ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆ ଝିଅ କମାଲ୍‌ ଦେଖାଇଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଏନି ପ୍ରିନ୍ସ ନାଗ ‘ମିସ୍‌  ଇଣ୍ଡିଆ’ ଏଲିଗେଣ୍ଟ ଟାଇଟଲ୍‌-୨୦୧୭ ହାସଲ କରିଛନ୍ତି। ମଡେଲ ଇଣ୍ଡଷ୍ଟ୍ରିରେ ଏନି ପ୍ରିନ୍ସ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି।

ବେଙ୍ଗାଳୁରୁରେ ଅନୁଷ୍ଠିତ ହୋଇଥିଲା ‘ମିସ୍‌ ଇଣ୍ଡିଆ’ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ। ଏଥିରେ ସମଗ୍ର ଦେଶରୁ ୨୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ୨୨ ଜଣଙ୍କୁ ପଛରେ ପକାଇ ‘ଏନି ପ୍ରିନ୍ସ’ ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି।
୨୦୧୨ରେ ଆନି ପ୍ରିନ୍ସ ‘ମିସ୍‌ ବେଙ୍ଗାଳୁରୁ’ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ସଫଳତା ପାଇବା ପରେ ସେ କନ୍ନଡ଼ ଫିଲ୍ମରେ ସୁଯୋଗ ପାଇଥିଲେ। ଫିଲ୍ମ ‘ନାନୋବେନ୍ ଓଲେବିନୁ’ ଫିଲ୍ମରେ କଲେଜ ଗାର୍ଲ ଭୂମିକାରେ ଅଭିନୟ କରିଥିଲେ। ସାଉଥ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରବି ତେଜାଙ୍କ ନାୟିକା ସାଜିଥିଲେ ଆନି ପ୍ରିନ୍ସ। ଏହାପରଠୁ ଆଉ ସେ ପଛକୁ ଫେରି ନାହାନ୍ତି।
କୋରାପୁଟର ଜୟପୁର ସହରରେ ଜନ୍ମିତ ଆନି ପ୍ରିନ୍ସ ବିକ୍ରମଦେବ କଲେଜରୁ ଗ୍ରାଜୁଏସନ ପାସ୍ କରିବା ପରେ ବେଙ୍ଗାଳୁରୁ ଯାଇଥିଲେ। ସେଠାରେ ସେ ମଡ଼େଲିଂ ଦୁନିଆରେ ପାଦ ରଖିଥିଲେ। ଏବେ ମିସ୍‌ ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ୍‌ ହାସଲ କରିବା ପରେ ଆନି ପ୍ରିନ୍ସ ଆଉ ଏକ ସଫଳତାର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି।

Comment