ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ବଡ଼ ରାଜନୈତିକ ଝଟକା ଲାଗିଛି। ନିର୍ବାଚନ କମିଶନ କୋଡ଼ାଙ୍କୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବାରୁ ବଞ୍ଚିତ କରିଛନ୍ତି। ଏହି କଟକଣା ତୁରନ୍ତ ଲାଗୁହେବ। ୨୦୦୯ ଲୋକସଭା ନିର୍ବାଚନରେ ମଧୁ କୋଡ଼ା ଯେଉଁ ଖର୍ଚ୍ଚ କରିଥିଲେ, ତା’ର ହିସାବ ଦେବା ପାଇଁ କମିଶନ ତାଙ୍କୁ କହିଥିଲା। କିନ୍ତୁ ଠିକଣା ଢଙ୍ଗରେ ହିସାବ ଦେଇନପାରିବାରୁ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋ‍ଇଛି। ।
ନିର୍ବାଚନ କମିଶନ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଅଚଳ କୁମାର ଜ୍ୟୋତି ଓ ନିର୍ବାଚନ କମିଶନର ଓ ପି ରାଉତଙ୍କ ହସ୍ତାକ୍ଷରରେ ଜାରି ବିଜ୍ଞପ୍ତି ଅନୁସାରେ କୋଡ଼ା ୨୦୨୦ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ଲୋକପ୍ରତିନିଧି ଆଇନ୍‌ର ଧାରା ୧୦ (ଏ) ଅନୁସାରେ କୋଡ଼ାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ହୋ‍ଇଛି। ୨୦୦୯ ନିର୍ବାଚନରେ କୋଡ଼ା ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିଥିଲେ।
ନିର୍ବାଚନ କମିଶନ ଅକ୍ଟୋବର ୨୦୧୦ରେ ମଧୁ କୋଡ଼ାଙ୍କୁ ଚିଠି ଲେଖି ପଚାରିଥିଲେ ନିର୍ବାଚନ ପ୍ରଚାର ପାଇଁ ଏତେ ପରିମାଣର ଅର୍ଥ କେଉଁଠୁ ଆଣିଲ ଏବଂ ସିଲିଂ ବହିର୍ଭୁତ ଖର୍ଚ୍ଚ ପାଇଁ ତାଙ୍କ ପ୍ରାର୍ଥୀତ୍ୱ କାହିଁକି ରଦ୍ଦ କରାଯିବ ନାହିଁ।
ସେହି ନିର୍ବାଚନରେ ମଧୁ କୋଡ଼ା ୧୮,୯୨,୩୫୩ ଟଙ୍କା ଖର୍ଚ୍ଚ କରିଥିବାର ଅଭିଯୋଗ ହୋ‍ଇଥିଲା। ହେଲେ ନିର୍ବାଚନ କମିଶନରଙ୍କୁ ସେ ଯେଉଁ ଖର୍ଚ୍ଚର ବିବରଣୀ ଦେଇଥିଲେ, ତାହା ପ୍ରକୃତ ଖର୍ଚ୍ଚଠାରୁ ଯଥେଷ୍ଟ କମ୍‍ ଥିଲା।
ମନେପକାଇ ଦିଆଯାଇପାରେ ଯେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କୋ‍ଇଲା ସ୍କାମ୍‌ରେ ମଧ୍ୟ ଅଭିଯୁକ୍ତ ହୋ‍ଇଛନ୍ତି। ଖାଲି ସେତିକି ନୁହେଁ ମନି ଲଣ୍ଡ୍ରିଂ ବା ବେନିୟମ ଅର୍ଥ କାରବାରରେ ମଧ୍ୟ କୋଡ଼ାଙ୍କ ନାମ ରହିଥିଲା ଓ ସେ କିଛିବର୍ଷ ଜେଲ୍‌ ବି କାଟିଛନ୍ତି।
କୋଡ଼ା ୨୦୦୬ ସେପ୍ଟେମ୍ବର ୧୪ରୁ ୨୦୦୮ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ।

LEAVE A REPLY

Please enter your comment!
Please enter your name here