ଓଡ଼ିଶାଲାଇଭ୍ ବ୍ୟୁରୋ

ହାତଯୋଡ଼ି କାନ୍ଦି ପକାଇଲେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଞ୍ଚକୁଳା କୋର୍ଟ ପରିସରରେ। ଦେଶଦ୍ରୋହ ଏବଂ ହିଂସାକାଣ୍ଡକୁ ଉସ୍‌କାଇବା ଅଭିଯୋଗରେ ଗିରଫ ହନିପ୍ରୀତଙ୍କୁ ହରିୟାଣା ପୋଲିସ ବୁଧବାର ପଞ୍ଚକୁଳା କୋର୍ଟରେ ହାଜର କରିବା ପରେ ହନିପ୍ରୀତଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ଫଳରେ ସେ କୋହ ସମ୍ଭାଳି ନପାରି କୋର୍ଟରେ ହାତଯୋଡ଼ି କାନ୍ଦି ପକାଇଥିଲେ।
ହରିୟାଣା ପୋଲିସ ଅଧିକ ପଚରା ଉଚରା କରିବା ପାଇଁ ହନିପ୍ରୀତଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଚାହିଁଥିଲା। ହେଲେ କୋର୍ଟ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ରିମାଣ୍ଡ ଆବେଦନ ଶୁଣାଣି ଚାଲିଥିବା ବେଳେ ହନିପ୍ରୀତ କୋର୍ଟରେ ଦୁଇ ହାତ ଯୋଡି କାନ୍ଦୁଥିବା ଦେଖିବାକୁ ମିଳିଛି।
ପଞ୍ଚକୁଳା ସେକ୍ଟର-୨୩ର ଚଣ୍ଡିମଣ୍ଡି ଥାନାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହନିପ୍ରୀତଙ୍କୁ କୋର୍ଟକୁ ନିଆଯାଇଥିଲା। ଥାନାରୁ କୋର୍ଟ ଯିବା ପାଇଁ ମାତ୍ର ୭ ମିନିଟ ସମୟ ଲାଗୁଥିଲେ ମଧ୍ୟ ପଞ୍ଚକୁଳା ସହରରେ ପୋଲିସ ଛାଉଣି କରାଯାଇଥିଲା।
ଅଗଷ୍ଟ ୨୫ରେ ଗୁରୁମିତ୍‌ ରାମରହିମଙ୍କ ଦଣ୍ଡାଦେଶ ଶୁଣାଯିବା ପରେ ପଞ୍ଚକୁଳାରେ ଦଙ୍ଗା ଦେଖାଦେଇଥିଲା। ଏହି ଦଙ୍ଗାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରାମରହିମଙ୍କ ଧରମ ଝିଅ ‘ହନିପ୍ରୀତ’ ଏହି ଦଙ୍ଗାକୁ ଉସ୍‌କାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଫଳରେ ହନିପ୍ରୀତଙ୍କ ସମେତ ୪୨ ଜଣ ପୋଲିସର ମୋଷ୍ଟ-ୱାଣ୍ଟେଡ ତାଲିକାରେ ରହିଥିଲେ। ସେହିଦିନଠାରୁ ହନିପ୍ରୀତ ଫେରାର ହୋଇଯାଇଥିଲେ।

LEAVE A REPLY

Please enter your comment!
Please enter your name here