ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୪ ନିର୍ବାଚନରେ ଦେଶବାସୀଙ୍କୁ ‘ଆଚ୍ଛେ ଦିନ୍‌’ର ସ୍ଲୋଗାନ୍ ଦେଇ ବିଜେପି କ୍ଷମତାକୁ ଆସିଥିଲା। ହେଲେ ଶାସନର ୩ ବର୍ଷ ପରେ ଲୋକେ ‘ଆଚ୍ଛେ ଦିନ୍‌’ କ’ଣ ଜାଣି ପାରିଲେ ନାହିଁ। ମିଠା କଥା କହି ଶାସନ କରୁଥିବା କେନ୍ଦ୍ର ସରକାର ଏବେ ଲୋକଙ୍କୁ ‘ବୁରେ ଦିନ୍‌’ର ସ୍ୱାଦ ଚଖାଉଛନ୍ତି ବୋଲି ‘ଓଡ଼ିଶା ଲାଇଭ୍‌’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ବିଜେଡି ପଦଯାତ୍ରାର ମୂଳ ଆଭିମୁଖ୍ୟ କ’ଣ?
ବିଜେଡି ପ୍ରଥମ ଥର ପାଇଁ ପଦଯାତ୍ରା କରୁନି। ଦୀର୍ଘ ବର୍ଷ ଧରି ଆମ ଦଳ ପ୍ରତିବର୍ଷ ଅକ୍ଟୋବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜନ କରୁଛି। ୧୭ ବର୍ଷ ହେଲା ବିଜେଡି ଉପରେ ଓଡ଼ିଶାବସୀ ଆସ୍ଥା ପ୍ରକଟ କରି ଆସିଛନ୍ତି। ଆଉ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଛନ୍ତି। ଲୋକେ ଭାବନ୍ତି ଭୋଟ ପାଇଯିବା ପରେ ନେତାଙ୍କର ଦେଖା ମିଳେନି। ଆମେ ଲୋକଙ୍କ ଭାବନାକୁ ଭୁଲ୍ ପ୍ରମାଣିତ କରିବା ପାଇଁ ଏବଂ ସେମାନଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ ପଦଯାତ୍ରା ଆୟୋଜନ କରୁଛୁ।
ବିଜେଡି ପଦଯାତ୍ରା ଶେଷ ହେବା ପରେ ବିଜେପି ‘ହକ୍‌ ପାଇଁ ଲଢ଼େଇ’ କରିବ ବୋଲି କହିଛି। ଏ ସମ୍ପର୍କରେ କ’ଣ କହିବେ?
ବିଜେପିର କାର୍ଯ୍ୟକ୍ରମ ସମ୍ପର୍କରେ ମୋର କିଛି କହିବାର ନାହିଁ। କାରଣ ଆମର କାହା ସହିତ ପ୍ରତିଯୋଗିତା କରିବାର ନାହିଁ। ଆମେ ଦୁଇ ଦଶନ୍ଧି ଧରି ପଦଯାତ୍ରା କରୁଛୁ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ପରିଣତ ବୟସରେ ପଦଯାତ୍ରା କରୁଥିଲେ। ବିଜେପି ଯଦି ସେଭଳି କିଛି କାର୍ଯ୍ୟକ୍ରମ କରିବାକୁ ଚାହୁଁଛି ତାହାଲେ ସ୍ୱାଗତଯୋଗ୍ୟ। ଯଦି ସେମାନେ ବିଜେଡି ସହ ପ୍ରତିଯୋଗିତା କରିବାକୁ ଚାହୁଁଛନ୍ତି ତାହା ହାସ୍ୟାସ୍ପଦ।
କଂଗ୍ରେସରୁ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଛି। ତେବେ ବିଜେଡିରେ କ’ଣ ପ୍ରାର୍ଥୀ ଅଭାବ ପଡିଲା କି?
ଜଣେ ବ୍ୟକ୍ତି ଗୋଟିଏ ଦଳରୁ ଅନ୍ୟ ଦଳକୁ ଯିବା କିଛି ନୂଆ କଥା ନୁହେଁ। ଭାରତ ବର୍ଷର ରାଜନୀତି ଇତିହାସରେ ଏଭଳି ଘଟଣା ବାରମ୍ବାର ଘଟୁଛି। କେବଳ ବିଜେପୁର ନୁହେଁ, ବର୍ଷତମାମ୍‌ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଲୋକେ ନବୀନ ନିବାସ ଆସନ୍ତି। ଅନ୍ୟ ଦଳ ଛାଡ଼ି ବିଜେଡିରେ ସାମିଲ୍‌ ହେଉଥିବାର ନଜିର ରହିଛି।
ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ୍ ହୋଇଛନ୍ତି। ଏହା ବିଜେଡି ପାଇଁ ଚାଲେଞ୍ଜ ହେବ କି?
