ଓଡିଶାଲାଇଭ୍ ବ୍ୟୁରୋ

ସପ୍ତମୀ ପୂଜାରୁ ଆରମ୍ଭ ହୋଇଛି ଭିଡ଼। ବିଭିନ୍ନ ପୂଜା ମଣ୍ଡପ ନିକଟରେ ଜମିଛି ଗହଳି। କିଏ କଟକରେ ମା’ଙ୍କ ସୁନା, ଚାନ୍ଦି ମେଢ଼ ଦେଖି ବିଭୋର ହୋଇଯାଉଛି ତ ପୁଣି କିଏ ରାଜଧାନୀର ଆକର୍ଷଣୀୟ ତୋରଣ ଭିତରେ ହଜିଯାଇଛି। ମେଢ଼ ଓ ତୋରଣ ଦେଖା ସାଙ୍ଗକୁ ଚଟପଟି ଖାଦ୍ୟର ମଜା ନେଇ ଲୋକେ ପୂଜାକୁ ଉପଭୋଗ କରୁଛନ୍ତି।

ପାରମ୍ପରିକ ରୀତିନୀତିରେ ବୁଧବାର ବିଭିନ୍ନ ଦେବୀ ପୀଠରେ ପାଳିତ ହୋଇଛି ମହା ଅଷ୍ଟମୀ। ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନା ଧୁମ୍‌ଧାମରେ ଚାଲିଥିବା ବେଳେ ମଣ୍ଡପରେ ଆଜି ମହାସପ୍ତମୀର ଧୁମ୍ ଦେଖିବାକୁ ମିଳିଛି। ଟ୍ୱିନ୍ ସିଟି କଟକ-ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ମହାସପ୍ତମୀ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ପୂଜା ମଣ୍ଡପରେ ଦିନସାରା ସପ୍ତମୀ ପୂଜା ହୋଇଥିଲା। ମାନସିକଧାରୀମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ଆକର୍ଷଣୀୟ ତୋରଣ ଏବଂ ରଙ୍ଗିନ୍ ଲାଇଟ୍ ଟ୍ୱିନ୍ ସିଟିବାସୀଙ୍କୁ ଆକର୍ଷିତ କରିଛି। ଆଉ ଲୋକେ ପୂଜା ମଣ୍ଡପ ବୁଲିବାକୁ ଘରୁ ବାହାରି ଆସିଛନ୍ତି।
କଟକରେ ଚାନ୍ଦି ଓ ସୁନା ମେଢ଼ ଦେଖିବାକୁ ବିଭିନ୍ନ ପୂଜା ମଣ୍ଡପରେ ଆଜିଠାରୁ ଭିଡ଼ ଜମିଛି। ସେହିପରି ରାଜଧାନୀ ଭୁବନେଶ୍ୱରର ଆକର୍ଷଣୀୟ ତୋରଣ ଲୋକଙ୍କୁ ପୂଜାମଣ୍ଡପ ନିକଟକୁ ଟାଣି ଆଣିଛି।
ଭୁବନେଶ୍ବରର ରସୁଲଗଡ଼, ବମିଖାଲ, ଝାରପଡା, ସହିଦନଗର, ପୁରୁଣା ଷ୍ଟେସନ ବଜାର, ନୟାପଲ୍ଲୀ ପୂଜା ମଣ୍ଡପରେ ନିର୍ମାଣ ହୋଇଛି ଆକର୍ଷଣୀୟ ତୋରଣ। ନୟାପଲ୍ଲୀ ତୋରଣରେ ବରୋଦାର ଲକ୍ଷ୍ମୀ ବିଳାସ ସ୍ଥାପତ୍ୟ ଦେଖିବାକୁ ମିଳିଛି। ଏହି ତୋରଣ ରାଜପ୍ରାସାଦ ଷ୍ଟାଇଲ୍‌ରେ ନିର୍ମାଣ ହୋଇଥିବାରୁ ଲୋକେ ଏହାକୁ ବେଶ୍ ଉପଭୋଗ କରୁଛନ୍ତି। ଏହି ତୋରଣ ପାଇଁ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା।
ସହିଦନଗର ଦୁର୍ଗାପୂଜା ମଣ୍ଡପ ଏଥର ଥାଇଲାଣ୍ଡ ବୁଦ୍ଧ ମନ୍ଦିର ଶୈଳୀରେ ତୋରଣ ନିର୍ମାଣ କରିଛି। ଏଥିପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ପୁରୁଣା ଷ୍ଟେସନ ବଜାର କମିଟି ଶିରିଡ଼ି ସାଇ ମନ୍ଦିର ଶୈଳୀରେ ତୋରଣ ନିର୍ମାଣ କରି ଚର୍ଚ୍ଚାରେ ରହିଛି।
ମହାସପ୍ତମୀରୁ ପୂଜା ମଣ୍ଡପରେ ଭିଡ଼ ଜମିବା ଦେଖିବ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରସୁଲଗଡ଼, ବାଣୀବିହାର, ଜୟଦେବବିହାର, କଳ୍ପନା ଛକ, ରୂପାଲି ଛକ ଓ ଆଚାର୍ଯ୍ୟ ବିହାର ପୋଲିସ ଫୋକସ୍‌ରେ ରହିଛି। ଏହି ଅଞ୍ଚଳରେ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
ଚଳିତବର୍ଷ କଟକରେ ୧୭୧ଟି ପୂଜାମଣ୍ଡପରେ ମା’ ପୂଜା ପାଉଥିବା ବେଳେ ରାଜଧାନୀରେ ୧୬୯ଟି ପୂଜା ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଟକରେ ୫୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭୁବନେଶ୍ୱରରେ ୨୫ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଛନ୍ତି। ସୁନା, ଚାନ୍ଦି ମେଢ଼ ନିକଟରେ ସିସିଟିଭି ବ୍ୟବସ୍ଥା କରାଯାଇଛି।
 

Comment