ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାବଣକୁ ଶୂନ୍ୟବାଣୀ ହୋଇଥିଲା ଯେ, ଦଶରଥ-କୌଶଲ୍ୟାଙ୍କ ବଡ଼ ପୁଅ ହିଁ ତୋତେ ବଧ କରିବ, ଯେଉଁଥିପାଇଁ ରାବଣ ପ୍ରଥମେ ‘କୌଶଲ୍ୟା’ଙ୍କୁ ଅପହରଣ କରିନେଇଥିଲା।

ଆଗକୁ ଆସୁଛି ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର ଜୟ ହୋଇଥିବାରୁ ଏହି ଦିନକୁ ଲୋକେ ଧୁମଧାମ୍‌ରେ ପାଳନ କରିଥାନ୍ତି। ପୁଣି କେତେକ ସ୍ଥାନରେ ‘ରାବଣ ପୋଡ଼ି’ ମଧ୍ୟ ଆୟୋଜନ କରାଯାଉଛି।
‘ବିଜୟା ଦଶମୀ’ ଉପଲକ୍ଷେ ଭାରତର କେତେକ ସ୍ଥାନରେ ରାମଲୀଳା ଆୟୋଜନ କରାଯାଉଛି। ତେବେ ରାମଲୀଳାରେ ଏମିତି କିଛ ରୋଚକ ତଥ୍ୟ ରହିଛି ଯାହା ଅଧିକାଂଶ ଲୋକେ ଜାଣିନାହାନ୍ତି। ‘ସୀତା’ ହରଣ ପୂର୍ବରୁ ରାବଣ ‘କୌଶଲ୍ୟା’ଙ୍କ ହରଣ କରିଥିବା ଆନନ୍ଦ ରାମାୟଣରେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିବା ରାବଣ କିପରି କୌଶଲ୍ୟାଙ୍କ ହରଣ କରିଥିଲା ।
ରାଜା ଦଶରଥ ଏବଂ କୌଶଲ୍ୟାଙ୍କ ବିବାହ
କୋଶଳ ପ୍ରଦେଶର ରାଜା ସକୌଶଲ ଏବଂ ରାଣୀ ଅମୃତପ୍ରଭାଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ‘କୌଶଲ୍ୟା’। କୌଶଲ୍ୟା ସର୍ବଗୁଣାସମ୍ପନ୍ନ ଥିବାରୁ ତାଙ୍କ ବିବାହ ପାଇଁ ରାଜା ସକୌଶଲ ଉପଯୁକ୍ତ ବରପାତ୍ର ସନ୍ଧାନରେ ରହିଥିଲେ।
ଏହି ସମୟରେ ଅଯୋଧ୍ୟାର ରାଜା ଦଶରଥ କୋଶଳ ପ୍ରଦେଶକୁ କୌଶଲ୍ୟାଙ୍କ ସହ ବିବାହ ପ୍ରସ୍ତାବ ପ୍ରସ୍ତାବ ପାଇଥିଲେ। କିନ୍ତୁ କୋଶଳ ରାଜା ସକୌଶଲ ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ। ଫଳରେ ଦଶରଥ ଏବଂ ସକୌଶଲଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ସକୌଶଲ ପରାଜିତ ହୋଇଥିଲେ। ଦଶରଥ ଏବଂ ସକୌଶଲଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ଦଶରଥ କୌଶଲ୍ୟାଙ୍କୁ ବିବାହ କରିଥିଲେ।
କେମିତି ଥିଲା କୌଶଲ୍ୟାଙ୍କ ହରଣ?
