ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଯାତ୍ରୀମାନେ ଏବେ ପ୍ରସ୍ତୁତ ହୋଇଯାଆନ୍ତୁ। ବିମାନ ଉଡାଣ କମ୍ପାନିମାନେ ଯାତ୍ରୀ ଭଡ଼ାରେ ଅତିକମରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇଁ ଚିନ୍ତା କରିଛନ୍ତି। ଗତ ଅଗଷ୍ଟ ମାସ ପରଠାରୁ ବିମାନ ଇନ୍ଧନରେ କ୍ରମାଗତ ଦର ବୃଦ୍ଧି ପାଉଥିବା ବେଳେ ଭଡ଼ା ବୃଦ୍ଧି କରିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି କହିଛନ୍ତି ବିମାନ କମ୍ପାନି। ରବିବାର ଦିନ ତୈଳ ବିକ୍ରି କରୁଥିବା କମ୍ପାନିମାନଙ୍କ ପକ୍ଷରୁ ଏଭିଏସନ ଫୁଏଲରେ ୬ ପ୍ରତିଶତ ବୃଦ୍ଧି କରାଯାଇଛି। ବିମାନ ଇନ୍ଧନ ଦାମ ଲଗାତାର ବୃଦ୍ଧି ପାଉଛି ଏଥିପାଇଁ ଯେ ଆନ୍ତର୍ଜାତିକ ସ୍ତରରେ ଡଲାର ତୁଳନାରେ ଟଙ୍କା ବରାବର ଶସ୍ତା ହେବାରେ ଲାଗିଛି।

ବିମାନ ଇନ୍ଧନ ମୂଲ୍ୟରେ ନିକଟରେ ଯେଉଁ ବୃଦ୍ଧି ହେଲା ତା’ ଫଳରେ ଇନ୍ଧନ ଦାମ ଲିଟର ପିଛା ୩୦୨୫ ଟଙ୍କା ବଢ଼ିଛି। ଗତ ୩ ମାସ ମଧ୍ୟରେ ଏଭିଏସନ ଫୁଏଲ କ୍ଷେତ୍ରରେ ୪ ଥର ବୃଦ୍ଧି ଘଟିଛି ବୋଲି କହିଛନ୍ତି ବିମାନ ସେବା ଉପଲବ୍ଧ କରାଉଥିବା କମ୍ପାନି।

ବିମାନ ସେବା ଯୋଗାଇ ଦେଉଥିବା ବଡ଼ ବଡ଼ କମ୍ପାନିମାନେ ଏବେ ଅବଶ୍ୟ ମୁହଁ ଖୋଲୁନାହାନ୍ତି, କିନ୍ତୁ ବିମାନ ଭଡ଼ା ନ ବଢ଼େଇ ସେମାନେ ରହିପାରିବେ ନାହିଁ। ଯଦି ବିମାନ ଭଡ଼ା ନ ବଢେ ଏୟାର ଲାଇନ୍‌ସଗୁଡ଼ିକର କିଙ୍ଗଫିସର୍ ଭଳି ଅବସ୍ଥା ହେବ ବୋଲି କହିଛନ୍ତି ଜଣେ ଅଧିକାରୀ। ବିମାନ ଉଡାଣ ଖର୍ଚ୍ଚ ବଢୁଥିବା ବେଳେ ଯାତ୍ରୀମାନେ ଏହାର ବୋଝ ନ ବୋହିଲେ ଏହା ଏକ ପ୍ରକାର ଅସନ୍ତୁଳ ନ ସୃଷ୍ଟି କରିବ ବୋଲି କହିଛନ୍ତି ଆଉ ଜଣେ ଅଧିକାରୀ।

ବିମାନ ଭଡ଼ା ବୃଦ୍ଧି ପାଇବା ପଛରେ ଅନ୍ୟ ଏକ କାରଣ ହେଉଛି ଗତ ଅଗଷ୍ଟ ମାସଠାରୁ ରିଜିଓନାଲ କନେକ୍ଟିଭିଟି ନାମରେ ସରକାରଙ୍କ ପକ୍ଷରୁ  ପ୍ରତି ଫ୍ଲାଇଟ ପିଛା ଅଧିକ ୫ ହଜାର ଟଙ୍କା ଶୁଳ୍କ ନିଆଯାଉଛି। କିଛି ବିମାନ କମ୍ପାନି ଏହି ଅତିରିକ୍ତ ବୋଝକୁ ଯାତ୍ରୀମାନଙ୍କ ଉପରେ ଲଦି ସାରିଲେଣି। ଏଣୁ ଆଗାମୀ ଦିନରେ ବିମାନ ସେବା ଅଧିକ ମହଙ୍ଗା ହେବା ସୁନିଶ୍ଚିତ।

Comment