ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବ। ଇଭିଏମ୍‌ ଟାମ୍ପରିଂ ଅଭିଯୋଗରେ ପୂର୍ଣ୍ଣଛେଦ ପଡ଼ିବ। ଏଥିପାଇଁ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି ପୂର୍ଣ୍ଣ ପ୍ରସ୍ତୁତି। ଭୋଟିଂ ବେଳେ ଇଭିଏମ୍‌ ସହ ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ମେସିନ୍ ବ୍ୟବହାର କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଡି.ଏନ୍.ଗୁପ୍ତା ସୂଚନା ଦେଇଛନ୍ତି।
ଏହି ମେସିନ୍ ପ୍ରଥମ ଥର ପାଇଁ ବିଜେପୁର ଉପ ନିର୍ବାଚନରେ ବ୍ୟବହାର କରାଯିବ।  ଇଭିଏମ୍‌ ଟାମ୍ପରିଂ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଭୋଟର କାହାକୁ ଭୋଟ ଦେଇଛନ୍ତି ତାହା ଏହି ପେପର ଟ୍ରେଲ୍‌ରୁ ଜଣାପଡ଼ିଯିବ। ବିଜେପୁରର ୨୭୦ଟି ବୁଥରେ ୨୭୦ଟି ଇଭିଏମ୍‌ ସହ ସମାନ ସଂଖ୍ୟକ ଭିଭିପାଟ୍ ମେସିନ୍‌ ଲାଗିବ।
ଡକ୍ଟର ଡି.ଏନ୍.ଗୁପ୍ତା କହିଛନ୍ତି, “ମତଦାନ ବେଳେ ଯଦି କିଛି ଅନିୟମିତତା ଅଭିଯୋଗ ଆସେ ତାହାଲେ ଭିଭିପାଟ୍ ମେସିନରେ ପଡ଼ିଥିବା ସ୍ଲିପ୍‌କୁ ତର୍ଜମା କରାଯିବ। ଏହି ମେସିନ୍‌ରେ ଅଧିକ ଦିନ ପର୍ଯ୍ୟନ୍ତ ଡାଟା ସଂରକ୍ଷିତ ହୋଇ ରହିପାରିବ।”
ଇଭିଏମ୍‌ ଟାମ୍ପରିଂ ନେଇ ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଭିଭିପାଟ୍ ସପକ୍ଷରେ ରାୟ ଦେଇଥିଲେ। ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ମେସିନ୍‌ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୮ ସେପ୍ଟେମ୍ବର ସୁଦ୍ଧା ୪୦ ଲକ୍ଷ ଭିଭିପାଟ୍ ମେସିନ୍ ନିର୍ବାଚନ କମିଶନଙ୍କ ହସ୍ତଗତ ହେବ ବୋଲି ଓ ପି ରାଓ୍ବତ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here