ଓଡ଼ିଶାଲାଇଭ୍‌ ବ୍ୟୁରୋ

ପନ୍ଦର ବର୍ଷ ତଳେ ଗୁଜରାଟର ଗୋଧ୍ରାରେ ଘଟିଥିବା ଟ୍ରେନ ବଗି ପୋଡ଼ି ଘଟଣାରେ ସଂପୃକ୍ତ ୧୧ ଜଣଙ୍କ ଦଣ୍ଡାଦେଶ କୁହାଇ କୋର୍ଟ କୋହଳ କରିବା ପରେ ଏହାର ଆଗାମୀ ପ୍ରଭାବ ନେଇ ଏବେ ଜୋରଦାର  ଆଲୋଚନା ହେଉଛି। ଗୁଜୁରାଟ ହାଇକୋର୍ଟ ଏହି ଏଗାର ଜଣ ଅଭିଯୁକ୍ତଙ୍କ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ  ସୀମିତ ରଖିଛନ୍ତି।
ଅନ୍ୟ ଅର୍ଥରେ ଗୋଧ୍ରା ମାମଲାରେ କେହି ଫାଶୀ ଖୁଣ୍ଟରେ ଝୁଲିବେ ନାହିଁ। ଏସଆଇଟି (ସ୍ୱତନ୍ତ୍ର ଯାଞ୍ଚ ଟିମ୍)ର ବିଶେଷ କୋର୍ଟ ଏହି ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟ ବିରୁଦ୍ଧରେ ହୋଇଥିବା ଅପିଲ ର ଶୁଣାଣି କରି ହାଇକୋର୍ଟ ଆଜିର ଫଇସଲା ଶୁଣାଇଛନ୍ତି।
୨୦୧୧ ଏସଆଇଟି କୋର୍ଟ ୧୧ ଜଣଙ୍କୁ ଫାଶୀଦଣ୍ଡ ଦେଇଥିବା ବେଳେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଥିଲେ। ଏସଆଇଟି କୋର୍ଟ ୬୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ।
ଟ୍ରାଏଲ କୋର୍ଟ ବା ଏସଆଇଟି କୋର୍ଟର ରାୟକୁ ବିରୋଧ କରରିଥିବା ଅଭିଯୁକ୍ତଙ୍କ ଯୁକ୍ତି ଥିଲା ଯେ ସେମାନଙ୍କୁ ଠିକ୍ ନ୍ୟାୟ ମିଳିନାହିଁ।
ବିଗତ ୧୫ ବର୍ଷ ଧରି ଗୋଧ୍ରା ହତ୍ୟାକାଣ୍ଡ କେତେ ଯେ ଚଢ଼ାଉତୁରା ଦେଖିଛି ତା’ର ହିସାବ ନାହିଁ। ୨୦୦୨ର ଏହି ଘଟଣା ଭାରତର ବିଚାର ବିଭାଗୀୟ ଇତିହାସରେ ଏକ ପ୍ରମୁଖ ଘଟଣା ଥିଲ।ଦୌରା ଜଜ୍ କୋର୍ଟଠାରୁ ଆରମ୍ଭକରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏହି ମାମଲାଟି ଲଢାଯାଇଥିଲା।
ମନେପକାଇ ଦିଆଯାଇପାରେ ଯେ ଗୋଧ୍ରା ରେଳ ଷ୍ଟେସନରେ ସାବରମତି ଏକ୍ସପ୍ରେସର ଏସ-୬ କୋଚରେ ଲାଗିଥିବା ନିଆଁରେ ୫୯ ଜଣ କରସେବକ ପୋଡ଼ିହୋଇ ମରିଯାଇଥିଲେ। ଏହି ପୋଡ଼ି ଘଟଣାରେ ପ୍ରାୟ ୧୫୦୦ ଲୋକଙ୍କ ବିରୁଦ୍ଧରେ ପ୍ରାଥମିକ ଏତଲା ରୁଜୁ କରାଯାଇଥିଲା। କୁହାଯାଏ ଏହି ବଗିରେ ଜାଣିଶୁଣି ପେଟ୍ରୋଲ ପକାଇ ନିଆଁ ଲଗାଇ ଦିଆଯାଇଥିଲା। ଗୋଧ୍ରା କାଣ୍ଡର ତଦନ୍ତ କରୁଥିବା ନାନାବତୀ ଆୟୋଗ ମଧ୍ୟ ଏହି ଯୁକ୍ତିକୁ ବିଶ୍ୱାସ କରିଥିଲେ।
