ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପନିର୍ବାଚନକୁ ବିଜେଡି ଏବଂ ବିଜେପି ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ଏହି ଉପ-ନିର୍ବାଚନରେ ବିଜୟୀ ହେବା ପାଇଁ ଏବେଠୁ ଉଭୟ ଦଳ ବଳ କଷିବା ଆରମ୍ଭ କରିଛନ୍ତି। ଏଥିପାଇଁ ଅସନ୍ତୁଷ୍ଟ ନେତାଙ୍କୁ ଉଭୟ ଦଳର ନେତା ମନାଉଛନ୍ତି। ବିଜେପି ମଙ୍ଗଳବାର ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କୁ ମନାଇଥିବା ବେଳେ ବିଜେଡି ବୁଧବାର ପୂର୍ବତନ ଜିଲ୍ଲା ସଭାପତି ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ମାନଭଞ୍ଜନ କରିଛି।
ବିଜେପୁର ଉପ-ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିଜେପୁର ଦଖଲ ଏବେ ବିଜେପି-ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି। ୨୦୧୯ ପୂର୍ବରୁ ବିଜେପୁର ଉପ-ନିର୍ବାଚନ ସେମିଫାଇନାଲ ବୋଲି ବିବେଚନା କରାଯାଉଥିବାରୁ ଉଭୟ ଦଳ ଏହାକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି-ବିଜେଡି ଛକାପଞ୍ଝା ରାଜନୀତିରେ ବ୍ୟସ୍ତ ରହୁଛନ୍ତି।
ଏହି ଛକାପଞ୍ଝା ଭିତରେ ଉଭୟ ଦଳଙ୍କୁ ଅସନ୍ତୁଷ୍ଟ ନେତା ଅଡୁଆ ସାଜିଥିଲେ। ବିଜେଡିକୁ ପୂର୍ବତନ ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ଚିନ୍ତା ଘାରିଥିବା ବେଳେ ବିଜେପିକୁ ଜିଲ୍ଲା ବିଜେପି ସଭାପତିଙ୍କ ଚିନ୍ତା ଖାଇଥିଲା। ଏବେ ଉଭୟ ଦଳ ଏହି ଦୁଇ ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ କରିଛନ୍ତି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବରଗଡ଼ ବିଜେଡିରେ ବିଦ୍ରୋହ ଆରମ୍ଭ ହୋଇଥିଲା। ଏହି ବିଦ୍ରୋହର ବିଗୁଲ ଫୁଙ୍କିଥିଲେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବଂ ପ୍ରଭାତ ଆଦିତ୍ୟ ମିଶ୍ର। ଉଭୟ ଗଣମାଧ୍ୟମରେ ଖୋଲିଖୋଲି ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଅଶୋକ ଏନେଇ ନବୀନଙ୍କୁ ଖୋଲା ଚିଠି ଲେଖି ବିଜେପିରେ ସାମିଲ ହୋଇଛନ୍ତି। ହେଲେ ପ୍ରଭାତ କୌଣସି ଦଳକୁ ନଯାଇ ଅସନ୍ତୋଷ ରଖିଥିଲେ।
ପ୍ରାର୍ଥୀ ଘୋଷଣା ନେଇ ଆମ ସହ କୌଣସି ଆଲୋଚନା କରାଯାଇ ନାହିଁ ବୋଲି ପ୍ରଭାତ ଗରମାଧ୍ୟମରେ କହି ଅସନ୍ତୋଷ ଜାହିର କରିଥିଲେ। ଖାଲି ସେତିକି ନୁହେଁ, ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଛାମୁଆ ବିଜେଡି ନେତାଙ୍କୁ ନେଇ ପ୍ରଭାତ ରୁଦ୍ଧଦ୍ୱାର ବୈଠକ କରିଥିଲେ।
ଏହି ଅସନ୍ତୁଷ୍ଟ ନେତା ପ୍ରଭାତଙ୍କୁ ମନାଇବାରେ ସଫଳ ହୋଇଛି ବିଜେଡି। ନବୀନ ନିବାସରେ ବରଗଡ଼ ଜିଲ୍ଲାର ନେତାଙ୍କ ଉପସ୍ଥିତିରେ ପ୍ରଭାତଙ୍କୁ ମନାଯାଇଛି। ଶେଷରେ ରୀତା ସାହୁଙ୍କ ପ୍ରାର୍ଥିତ୍ୱକୁ ଗ୍ରହଣ କରିଛନ୍ତି ପ୍ରଭାତ।
ସେହିପରି ଅଶୋକ ପାଣିଗ୍ରାହୀଙ୍କୁ ବିରୋଧ କରି ଅସନ୍ତୋଷ ଜାହିର କରିଥିଲେ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ବରପାଲ୍ଲିରେ ଅନୁଷ୍ଠିତ ସମାବେଶରୁ ନିଜକୁ ଦୂରେଇ ରଖିବା ସହ ଜିଲ୍ଲା ସଭାପତି ଦାୟିତ୍ୱକୁ ମୁକ୍ତ କରିବାକୁ ସେ ରାଜ୍ୟ ସଭାପତିଙ୍କୁ କହିଥିଲେ। କିନ୍ତୁ ତାଙ୍କୁ ମନାଇବା ପାଇଁ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ମଙ୍ଗଳବାର ବସିଥିଲା ବୈଠକ। ବୈଠକ ପରେ ନାରାୟଣ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ବିଜେପିରେ ଅଛନ୍ତି ବୋଲି ସ୍ୱୀକାର କରିଛନ୍ତି। ଦଳ ଯାହାକୁ ପ୍ରାର୍ଥୀ କରିବ ତାକୁ ସେ ସମର୍ଥନ କରିବେ ବୋଲି ଖୋଲା ମନରେ କହିଛନ୍ତି।
ବିଜେପି-ବିଜେଡିର ଏହି ମାନଭଞ୍ଜନ ରାଜନୀତି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପୁରକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ଏହି ନିର୍ବାଚନରେ କିଏ ବାଜିମାତ କରୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comment