ୱରାଜ ମିଳିତ ଜାତିସଂଘରେ ଜଳବାୟୁ ପରିବର୍ତ୍ତନ, ବେରୋଜଗାରୀ, ସାଇବର କ୍ରାଇମ୍ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଏସବୁ ସମସ୍ୟା ଯୋଗୁଁ ବିଶ୍ୱ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି ବୋଲି ସେ କହିଛନ୍ତି।
ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କରିଥିବା ଯୋଜନା ସମ୍ପର୍କରେ ମଧ୍ୟ ସୁଷମା ସ୍ୱରାଜ ଆଲୋକପାତ କରିଛନ୍ତି। ଗରିବ ଦୂର କରିବା ପାଇଁ ଭାରତ ଅହରହ ସଂଗ୍ରାମ କରୁଛି ବୋଲି ସେ କହିଛନ୍ତି। ଗରିବ ଦୂରୀକରଣ, ଯୁବକଙ୍କୁ ରୋଜଗାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଭାରତ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବତାରଣା କରିଛନ୍ତି।

 

LEAVE A REPLY

Please enter your comment!
Please enter your name here