ଓଡ଼ିଶାଲାଇଭ୍ ବ୍ୟୁରୋ

ନାରୀ ସୁରକ୍ଷା ପାଇଁ ସମସ୍ତେ ଚିତ୍କାର କରୁଛନ୍ତି। ହେଲେ ଏଥିପାଇଁ କେହି ଆଗକୁ ଆସୁ ନାହାନ୍ତି। ସରକାରୀ ସ୍ତରରେ ନାରୀ ସୁରକ୍ଷା ପାଇଁ ଆଇନ୍ ହୋଇଥିଲେ ମଧ୍ୟ ସେଥିରୁ କିଛି ସୁଫଳ ମିଳୁନି। ମାତ୍ର ରାଜସ୍ଥାନ କୋଟପୁତ୍ଲିର ଡାକ୍ତର ଆର ପି ଯାଦବ ନାରୀ ସୁରକ୍ଷା ପାଇଁ ଏମିତି କିଛି କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଜିପିଏଫ୍‌ରୁ ୧୯ ଲକ୍ଷ ଟଙ୍କା ଉଠାଇ ଡାକ୍ତର ଯାଦବ ଛାତ୍ରୀମାନଙ୍କ ପାଇଁ ବସ୍‌ କିଣିଛନ୍ତି।

ମହିଳାମାନଙ୍କ ସୁରକ୍ଷା ପାଇଁ ଆଜି ଦେଶରେ ସମସ୍ତେ ଚିନ୍ତିତ। ଏହି ପ୍ରସଙ୍ଗକୁ ନେଇ କେତେ ଯେ ଆଲୋଚନା,ଚର୍ଚ୍ଚା ଓ ବିତର୍କ ହେଉଛି ତାର ହିସାବ ନାହିଁ। ଅଧିକାଂଶ ଲୋକ ଏହି ମାମଲାରେ ପାଟି ଖୋଲୁଛନ୍ତି ସତ,ହେଲେ କିଛିଦିନ ପରେ ସବୁ ଭୁଲିଯାଉଛନ୍ତି। କିନ୍ତୁ ଦେଶରେ ଏଭଳି କିଛି ଭଲ ମଣିଷ ଅଛନ୍ତି ଯେଉଁମାନଙ୍କ ଚିନ୍ତାରେ ଓ କାର୍ଯ୍ୟରେ ସମନ୍ୱୟ ଥାଏ ଏବଂ ଯାହା ଭାବନ୍ତି  ତାକୁ କାର୍ଯ୍ୟରେ ପ୍ରୟୋଗ କରନ୍ତି।

ନାରୀ ସୁରକ୍ଷା ପାଇଁ ପ୍ରକୃତରେ କିଛି କରି ଦେଖାଇବା ଭଳି ଜଣେ ମଣିଷ ହେଉଛନ୍ତି ଡାକ୍ତର ଆର ପି ଯାଦବ। ଏହି ଭଦ୍ର ବ୍ୟକ୍ତି ଜଣକ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ସ୍ଥାନୀୟ ଅଞ୍ଚଳର ଝିଅଙ୍କ ସୁରକ୍ଷା ବ୍ୟବସ୍ଥା କରିଛନ୍ତି।ଡାକ୍ତର ଯାଦବ ତାଙ୍କ ଚାକିରୀ ଜୀବନର ସମସ୍ତ ସଞ୍ଚୟକୁ ଝିଅ ମାନଙ୍କ ଗମନା ଗମନ  ଓ ସୁରକ୍ଷା  ପାଇଁ ଲଗାଇ ଦେଇଛନ୍ତି।

