ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ ନିର୍ବାଚନ ଯୁଦ୍ଧ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପିରେ ବିଦ୍ରୋହର ବିଗୁଲ୍‌ ବାଜିଛି। ଏହି ବିଗୁଲ୍ ଫୁଙ୍କିଛନ୍ତି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେଲେ ଆମେ ସମର୍ଥନ କରିବୁ ନାହିଁ ବୋଲି ସେ ଖୋଲାଖୋଲି କହିଛନ୍ତି। ଫଳରେ ଅଶୋକଙ୍କ ପାଇଁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ସ୍ଥିତି ଦେଖାଦେଇଛି। ବିଜେପୁର ଏବେ ଉଭୟ ଅଶୋକ ଏବଂ ବିଜେପି ପାଇଁ ଅଡ଼ୁଆ ହୋଇଛି।

ବିଜେପୁର ଉପ-ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ରୀତା ସାହୁଙ୍କୁ ପ୍ରାର୍ଥୀ କରି ବିଜେଡି ବିଜେପୁର ପାଇଁ ଅଙ୍କ କଷୁଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଚୟନକୁ ନେଇ ଅଡ଼ୁଆରେ ପଡିଛି। ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କ ବିବୃତି ପରେ ବିଜେପି ହରଡ଼ଘଣାରେ ପଡ଼ିଛି। ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥିତ୍ୱକୁ ଆମେ ସମର୍ଥନ କରିବୁ ନାହିଁ ବୋଲି ଶ୍ରୀ ସାହୁ ରୋକଠୋକ କହିଛନ୍ତି। ଏହାକୁ ନେଇ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି।
‘ବିଜେପୁର ବିଜୟ ବିଜେପିର ନିଶ୍ଚିତ’, ଏହି ମନ୍ତବ୍ୟ ହେଉଛି ରାଜ୍ୟ ବିଜେପିର ପୋଷ୍ଟରବୟ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର। ଧର୍ମେନ୍ଦ୍ର ଏହି ଦୃଢ଼ୋକ୍ତି ପ୍ରକାଶ କରିବାର ୨୪ ଘଣ୍ଟା ନ ପୂରୁଣୁ ବିଜେପିରେ ବିଦ୍ରୋହର ବିଗୁଲ୍‌ ବାଜିଛି। ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ନେଇ ବିଜେପି ବିଜେପୁର ଦଖଲର ସ୍ୱପ୍ନ ଦେଖୁଥିବା ବେଳେ ବରଗଡ଼ ଜିଲ୍ଲା ସଭାପତିଙ୍କ ମନ୍ତବ୍ୟ ରାଜ୍ୟ ନେତୃବୃନ୍ଦଙ୍କୁ ଶକ୍ତ ଧକ୍କା ଦେଇଛି।
ବିଜେପି ଘରେ ଅଶୋକ ପାଣିଗ୍ରାହୀ ନପଶୁଣୁ ମୁଣ୍ଡରେ ଚାଳ ବାଜିଛି। ବିଜେପୁରକୁ ନେଇ ଅଶୋକ ଅଡ଼ୁଆରେ ପଡ଼ିଥିବା ବେଳେ ବିଜେପି ମଧ୍ୟ ବିଜେପୁରକୁ ନେଇ ଅଡ଼ୁଆରେ ପଡିଛି।
ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ କହିଛନ୍ତି,”ଆମେ ଅଶୋକ ପାଣିଗ୍ରାହୀଙ୍କ ବିଜେପିରେ ଯୋଗଦାନକୁ ସ୍ୱାଗତ କରୁଛୁ। ହେଲେ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଦେବକୁ ନାହିଁ। କାରଣ ଗତ ନିର୍ବାଚନରେ ସେ ଆମ ବିରୋଧରେ ଲଢ଼ିଥିଲେ। ସେ ଯେଉଁ ୧୯ ହଜାର ଭୋଟ ପାଇଥିଲେ ତାହା ବିଜେଡିର। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବିଜେପୁରରେ ୯୨ ହଜାର ଭୋଟ ପାଇଛି। ଏଣୁ ବିଜେପି ସଙ୍ଗଠନ ସହ ମୂଳରୁ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଟିକେଟ ଦିଆଯାଉ।”
ବରଗଡ଼ ଜିଲ୍ଲା ବିଜେପି ସଭାପତିଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ, ଦଳରେ ଅସନ୍ତୋଷ ଭରି ରହିଛି। ଯଦି ଅଶୋକ ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତାହାଲେ ଦଳ ବରଗଡ଼ରେ ବିଭାଜିତ ହୋଇଯିବାର ଆଶଙ୍କା ରହିଛି। ଫଳରେ ବିଜେପୁର ଏବେ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଅକ୍ଟୋବର ୨ରେ ଅଶୋକ ବିଜେପିରେ ଯୋଗଦେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଜେପି ଅଶୋକଙ୍କୁ ବିଜେପୁରରେ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। କାରଣ ଅନୁକମ୍ପା ଭୋଟ ପାଇବା ପାଇଁ ବିଜେଡି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ କଂଗ୍ରେସରୁ ଆଣି ପ୍ରାର୍ଥୀ କରିଛି। ରୀତାଙ୍କୁ ଚେକ୍‌ ଦେବା ପାଇଁ ବିଜେପି ଅଶୋକଙ୍କ ଉପରେ ନଜର ରଖିଥିଲା। ଏବେ ଅଶୋକଙ୍କ ପ୍ରାର୍ଥିତ୍ୱକୁ ନେଇ ଜିଲ୍ଲା ବିଜେପିରେ ବିଦ୍ରୋହର ବିଗୁଲ୍ ବାଜିବା ପରେ ବିଜେପି ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଛି।

 

 

Comment