ଅଶୋକ ପାଣିଗ୍ରାହୀ ବିଜେଡିରେ ନଥିଲେ। ତାଙ୍କୁ ଦଳ ବହିଷ୍କାର କରିଛି। ଥରେ ନୁହେଁ, ସେ ତିନିଥର ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଏଥିରୁ ଅନୁମାନ କରି ହେଉଛି ତାଙ୍କର ଦଳ ପ୍ରତି ଆନୁଗତ୍ୟ କେତେ ଏବଂ ସେ କେତେ ଶୃଙ୍ଖଳିତ। ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବା ଦ୍ୱାରା ବିଜେଡିର କିଛି କ୍ଷତି ହେବ ନାହିଁ।
ବିଜେପୁରକୁ ନେଇ ବରଗଡ଼ ବିଜେଡିରେ ଅସନ୍ତୋଷ ଭରି ରହିଛି। ବିରୋଧୀକୁ କେମିତି ମୁକାବିଲା କରିବ ଦଳ?
ଦଳରେ ଅସନ୍ତୋଷ ଏବଂ ମତ ପାର୍ଥକ୍ୟ ଦୁଇଟି ଭିନ୍ନ କଥା। ବିଜେଡିରେ ଅସନ୍ତୋଷ ନାହିଁ କି କନ୍ଦଳ ନାହିଁ। ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ଥାଏ। ତେବେ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ ମତ ପାର୍ଥକ୍ୟକୁ ଦୂର କରାଯାଇଥାଏ। ଏହାକୁ କନ୍ଦଳ କୁହାଯିବନି। ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକ ଅଧିକରୁ ଅଧିକ ଆକର୍ଷିତ ହେଉଛନ୍ତି। ବିଜେପୁରରେ ବିଜେଡି ବିଜୟ ସୁନିଶ୍ଚିତ। ଏହାକୁ କେହି ଅଟକାଇ ପାରିବେ ନାହିଁ।
 ୨୦୧୯ ପୂର୍ବରୁ ସାଧାରଣ ନିର୍ବାଚନ ହେବ ବୋଲି ଆଭାସ ମିଳୁଛି। ଆଗୁଆ ନିର୍ବାଚନ ପାଇଁ ବିଜେଡି କେତେ ପ୍ରସ୍ତୁତ?
ଦେଶରେ କେବେ ନିର୍ବାଚନ ହେବ ସେନେଇ କୌଣସି ତାରିଖ ଘୋଷଣା କରାଯାଇନି। ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେବେ ଏକାସାଙ୍ଗରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେଲେ କେତେ ସଫଳତା ମିଳିବ ତାକୁ ନେଇ ତର୍ଜମା ଚାଲିଛି। ନିର୍ବାଚନ କମିଶନ କହିଛନ୍ତି ଯେ, ୨୦୧୮ ସେପ୍ଟେମ୍ବର ପରେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବୁ। ତେବେ ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଛି। ନିର୍ବାଚନ କମିଶନ ଯେବେ ଏବଂ ଯେଉଁ ସମୟରେ କହିବେ ଆମେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ କ୍ଷେତ୍ର ପ୍ରସ୍ତୁତକରି ରଖିଛୁ।
‘ମିଶନ୍‌-୧୨୦’କୁ ନେଇ ବିଜେପି ଅଙ୍କ କଷୁଛି। ଅମିତ ଶାହା ବିଜେଡିକୁ ପୋଡ଼ା ଟ୍ରାନ୍ସଫର୍ମର କହି ତାତ୍ସଲ୍ୟ କରିଛନ୍ତି। ଏନେଇ କ’ଣ କହିବେ?
ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କୁ ପେଡ଼ା ଟ୍ରାନ୍ସଫର୍ମର କହି ତାତ୍ସଲ୍ୟ କରିଥିବା ବେଳେ ବିଜେପୁରରେ ‘ପୋଡ଼ା ଟ୍ରାନ୍ସଫର୍ମର’କୁ ଦଳରେ ସାମିଲ୍ କରିଛି। ଏଣୁ ଶାହାଙ୍କ ମନ୍ତବ୍ୟରେ କୌଣସି ତାଳମେଳ ରହୁ ନଥିବା ଏଥିରୁ ସ୍ପଷ୍ଟ ହୋଇଛି। ୧୭ ବର୍ଷ ହେଲା ବିଜେଡି ଓଡ଼ିଶାବାସୀଙ୍କ ବଳ ହୋଇ ରହିଛି। ଏଣୁ ବିଜେଡି ପୋଡ଼ା ଟ୍ରାନ୍ସଫର୍ମର କି ଆଉ କିଏ ତାହା ଆଗାମୀ ଦିନରେ ଜଣାପଡ଼ିବ। ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ଦେବେ।
ସିବିଆଇକୁ ବିଜେପି ରାଜନୈତିକ ଅସ୍ତ୍ର କରୁଛି ବୋଲି ବିଜେଡି କହୁଛି। ଏ ଅଭିଯୋଗର ସତ୍ୟତା କେତେ?
ବୁଡ଼ି ଯାଉଥିବା ଲୋକ କୁଟା ଖିଅକୁ ଆଶ୍ରା କରି ବଞ୍ଚନ୍ତି। ବିଜେପିର ଅସଲ ରୂପ ଧିରେଧିରେ ପଦାକୁ ଆସିଛି। ଆଛେଦିନ୍‌ର ସ୍ଲୋଗାନ୍ ଦେଇ କ୍ଷମତାକୁ ଆସିଥିବା ବିଜେପି ଏବେ ଲୋକଙ୍କୁ ‘ବୁରେ ଦିନ୍‌’ର ସ୍ୱାଦ ଚଖାଉଛି। ଏଭଳି ସରକାର ସମ୍ପର୍କରେ କ’ଣ କହିବି?
ବିଜେପି କହୁଛି ସିସୋର୍‌ ଏବଂ ଗ୍ରୀନ୍‌ ରେ ଇଣ୍ଟରନ୍ୟାସନାଲ ଚିଟଫଣ୍ଡ ସଂସ୍ଥା ସହ ଆପଣଙ୍କର ସଂପୃକ୍ତି ଅଛି। ଏନେଇ କ’ଣ କହିବେ?
ବିଜେପିର ଏଭଳି ଅଭିଯୋଗ ମୋତେ ମର୍ମାହତ କରିଛି। ଏହି ଅଭିଯୋଗ ପ୍ରମାଣିତ କରିବା ପାଇଁ ମୁଁ ବିଜେପି ନେତାଙ୍କୁ ନିବେଦନ କରିଛି। ମୋ’ ରାଜନୈତିକ ଜୀବନରୁ ଆଜି ପର୍ଯ୍ୟନ୍ତ ମୁଁ ବିଭିନ୍ନ ପଦପଦବୀରେ ରହି ଆସିଛି। ଏଣୁ ମୋ’ ରାଜନୈତିକ ଜୀବନର ସବୁ ରେକର୍ଡ ସଂଗ୍ରହ କରି ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରନ୍ତୁ। ମୁଁ ଏହାକୁ ହସିହସି ସ୍ୱାଗତ କରିବି। କେବଳ ସାମ୍ବାଦିକ ସମ୍ମିଳନୀ ଏବଂ ପ୍ରାୟୋଜିତ ବିକ୍ଷୋଭ କରି ଅନ୍ୟର ଚରିତ୍ର ସଂହାର କଲେ ଜଗତେ କେବଳ ଜନେ ହସିବେ।
 ଆଗାମୀ ଦିନରେ ବିଜେଡିର ନୂଆ ଷ୍ଟ୍ରାଟେର୍ଜି କ’ଣ ?
ବିଜେଡି ସାଧାରଣ ଲୋକଙ୍କ ସହ ରହିଛି। ଲୋକଙ୍କ କଥା ଶୁଣୁଛି ଏବଂ ଲୋକଙ୍କ ସମସ୍ୟା ଶୁଣୁଛି। ଆଗାମୀ ଦିନରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବ। ଲୋକଙ୍କ ସାଙ୍ଗରେ ଥିଲୁ, ଅଛୁ ଆଉ ରହିବୁ ମଧ୍ୟ।

(ପ୍ରସ୍ତୁତି: ସତ୍ୟବ୍ରତ)

Comment