ରାଜସ୍ଥାନ କୋଟପୁତ୍ଲିରେ ରହୁଥିବା୬୧ ବର୍ଷୀୟ ଡାକ୍ତର ଯାଦବ ସ୍ଥାନୀୟ ଏକ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି। ଡାକ୍ତର ଯାଦବ ଦିନେ ଅନୁଭବ କଲେ ଯେ, ଆଖ ପାଖ ଗାଁ ର ଝିଅମାନେ ସ୍କୁଲ ଓ କଲେଜ ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୁଡ଼ାଏ ବାଟ ଚାଲି ଚାଲି ଯିବା ବ୍ୟତୀତ ଅସମାଜିକ ଲୋକଙ୍କ ଦୃଷ୍ଟିର ଶିକାର ହେଉଛନ୍ତି। ବିଶେଷକରି ବର୍ଷା ଦିନେ ଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ତାଙ୍କ ଅନୁଭବକୁ ଆସିଲା।
ଏସବୁ କଥା ଭାବି ଡାକ୍ତର ଯାଦବ ନିଜ ଭବିଷ୍ୟ ନିଧି ପାଣ୍ଠିରୁ ୧୯ ଲକ୍ଷ ଟଙ୍କା ଉଠାଇ ଏକ ବସ୍‌ କିଣି ଛାତ୍ରୀମାନଙ୍କ ପାଇଁ ଲୋକାର୍ପଣ କରିଛନ୍ତି।

ଏହି ସମ୍ପର୍କରେ ଡାକ୍ତର ଯାଦବ କହନ୍ତି,’୨୦୧୬ର କଥା। ମୁଁ ଓ ପତ୍ନୀ କାରରେ ଆମ ଗାଁକୁ ଆସୁଥାଉ। ରାସ୍ତାରେ ଦେଖିଲୁ୫ ଜଣ ଝିଅ ବର୍ଷାରେ ଭିଜି ସ୍କୁଲରୁ  ଘରକୁ ଫେରୁଛନ୍ତି। ଆମେ ଦୁହେଁ ସେଇ ଝିଅ ମାନଙ୍କୁ ଲିଫ୍ଟ ଦେଲୁ। ରାସ୍ତାରେ ଗଲା ବେଳେ ସେମାନେ କହିଲେ ସରକାରୀ ବସ ନଥିବା ଯୋଗୁଁ ପ୍ରାୟ ସମୟ ଆମେ ଚାଲି ଚାଲି ସ୍କୁଲ କଲେଜ ଯାଉ ଓ ଅଧିକାଂଶ ସମୟରେ ଯୁବକମାନଙ୍କ ଯୌନ ନିର୍ଯାତନା ଶିକାର ହେଉ।’

ଡାକ୍ତର ଯାଦବ ଆହୁରି ମଧ୍ୟ କହନ୍ତି,’ପିଲାମାନଙ୍କୁ ନିଜ ନିଜ ଘରେ ଛାଡିବା ପରେ ମୁଁ ଓ ମୋ ସ୍ତ୍ରୀ କଥାବାର୍ତ୍ତା ହେଲୁ। ଉଭୟେ ନିଷ୍ପତ୍ତି ନେଲୁ ଯେ, ଜିପିଏଫ ପଇସାରୁ ୫୨ ସିଟ୍ ଥିବା ବସ ଟିଏ କିଣିବୁ ଓ ସ୍ଵାଧୀନତା ଦିବସ ଅବସରରେ ତାହାକୁ ସମର୍ପଣ କରାଯିବ।’

ଡାକ୍ତର ଯାଦବଙ୍କ ଏହି ନିଷ୍ପତ୍ତିକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସମର୍ଥନ ଜଣାଇଥିଲେ ଓ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ସ୍ଵାଧୀନତା ଦିବସ ପାଳନ ଅବସରରେ ବସଟି ଲୋକାର୍ପଣ ହୋଇଛି। ସ୍ଥାନୀୟ ଆର ଟି ଓ ଘୋଷଣା କଲେ ଯେ, ସେହି ବସର ରୋଡ଼ ଟ୍ୟାକ୍ସ ନିଆଯିବ ନାହିଁ। ଏ ସମ୍ପର୍କରେ ସରକାରଙ୍କ ନିକଟକୁ ସ୍ବତନ୍ତ୍ର ପ୍ରସ୍ତାବ ପଠାଗଲା ଏବଂ ଶେଷରେ ତାହା ହିଁ ହେଲା।

କୋଟପୁତ୍ଲିର  ଛାତ୍ରୀମାନେ ବର୍ତ୍ତମାନ ବିନା ଭୟରେ ସ୍କୁଲ କଲେଜ ଯିବା ଆସିବା କରିପାରୁଛନ୍ତି।

 

LEAVE A REPLY

Please enter your comment!
Please enter your name here