ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଇଜାଗର ଏକ ହସ୍ପିଟାଲରେ ଜଣେ ଶ୍ରୀଲଙ୍କା ନାଗରିକଙ୍କ ପେଟରୁ ୧୪ଟି ସୁନା ବିସ୍କୁଟ ବାହାର କରାଯାଇଛି। ସୂଚନା ଅନୁସାରେ ପ୍ରତି ବିସ୍କୁଟର ଓଜନ ଶହେ ଗ୍ରାମରୁ ଅଧିକ ହେବ, ଯାହାର ଆନୁମାନିକ ମୂଲ୍ୟ ୪୦ରୁ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।
ଗତ ରବିବାର ଦିନ କଷ୍ଟମ ଅଧିକାରୀମାନେ ଭାଇଜାଗ ଏୟାରପୋର୍ଟରେ ଜଣେ ଶ୍ରୀଲଙ୍କା ନାଗରିକକୁ ସନ୍ଦେହ କରି ଅଟକ ରଖିଥିଲେ। ପ୍ରଥମେ ତା’ର ମଳକୋଷରେ ଦୁଇଟି ବିସ୍କୁଟ ଥିବା ଜଣାପଡିଥିଲା। ପରେ ୧୪ଟି ବିସ୍କୁଟ ତା’ ପେଟରୁ ବାହାରିଥିଲା।
ଏହି ସ୍ମଗଲର ଜଣକ ଶ୍ରୀଲଙ୍କା ଏୟାରପୋର୍ଟରୁ ଫ୍ଲାଇଟରେ ଆସି ଭାଇଜାଗ ପହଁଚିଥିଲେ। ତେବେ ବିମାନର ଓହ୍ଲାଇ ଚାଲିବା ବେଳେ ଅସ୍ତବ୍ୟସ୍ତ ହେଉଥିବା ଜଣାପଡିଥିଲା। ଗ୍ରୀନ କଷ୍ଟମ ଚ୍ୟାନେଲ (ଯେଉଁ ଯାତ୍ରୀଙ୍କ ନିକଟରେ କିଛି ବ୍ୟାଗ ନଥିବ) ଦେଇ ଶୀଘ୍ର ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ କଷ୍ଟମ ଅଧିକାରୀଙ୍କ ସନ୍ଦେହ ଦୃଷ୍ଟିରେ ପଡିଥିଲେ। ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସତ ସାମନାକୁ ଆସିଥିଲା।
ଯାତ୍ରୀଜଣକ ସୁନା ବିସ୍କୁଟ ଗିଳିଥିବା ସ୍ୱୀକାର କରିଥିଲେ। କାଳେ ବିସ୍କୁଟଗୁଡିକ ପେଟରେ ହଜମ ପ୍ରକ୍ରିୟାରେ ନଷ୍ଟ ହୋଇଯିବ, ସେଥିପାଇଁ ପଲିଥିନରେ ଭଲ ଭାବେ ଗୁଡାଇ ସେଗୁଡିକ ଗିଳି ଦେଇଥିବା ସ୍ମଗଲର ଜଣକ କହିଥିଲେ।
ପ୍ରଥମେ କଷ୍ଟମ ଅଧିକାରୀମାନେ ସନ୍ଦେହ କରିଥିଲେ ଯେ ସେ କୋକେନ ଭଳି ଡ୍ରଗ୍ସ ପେଟ ଭିତରେ ଲୁଚାଇ ରଖିଛନ୍ତି। ତେବେ ପରେ ତାହା ସୁନା ବୋଲି ଜଣାପଡିଥିଲା।
କଷ୍ଟମ ଅଧିକାରୀମାନେ ତାଙ୍କ କଡ଼ା ସୁରକ୍ଷା ମଧ୍ୟରେ ଭାଇଜାଗର କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଏକ୍ସ-ରେ କରାଯାଇଥିଲା। ପାକସ୍ଥଳୀ ଭିତରେ ୧୪ଟି ବିସ୍କୁଟ ଥିବା ଜଣାପଡିଥିଲା। ସବୁ ବିସ୍କୁଟକୁ ମଳଦ୍ୱାର ବାଟେ ବାହାର କରାଯାଇଥିଲେ। ଏଥିପାଇଁ ଦୁଇ ଦିନ ସମୟ ଲାଗିଥିଲା। କିଙ୍ଗ ଜର୍ଜ ହସ୍ପିଟାଲର ଡାକ୍ତର କହିଛନ୍ତି, ପ୍ରାକୃତିକ ଉପାୟରେ ସେଗୁଡିକ କଢ଼ାଯାଇଥିବାରୁ ବିସ୍କୁଟ କାଢ଼ିବାକୁ ଅପରେସନ କରିବାକୁ ପଡିନଥିଲା।

1 COMMENT

LEAVE A REPLY

Please enter your comment!
Please enter your name here