ଓଡ଼ିଶାଲାଇଭ୍ ବ୍ୟୁରୋ

ପୂଜାମଣ୍ଡପରେ ରାଜନେତା ଓ ସେଲିବ୍ରିଟିଙ୍କ ଭିଡ଼। ମଣ୍ଡପରୁ ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କରିଛନ୍ତି ନେତା ଏବଂ କଳାକାର। ନେତା-ସେଲିବ୍ରିଟିଙ୍କୁ ପାଖରେ ପାଇ ଲୋକେ ସେମାନଙ୍କ ସହ ସେଲ୍‌ଫି ନେବାକୁ ଭୁଲି ନାହାନ୍ତି। ଆଉ ନେତା, ସେଲିବ୍ରିଟି ବି ସେଲ୍‌ଫି ପାଇଁ ପୋଜ୍‌ ଦେବାକୁ ପଛାଇ ନାହାନ୍ତି। ମହାନବମୀରେ ନେତା ଓ ସେଲିବ୍ରିଟିଙ୍କ ପୂଜା ବଜାର ବୁଲା ଏକ ନିଆରା ପରିବେଶ ସୃଷ୍ଟି କରିଛି।
କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଦୁଇ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ପୂଜାମଣ୍ଡପରେ ସେଲ୍‌ଫି ଉଠାଇ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ଜୁଏଲ ଓରାମ ଭୁବନେଶ୍ବର ନିଳାଦ୍ରୀବିହାର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ମେଲୋଡି ପାଇଁ ବନ୍ଧା ଯାଇଥିବା ମଞ୍ଚରେ ଚଢ଼ି ଉପସ୍ଥିତ ଦର୍ଶକଙ୍କୁ ଦୁର୍ଗା ପୂଜାର ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଭୁବନେଶ୍ବର ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟାଶାଣୀ, ବିଧାୟକ ପ୍ରିୟଦର୍ଶି ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପୂଜାମଣ୍ଡପ ବୁଲି ପୂଜାକୁ ଉପଭୋଗ କରିଛନ୍ତି। ସେମାନେ ମଧ୍ୟ ମା’ ଦଶଭୂଜାଙ୍କ ସହ ସେଲ୍‌ଫି ନେବାକୁ ପଛାଇ ନାହାନ୍ତି।
ସିଲଭର୍‌ସିଟି କଟକରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, କଂଗ୍ରେସ ନେତା ମହମ୍ମଦ ମୋକିମ୍, ସୁରେଶ ମହାପାତ୍ର ଏବଂ କେତେକ କର୍ପୋରେଟର ମଧ୍ୟ ମଣ୍ଡପରୁ ମଣ୍ଡପ ବୁଲି ପୂଜା ବଜାରକୁ ତାଜା କରିଛନ୍ତି। ସେମାନେ ବି ପୂଜାମଣ୍ଡପରେ ମା’ଙ୍କ ସହ ସେଲ୍‌ଫି ନେଇଛନ୍ତି। ଓଲିଉଡ୍‌ କଳାକାର ସ୍ନିଗ୍ଧା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସଙ୍କ ସମେତ କେତେକ ଟେଲି କଳାକାର ମଧ୍ୟ କଟକ ଓ ଭୁବନେଶ୍ବରର ପୂଜା ମଣ୍ଡପ ବୁଲି ସେଲ୍‌ଫି ନେଇଛନ୍ତି। ପ୍ରିୟ ନେତା ଓ କଳାକାରଙ୍କୁ ପାଖରେ ପାଇ ଲୋକେ ବି ମସଗୁଲ୍‌ ବିଭୋର ହୋଇଯାଇଛନ୍ତି।
 
 

Comment