ସବୁଠାରୁ ବଡ଼ କଥା ଯେ ଗୋଧ୍ରା ଟ୍ରେନପୋଡ଼ି ଘଟଣା ପରେ ପରେ ଗୁଜରାଟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟି ପ୍ରାୟ ୧୨୦୦ ଲୋକ ପ୍ରାଣ ହରାଇଥିଲେ। ସେତେବେଳେ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ।
ଆଜି ଯେଉଁ ବ୍ୟକ୍ତିମାନଙ୍କ ଫାଶୀଦଣ୍ଡକୁ କୋହଳ କରାଯାଇଛି ସେ ସମସ୍ତେ ମୁସଲିମ।
ଜାନୁଆରୀ ୨୦୦୫ରେ ଏହି ମାମଲାର ବିଚାର କରୁଥିବା ୟୁସିବାନାର୍ଜି କମିଶନ ତା’ର ପ୍ରାଥମିକ ରିପୋର୍ଟରେ କହିଥିଲା ଯେ ଏସ-6 ବଗିରେ ଲାଗିଥିବା ନିଆଁ ଏକ ଦୁର୍ଘଟଣା ଥିଲ। ବାହାର ଲୋକଙ୍କ ଦ୍ୱାରା ବଗିରେ ନିଆଁ ଲଗାଇ ଦିଆଯିବା ଯୁକ୍ତିକୁ ବାନାର୍ଜି କମିସନ ମାନି ନ ଥିଲେ। କିନ୍ତୁ ୨୦୦୬ ଅକ୍ଟୋବର ୧୩ ତାରିଖରେ ଗୁଜରାଟ ହାଇକୋର୍ଟ ବାନାର୍ଜି କମିଶନକୁ ଅସିଦ୍ଧ ଘୋଷଣା କରି ତାଙ୍କ ରିପୋର୍ଟକୁ ଖାରଜ କରିଦେଇଥିଲେ। ପରେ ୨୦୦୮ରେ ଏକ ନୂଆ ତଦନ୍ତ କମିଶନ ଗଠନ କରାଯାଇଥିଲା ଏବଂ ଜଷ୍ଟିସ ନାନାବତୀଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଜଷ୍ଟିସ ନାନାବତୀ କମିଶନ କହିଲେ ଯେ ଗୋଧ୍ରା ଟ୍ରେନ ପୋଡ଼ି ଘଟଣା ଦୁର୍ଘଟଣା ନଥିଲା ବରଂ ଏହା ପଛରେ ଏକ ବିରାଟ ଷଡ଼ଯନ୍ତ୍ର କାମ କରୁଥିଲା।
ଆଜିର ଏହି ରାୟ ଏଭଳି ଏକ ସମୟରେ ଆସିଛି ଯେତେବେଳେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ନିର୍ବାଚନ ମଇଦାନକୁ ଓହ୍ଲାଇ ସାରିଛନ୍ତି।
ଗୋଧ୍ରା କାଣ୍ଡ ସମ୍ପର୍କିତ ଗୁଜରାଟ ହାଇକୋର୍ଟର ରାୟ ଆସନ୍ତା ନିର୍ବାଚନ ଉପରେ ନିଶ୍ଚିତ ଭାବରେ ପଡ଼ିବ ବୋଲି ଆକଳନ କରାଯାଉଛି।

Comment