କୌଶଲ୍ୟାଙ୍କୁ ବିବାହ କରି ଦଶରଥ ଅଯୋଧ୍ୟାକୁ ଆସିଥିଲେ। ଦଶରଥ କୌଶଲ୍ୟାଙ୍କୁ ଅଯୋଧ୍ୟାର ମହାରାଣୀ ମାନ୍ୟତା ଦେଇଥିଲେ। ହସଖୁସିରେ ଉଭୟଙ୍କ ସଂସାର ଆଗକୁ ବଢ଼ିଥିଲା। ହେଲେ ବଂଶରକ୍ଷା ପାଇଁ ଉଭୟ ପୁତ୍ର ସନ୍ତାନ ଚାହିଁଲେ। ପୁଅ ଜନ୍ମ ପାଇଁ ଉଭୟ ଯଜ୍ଞ ଆୟୋଜନ କରିଥିଲେ।
ଏହି ଯଜ୍ଞ ଚାଲିଥିବା ବେଳେ ହିଁ ରାବଣ ଏକ ଭୟଙ୍କର ସ୍ୱପ୍ନ ଦେଖିଥିଲା।  ଦଶରଥ ଏବଂ କୌଶଲ୍ୟାଙ୍କ ବଡ ପୁଅ ହିଁ ରାବଣକୁ ବଧ କରିବ ବୋଲି ରାବଣକୁ ଶୂନ୍ୟବାଣୀ ହୋଇଥିଲା। ଏହି ଶୂନ୍ୟବାଣୀ ରାବଣକୁ ଚିନ୍ତାରେ ପକାଇଥିଲା। ଫଳରେ ରାବଣ ଛଳବଳରେ କୌଶଲ୍ୟାଙ୍କୁ ଅଯୋଧ୍ୟାରୁ ଉଠାଇ ଆଣି ଏକ ନିକାଞ୍ଚନ ଦ୍ୱୀପରେ ଛାଡ଼ି ଦେଇଥିଲା।
କୌଶଲ୍ୟାଙ୍କ ଅପହରଣ ସମ୍ପର୍କରେ ନାରଦ ଦଶରଥଙ୍କୁ ଖବର ଦେଇଥିଲେ। ରାଜା ଦଶରଥ ରାବଣ ସହ ଯୁଦ୍ଧ କରିବାକୁ ବାହାରିଲେ। ମାତ୍ର ରାବଣ ସେନା ଦଶରଥଙ୍କୁ ପରାଜିତ କରିଥିଲେ। ରାବଣ ଭାବିନେଲା ଯେ ଦଶରଥ  ଯୁଦ୍ଧରେ ପ୍ରାଣ ହରାଇଛନ୍ତି। କିନ୍ତୁ ଦଶରଥ ବଞ୍ଚି ଯାଇଥିଲେ ଏବଂ ସମୁଦ୍ରରେ ଭାସି ଭାସି କୌଶଲ୍ୟା ବନ୍ଦୀ ହୋଇ ରହିଥିବା ଦ୍ୱୀପରେ ଲାଗିଲେ।
ଆଉ କିଛି ପୁରାଣରେ ଉଲ୍ଳେଖ ରହିଛି କି ବିବାହ ପୂର୍ବରୁ ରାବଣ କୌଶଲ୍ୟାଙ୍କୁ ଅପହରଣ କରିନେଇଥିଲା। କାରଣ ରାବଣ ଜାଣିଥିଲା ଯେ କୌଶଲ୍ୟା ଦଶରଥଙ୍କୁ ବିବାହ କରିବେ। ଉଭୟଙ୍କ ଔରସରୁ ଜନ୍ମ ହେବାକୁ ଥିବା ବଡ଼ପୁଅ ହିଁ ରାବଣକୁ ବଧ କରିବେ। ଏଣୁ ଦଶରଥ ଏବଂ କୌଶଲ୍ୟାଙ୍କ ବିବାହ କରାଇ ନ ଦେବା ଲାଗି ରାବଣ ବାହାଘର ପୂର୍ବରୁ କୌଶଲ୍ୟାଙ୍କୁ ହରଣ କରି ନେଇଥିଲା। କୌଶଲ୍ୟାଙ୍କୁ ଉଦ୍ଧାର କରିବା ପାଇଁ ସକୌଶଲ ଦଶରଥଙ୍କ ସହାୟତା ଲୋଡିଥିଲେ।
ଦଶରଥ ତାଙ୍କ ସୈନିକଙ୍କୁ ନେଇ ରାବଣ ସହ ଯୁଦ୍ଧ କରିଥିଲେ। ହେଲେ ଏହି ଯୁଦ୍ଧରେ ଦଶରଥ ପରାଜିତ ହେଲେ। ରାବଣ ଭାବିନେଲା ଦଶରଥଙ୍କ ମୃତ୍ୟୁ ହୋଇଯାଇଛି। ଫଳରେ ଯୁଦ୍ଧ କ୍ଷେତ୍ରରେ ତାଙ୍କୁ ଛାଡ଼ିଦେଇ ରାବଣ ଚାଲିଗଲା। ଶେଷରେ ଦଶରଥ ସମୁଦ୍ରରେ ପ୍ରବେଶ କରି କୌଶଲ୍ୟାଙ୍କୁ ଠାବ କରିଥିଲେ ଏବଂ ମୁନିଋଷିମାନେ ଉଭୟଙ୍କ ବିବାହ ସମୁଦ୍ରରେ ସମ୍ପନ୍ନ କରାଇଥିଲେ।

Comment