ଓଡ଼ିଶାଲାଇଭ୍ ବ୍ୟୁରୋ

୪ଜିର ସଫଳତା ପରେ ଏବେ ଭାରତ ସରକାର ୫ଜି ଲଞ୍ଚ୍ କରିବାକୁ ସଜବାଜ ହେଲେଣି। ଏଥିପାଇଁ ୨୦୨୦କୁ ଟାର୍ଗେଟ୍‌ କରାଯାଇଛି। ଏହି ଟେକ୍ନୋଲୋଜିର ପ୍ରତିଷ୍ଠା ନେଇ ସରକାର ମଙ୍ଗଳବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ୨୦୨୦ ସୁଦ୍ଧା ୫ଜି ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ଉକ୍ତ କମିଟି ଅଧିକ ଧ୍ୟାନ ଦେବାକୁ ସରକାର ପରାମର୍ଶ ଦେଇଛନ୍ତି।

୫ଜି ଟେକ୍ନୋଲୋଜିକୁ ନେଇ ମଙ୍ଗଳବାର କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା ସମୀକ୍ଷା କରିଛନ୍ତି। ୨୦୨୦ ସୁଦ୍ଧା ଦେଶରେ ୫ଜି କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରହିଥିବା ଶ୍ରୀ ସିହ୍ନା କହିଛନ୍ତି।

ମନୋଜ ସିହ୍ନା କହିଛନ୍ତି, “ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶ ୫ଜି ଟେକ୍ନୋଲୋଜିକୁ ଗ୍ରହଣ କଲେଣି। ଆମେ ୩ଜି ଓ ୪ଜି ଟେକ୍ନୋଲୋଜି ଆପଣାଇବାରେ ଅନ୍ୟ ଦେଶ ତୁଳନାରେ ପଛରେ ରହିଯାଇଥିଲୁ। ଏଣୁ ୫ଜି ଟେକ୍ନୋଲୋଜି କ୍ଷେତ୍ରରେ ଆଉ ବିଳମ୍ବ କରାଯିବ ନାହିଁ।”

ଏହି ଟେକ୍ନୋଲୋଜି ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫ଜି କାର୍ଯ୍ୟକାରୀ ହେଲେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସ୍ପିଡ୍ ପ୍ରତି ସେକେଣ୍ଡକୁ ୧୦୦୦ ‘ଏମ୍‌ବିପିଏସ୍‌’ ରହିବ। ସେହିପରି ସହରାଞ୍ଚଳରେ ୧୦ ହଜାର ‘ମେଗାବାଇଟ୍‌ସ୍‌’ ରହିବ।

୪ଜି ଠାରୁ ୫ଜି ଇଣ୍ଟରନେଟ୍ ହାଇସ୍ପିଡ ରହିବ। ଗୋଟିଏ ଏଚ୍‌ଡି ଫିଲ୍ମ ଡାଉନଲୋଡ ହେବାକୁ ୪ଜିରେ ୧୦ ମିନିଟ୍ ଲାଗୁଛି। ମାତ୍ର ୫ଜି କାର୍ଯ୍ୟକ୍ଷମ ହେଲେ ୧ ସେକେଣ୍ଡରେ ଗୋଟିଏ ଏଚ୍‌ଡି ଫିଲ୍ମ ଡାଉନଲୋଡ ହୋଇପାରିବ।

 

 

 

Comment