ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ’2.0’ କରିବ ଧମାଲ୍‌ ଏକସଙ୍ଗରେ ୧୫ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ ଏହି ସିନେମା

‘ବାହୁବଲି2’ ପରେ ଅନ୍ୟ ଏକ ଭାରତୀୟ ଚଳଚ୍ଚିତ୍ର ସ୍କ୍ରିନ୍‌ ଉପରେ ଧମାଲ୍‌ ମଚାଇବାକୁ ଯାଉଛି, ତାହା ହେଉଛି ସାଉଥ୍‌ ସୁପରଷ୍ଟାର୍‌ ‘ରଜନୀକାନ୍ତ’ଙ୍କ ଅଭିନୀତ ‘2.0’। ଏହି ସିନେମାକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମନାକୁ ଆସୁଛି। ଶୁଣିବାକୁ ମିଳିଛି ଯେ ‘2.0’କୁ ଚାଇନିଜ୍‌ ଭାଷାରେ ଡବିଂ କରାଯିବ ଓ ଚୀନ୍‌ରେ ୧୦ରୁ ୧୫ ହଜାର ସ୍କ୍ରିନ୍‌ରେ ରିଲିଜ୍‌ କରାଯିବ।
‘2.0’ ଭାରତୀୟ କାଳ୍ପନିକ ବିଜ୍ଞାନକୁ ଆଧାରକରି ତିଆରି କରାଯାଇଛି, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌. ଶଙ୍କର। ଏହା ୨୦୧୦ରେ ରିଲିଜ୍‌ ହୋ‍ଇଥିବା ‘ରୋବଟ୍‌’ ସିନେମାର ସିକ୍ୱେଲ୍‍। ରଜନୀକାନ୍ତ ଓ ଅକ୍ଷୟ କୁମାର ଏହି ଚଳଚ୍ଚିତ୍ରରେ ମେନ୍‌ ଲିଡ୍‌ ରୋଲ୍‌ରେ ନଜର ଆସିଥିବେ। ରଜନୀକାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିବେ ଏମି ଜାକ୍‌ସନ୍‌। ’ଏକ ଦିୱାନା ଥା’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ‌ରେ ପ୍ରବେଶ କରିଥିଲେ ଏମି। ଏହା ପୂର୍ବରୁ ଏମି ’ସିଂ ଇଜ୍‌ କିଙ୍ଗ୍‌’ ହିନ୍ଦୀ ସିନେମାରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ।
‘2.0’ରେ ଡକ୍ଟର ବସୀଗରଣ ଭୂମିକାର ଅଭିନୟ କରୁଛନ୍ତି ରଜନୀକାନ୍ତ, ଯିଏ ନିଜ ପ୍ରଚେଷ୍ଟାରେ ଏକ ରୋବଟ୍‌ ତିଆରି କରୁଛନ୍ତି। ଅକ୍ଷୟ କୁମାର ଡକ୍ଟର ରିଚାର୍ଡ ଭୂମିକାରେ ନଜର ଆସିବେ। କାହାଣୀ ଅନୁସାରେ ଅକ୍ଷୟ ଚଳଚ୍ଚିତ୍ରରେ ନିଜ ଉପରେ ଏକ ବିପଦପୂର୍ଣ୍ଣ ପରୀକ୍ଷଣର ଟ୍ରାଏଲ୍‌ ନେବେ, ଯାହାପରେ ସେ ଲୋକମାନଙ୍କୁ ମାରିବାକୁ ଲାଗିଯା’ନ୍ତି। ଡକ୍ଟର ବସୀଗରଣ (ରଜନୀକାନ୍ତ) ନିଜ ରୋବଟ୍‌ ମାଧ୍ୟମରେ ଲୋକମାନଙ୍କୁ ଡକ୍ଟର ରିଚାର୍ଡ (ଅକ୍ଷୟ)ଙ୍କଠାରୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଏହି କାହାଣୀକୁ ନେଇ ତିଆରି ହୋ‍ଇଛି ’ରୋବଟ୍‌’ ସିନେମାର ସିକ୍ୱେଲ୍‍ ‘2.0’।
ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ସିନେମାକୁ ଏତେ ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ କରାଯିବାର ରିସ୍କ ନିଆଯାଇଛି, ତାହା ହେଉଛି ଏସ୍‌.ଏସ୍‌.ରାଜାମୌଲିଙ୍କ ‘ବାହୁବଲି 2’। ଏହାପରେ ବର୍ତ୍ତମାନ ‘2.0’କୁ ଭାରତ ଓ ବିଦେଶରେ ସର୍ବାଧିକ ସ୍କ୍ରିନ୍‌ରେ ରିଲିଜ୍‌ କରିବାର ଯୋଜନା ରହିଛି। ଭାରତୀୟ ସିନେମା ଇତିହାସରେ ‘2.0’ ଯେ ଏକ ନୂଆ ଫର୍ଦ୍ଦ ଲେଖିବ, ଏଥିରେ କୌଣସି ମଧ୍ୟ ସନ୍ଦେହ ନାହିଁ।
୨୦୧୦ରେ ରିଲିଜ୍‌ ହୋ‍ଇଥିବା ‘ରୋବଟ୍‌’ ଚଳଚ୍ଚିତ୍ରର ସିକ୍ୱେଲ୍‌ ‘2.0’ ତିଆରିରେ ୪୦୦ କୋଟିର ବଜେଟ୍‌ ବ୍ୟୟ ହୋ‍ଇଥିବାବେଳେ ଏହାର ମାର୍କେଟିଂ ମୂଲ୍ୟ ପ୍ରାୟ ୧୫୦ କୋଟି। ଏହି ସିନେମା ୨୦୧୮ରେ ରିଲିଜ୍‌ ହେବାର ଯୋଜନା କରାଯାଇଛି। ଡିସେମ୍ବର ମାସରେ ‘2.0’ର ଟ୍ରେଲର୍‌ ରିଲିଜ୍‌ ହେବାକୁ ଯାଉଛି।

Comment