ଓଡିଶାଲାଇଭ୍ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ଗରିବ ପରିବାରଙ୍କ ସୁବିଧା ପାଇଁ ମୋଦି ‘ସୌଭାଗ୍ୟ’ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଦେଶର ପ୍ରତି ଗରିବ ପରିବାରକୁ ବିଜୁଳି ସଂଯୋଗ କରିବାର ଲକ୍ଷ୍ୟ ରହିଛି। ଏହାସହ ପ୍ରତି ଗରିବ ପରିବାରକୁ ୫ଟି ଲେଖାଏଁ ଏଲ୍‌ଇଡି ବଲ୍‌ବ ସମେତ ଗୋଟିଏ ଲେଖାଏଁ ଫ୍ୟାନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ମୋଦି ନୂଆଦିଲ୍ଲୀରେ ‘ଦୀନଦୟାଲ ଉର୍ଜା ଭବନ’ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଅବସରରେ ମୋଦି ‘ସୌଭାଗ୍ୟ’ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି।
୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ପ୍ରତି ଗରିବ ପରିବାରରେ ବିଜୁଳି ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୬ ହଜାର ୩୨୦ କୋଟିର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାର ୧୨ ହଜାର ୩୨୦ କୋଟି ଖର୍ଚ୍ଚ କରିବେ।
ଏହି ଯୋଜନାରେ ମୋଟ ଅଟକଳର ୬୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବାକୁ ଥିବା ବେଳେ ରାଜ୍ୟ ସରକାରମାନେ ୧୦ ପ୍ରତିଶତ ବହନ କରିବେ। ଅବଶିଷ୍ଟ ଖର୍ଚ୍ଚ ଋଣ ଆକାରରେ ଆସିବ। ଏହି ଯୋଜନା ଅନୁସାରେ ପ୍ରତି ଗରିବଙ୍କ ଘରେ ୫ଟି ଏଲ୍ଇଡି ବଲ୍‌ବ, ଗୋଟିଏ ବ୍ୟାଟେରୀ ଏବଂ ଗୋଟିଏ ଫ୍ୟାନ୍ ଯୋଗାଇ ଦିଆଯିବ। କିରୋସିନ୍ ବ୍ୟବହାର କମାଇବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି।
‘ଦୀନଦୟାଲ ଉର୍ଜା ଭବନ’ ଉଦଘାଟନ ଏବଂ ‘ସୌଭାଗ୍ୟ’ ଯୋଜନା ଘୋଷଣା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆର୍.କେ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Comment