ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନ ତଳେ ଜାତିସଂଘରେ ଭାଷଣ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଥିଲେ। ସେ କଥାକୁ ଏପର୍ଯ୍ୟନ୍ତ ହଜମ କରିପାରୁନି ପାକିସ୍ତାନ। ଭୋକ ବିକଳରେ ତାଟିଆ କାମୁଡ଼ିବା ପରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି କହିବାକୁ ପଛେଇ ନାହାନ୍ତି। ପାକିସ୍ତାନର ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ପାକ୍‍ ବୈଦେଶିକ ମନ୍ତ୍ରୀ ଖାୱାଜା ଆସିଫ୍‍ ସୁଷମାଙ୍କ କଥାର ଏଭଳି ଦାୟିତ୍ୱହୀନ ଜବାବ ଦେଇଛନ୍ତି।
ଜାତିସଂଘ ଭଳି ବିଶ୍ୱ ଦରବାରରେ ପାକିସ୍ତାନକୁ ‘ଟେରରିସ୍ତାନ’ ବା ଆତଙ୍କବାଦୀଙ୍କ ଦେଶ ବୋଲି ସୁଷମା ବର୍ଣ୍ଣନା କରିଥିଲେ| ହେଲେ ଏହାର କୌଣସି ଯୁକ୍ତିଯୁକ୍ତ ଉତ୍ତର ଦେବା ବଦଳରେ ପାକିସ୍ତାନ କେବଳ ଚର୍ଚ୍ଚାକୁ ଆସିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି ବର୍ଣ୍ଣନା କରିବାକୁ ପଛାଇନାହିଁ। ସାରା ଦୁନିଆ ଆଗରେ ପାକିସ୍ତାନର ମୁଖା ଖୋଲିଯିବା ପରେ ପାକିସ୍ତାନୀ ନେତାଙ୍କ ମଧ୍ୟରେ ହତାଶା ଓ ନିରାଶାର ଭାବ ପ୍ରତିଫଳିତ ହୋଇଛି।
ପାକିସ୍ତାନର ବିଦେଶ ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି, “ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଆତଙ୍କବାଦୀ।” ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିଛି। ଜାତିସଂଘରେ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ କଡ଼ା ସମାଲୋଚନାର ଜବାବରେ ଏପରି କହିଛନ୍ତି ପାକ୍ ବିଦେଶ ମନ୍ତ୍ରୀ।
ସୁଷମା କହିଥିଲେ, “ଆମେ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ତିଆରି କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀ ତିଆରି କରୁଛି ଏବଂ ପାକିସ୍ତାନ ହେଉଛି ବିଶ୍ୱର ପ୍ରମୁଖ ଆତଙ୍କ ରପ୍ତାନୀକାରୀ ଦେଶ।”
ପାକିସ୍ତାନର ଏକ ଘରୋଇ ଟେଲିଭିଜିନ ‘ଜିଓ ଟିଭି’ରେ ସାକ୍ଷାତକାର ଦେଇ ସୁଷମାଙ୍କ ସମାଲୋଚନାର ପ୍ରତିକ୍ରିୟା ରଖିଥିଲେ ଖାୱାଜା ଆସିଫ୍। ସେ କହିଥିଲେ, “ସୁଷମା ସ୍ୱରାଜ ଅଭିଯୋଗ କରୁଛନ୍ତି, ଆମେ ଆତଙ୍କବାଦ ରପ୍ତାନୀ କରୁଛୁ, ହେଲେ ତାଙ୍କ ଦେଶର ପ୍ରଧାନମନ୍ତ୍ରୀ ଜଣେ ଆତଙ୍କବାଦୀ। ଆତଙ୍କବାଦୀଙ୍କ ଦଳ ଭାରତକୁ ଶାସନ କରୁଛି।”
ଗତ ସପ୍ତାହରେ ପାକ୍ ବିଦେଶ ମନ୍ତ୍ରୀ ଖାୱାଜା ଆସିଫ୍ ସ୍ୱୀକାର କରିଥିଲେ ଯେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟେଦ ପାକିସ୍ତାନ ପାଇଁ ଏକ ବୋଝ ସଦୃଶ୍ୟ। ଆମେରିକାରେ ଏସିଆନ୍ ସୋସାଇଟିକୁ ଉଦବୋଧନ ଦେଇ ଆସିଫ୍ କହିଥିଲେ, “ହାଫିଜ୍ ସୟେଦ ଏବଂ ଲସ୍କର ଇ ତୋଇବା ଭଳି ସଂଗଠନ ଏବେ ଦେଶ ପାଇଁ ବୋଝ ହୋଇ ଯାଇଛନ୍ତି। ସେମାନେ ଏପରି ବୋଝ ଯେ ତାକୁ ମୁକାବିଲା କରିବା ପାଇଁ ଆମ ପାଖରେ ସାମର୍ଥ୍ୟ ନାହିଁ।”
ତେବେ ଏହି ସବୁ ଆତଙ୍କବାଦୀ ସଂଗଠନ ଆମେରିକା ସୃଷ୍ଟି କରିଥିବା କହିଥିଲେ ପାକିସ୍ତାନ ବିଦେଶ ମନ୍ତ୍ରୀ। ୨୦ ବର୍ଷ ତଳେ ଲସ୍କର ଭଳି ସଂଗଠନକୁ ଆମେରିକା ଗେହ୍ଲା ପୁଅ କରିଥିଲା ବୋଲି ଆକ୍ଷେପ କରିଥିଲେ ପାକ୍ ବିଦେଶ ମନ୍ତ୍ରୀ।
ଗୋଟିଏ ସପ୍ତାହ ତଳେ ଆତଙ୍କବାଦୀ ସଂଗଠନ ଉପରେ ବର୍ଷୁଥିବା ଆସିଫ୍ ହଠାତ କାହିଁକି ୟୁ-ଟର୍ଣ୍ଣ ନେଲେ, ଏ ନେଇ ଚର୍ଚ୍ଚା ହେଉଛି।
ତେବେ ପାକ୍ ବିଦେଶ ମନ୍ତ୍ରୀଙ୍କର ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରିବା ଏବଂ ବ୍ୟକ୍ତିଗତ ଆକ୍ଷେପ କରିବା ଭଳି ବୟାନ, ଆଗକୁ ଦୁଇ ଦେଶର ସଂପର୍କକୁ ଆହୁରି ତିକ୍ତ କରିବା ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here