ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ କିଛି ନା କିଛି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥାଏ। ବିଗତ ଦିନରେ ଧାରଣାରତ ଶିକ୍ଷକମାନେ ଚପଲ ପଲିସିଠାରୁ ଆରମ୍ଭ କରି ମାଣବସା ଏବଂ ଗଣେଶ ପୂଜା କରିବା ପରେ ଆଜି ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀମାନେ କୁମାରପୂର୍ଣ୍ଣିମା ପାଳନ କରିଛନ୍ତି। ଧାରଣାରେ ବସିଥିବା କୁମାରୀ ଅଙ୍ଗନୱାଡି କର୍ମୀମାନେ ଗୁରୁବାର ସକାଳୁ ଆଞ୍ଜୁଳି ଟେକି ରାଜଧାନୀ ରାଜରାସ୍ତାରେ ପୂଜାର୍ଚ୍ଚନା କରିଛନ୍ତି।
ଦିନେ କି ଦୁଇଦିନ ନୁହେଁ। ୨୪ ଦିନ ହେଲା ରାଜ୍ୟର ୭୨ ହଜାର ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଛି। ୧ ଲକ୍ଷ ୩୮ ହଜାର କର୍ମୀ ଓ ସହାୟିକା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମାସକୁ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ଦାବିରେ କର୍ମୀମାନେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ଆନ୍ଦୋଳନକୁ ୨୪ ଦିନ ପୂରିଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି।
ଖରା, ବର୍ଷାରେ ଅଙ୍ଗନୱାଡି କର୍ମୀମାନେ ଗାନ୍ଧି ମାର୍ଗର ରାଜରାସ୍ତାରେ ପଡ଼ିରହିଛନ୍ତି। ସରକାର ସେମାନଙ୍କ ଦାବି ଶୁଣୁ ନଥିବାରୁ ଆନ୍ଦୋଳନ ଜୋରଦାର ହେଉଛି।
ଅଙ୍ଗନୱାଡି କର୍ମୀମାନେ ଗାଁ ଗହଳିରେ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ କାମରେ ନିୟୋଜିତ ହୋଇଥା’ନ୍ତି। ପିଲାଙ୍କୁ ପାଠ ପଢ଼ାଇବା ସହ ପୁଷ୍ଟିକର ଖାଦ୍ୟ ପରଶିଥା’ନ୍ତି। ସବୁଠୁ ବଡ଼ କଥା ହେଉଛି, ଏମାନେ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ମହିଳାମାନଙ୍କୁ ସଚେତନ କରିଥାନ୍ତି। ଆଶାକର୍ମୀଙ୍କ ସହ ସାମିଲ ହୋଇ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇଥା’ନ୍ତି। ଶିଶୁ ଓ ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ କିପରି ମିଳିବ ସେ ଦିଗରେ ମଧ୍ୟ ଏମାନେ କାମ କରିଥ”ନ୍ତି। ହେଲେ ସରକାର ଏମାନଙ୍କ ପ୍ରତି ଉଦାସୀନ ମନୋଭାବ ଦେଖାଇ ଆସୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ଅଙ୍ଗନୱାଡି କର୍ମୀଙ୍କ ଦାବି ପୂରଣ କରୁ ନଥିବାରୁ ଏମାନେ ୨୪ ଦିନ ହେଲା ଭୁବନେଶ୍ୱର ରାଜରାସ୍ତାରେ ଲଢ଼େଇ କରୁଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସଂଘ ସ୍ପଷ୍ଟ କରିଛି।
 

LEAVE A REPLY

Please enter your comment!
Please enter your name here