ଓଡ଼ିଶାଲାଇଭ୍ ବ୍ୟୁରୋ

ଯେଉଁ ପ୍ରସଙ୍ଗକୁ ନେଇ ବାଣୀବିହାର ସାଇନ୍-ଏ-ଡାଏ ହୋଇଥିଲା ସେହି ସମାନ ପ୍ରସଙ୍ଗକୁ ନେଇ ବିଶ୍ୱବିଦ୍ୟାଳୟ ଖୋଲୁ ଖୋଲୁ ପୁଣି ଉତ୍ତେଜନା ଦେଖାଦେଇଛି। ନିର୍ବାଚନ କାହିଁକି ବାତିଲ କରାଗଲା ତାକୁନେଇ ଛାତ୍ରମାନେ କୁଳପତିଙ୍କୁ ଘେରାଉ କରିଛନ୍ତି।

ଛାତ୍ର ଅଶାନ୍ତିକୁ ନେଇ ୨୦ ଦିନ ହେଲା ବନ୍ଦ ରହିଥିବା ବାଣୀବିହାରରେ ଆଜି ପୁଣି ଉତ୍ତେଜନା ଦେଖାଦେଇଛି। ନିର୍ବାଚନ କରିବା ଦାବିରେ ଛାତ୍ର ନେତାମାନେ ପୁଣି କ୍ୟାମ୍ପସକୁ ଅଶାନ୍ତ କରିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ପିଜି କାଉନସିଲ୍‌ ଚେୟାରମ୍ୟାନ୍ ବ୍ରହ୍ମାନନ୍ଦ ଶତପଥୀଙ୍କୁ ପିଲାମାନେ ଘେରାଉ କରିଛନ୍ତି।
ପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ଅଶାନ୍ତ ହୋଇ ଯାଇଥିଲା। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ କ୍ୟାମ୍ପସ୍‌ରେ ବୋମା ମାଡ଼ ହୋଇଥିଲା। ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିବା ସହ ସାଇନ୍-ଏ-ଡାଏ ଘୋଷଣା କରିଥିଲେ।
ପୂଜା ଛୁଟି ପରେ ବିଭିନ୍ନ ଦିଗକୁ ବିଚାର କରି କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଉଠାଇଥିଲେ। ପରିଚୟ ପତ୍ର ଦେଖାଇ ଛାତ୍ରମାନେ କ୍ୟମ୍ପସରେ ପ୍ରବେଶ କରିଥିଲେ। ତେବେ ୨୦ ଦିନ ପରେ ପାଠ ପଢ଼ା ହେବ କ’ଣ ନିର୍ବାଚନ ଦାବିରେ ଛାତ୍ରମାନେ କୁଳପତିଙ୍କ ଅଫିସ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। କୁଳପତି ଅଫିସକୁ ପ୍ରବେଶ କରିବା ମାତ୍ରେ ଛାତ୍ରମାନେ ତାଙ୍କୁ ଘେରି ଯାଇଥିଲେ। କେଉଁ ଆଧାରରେ ନିର୍ବାଚନ ବାତିଲ କରାଗଲା ବୋଲି ପ୍ରଶ୍ନ କରିଥିଲେ। ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। କମିଶନରେଟ୍ ପୋଲିସର ହସ୍ତକ୍ଷେପ ପରେ କୁଳପତି ଉତ୍ତ୍ୟକ୍ତ ଛାତ୍ରଙ୍କ କବଳରୁ ମୁକୁଳିଥିଲେ।

Comment