ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସିନେନିର୍ମାତା ଶିଶିର କୁମାର ସାହୁଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଫର୍ଚ୍ଚା’ ୧୯ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା କଥା, ଓଡ଼ିଶା ପାଇଁ ଗର୍ବର ବିଷୟ। ଆସନ୍ତା ଅକ୍ଟୋବର ୧୨ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଏହି ଫିଲ୍ମ ଫେଷ୍ଟିଭାଲର ତୃତୀୟ ଦିନ ଅନ୍ୟାନ୍ୟ ନଅଟି ବିବେଚିତ କ୍ଷୁଦ୍ର ଚଳଚ୍ଚିତ୍ର ସମେତ ଓଡ଼ିଆ ସିନେମା ‘ଫର୍ଚ୍ଚା’ ମଧ୍ୟ ପ୍ରଦର୍ଶିତ ହେବ।
ଏହି ସିନେମାର ପ୍ରଯୋଜନା ପିନାକୀ ସିଂ କରିଥିବାବେଳେ ସୁରେଶ ମିଶ୍ର ଓ ନିମାନନ୍ଦ ପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରାୟ ୨୫-ମିନିଟ୍ ଅବଧିର ଏହି ସିନେମାଟି ଓଡ଼ିଶାରେ ସୁଟିଂ କରାଯାଉଛି ବୋଲି ନିର୍ଦ୍ଦେଶକ ଶିଶିର ସାହୁ କହିଛନ୍ତି। ଜୀବନଶୈଳୀ ବଦଳିବା ସହିତ ଘରେ ଘରେ ଅବସରପ୍ରାପ୍ତ ତଥା ପ୍ରାପ୍ତବୟସ୍କ ପିତାମାତାଙ୍କ ପ୍ରତି ପିଲାମାନଙ୍କ ବ୍ୟବହାର ମଧ୍ୟ ବଦଳିଯାଇଛି। ଏହି ବିଷୟବସ୍ତୁ ଉପରେ ଆଧାରିତ ହୋଇଛି ‘ଫର୍ଚ୍ଚା’ର କାହାଣୀ।
“ଦୁଇଜଣ ବୃଦ୍ଧ ବ୍ୟକ୍ତି ନିଜ ପିଲାମାନଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସହର ବାହାରେ ଥିବା ରେଳଲାଇନ୍ ପାଖକୁ ଆତ୍ମହତ୍ୟା କରିବାକୁ ଯାଇଛନ୍ତି। ସେଠାରେ ଦୁହେଁ ପରସ୍ପର ସହ ନିଜ ନିଜର ଦୁଃଖ ବାଣ୍ଟିବା ପରେ ଆତ୍ମହତ୍ୟା ଚିନ୍ତାଧାରାକୁ ଏଡାଇ ଦେଇଛନ୍ତି”, ଏହା ହିଁ ମୋ ସିନେମାର କାହାଣୀ ବୋଲି ଶିଶିର କହିଛନ୍ତି। ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ ଏହାର ସୁଟିଂ ଓ ଏଡିଟିଂ ଫିଚର ଫିଲ୍ମ ପାରିମାପର କରାଯାଇଛି।
କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ପାଠ୍ୟକ୍ରମ ଲାଭ କରିବା ପରେ ଶିଶିର ମୁମ୍ବାଇକୁ ନିଜ କର୍ମସ୍ଥଳୀ ରୂପେ ବାଛି ଦେଇଥିଲେ। ସେଠାରେ ସେ ଶ୍ୟାମ ବେନେଗଲ, ଆଶୁତୋଷ ଗୋୱାରିକରଙ୍କ ପରି ବିଶିଷ୍ଟ ସିନେନିର୍ମାତାର ସହ କାମ କରିବାର ସୁଯୋଗ ପାଇଥିଲେ। ବଲିଉଡ୍ ସୁପରଷ୍ଟାର ହ୍ରିତିକ୍ ରୋଶନ ଅଭିନୀତ ‘ମହେଞ୍ଜାଦାରୋ’ ସିନେମାରେ ଗୋୱାରିକରଙ୍କ ସହକାରୀ ନିର୍ଦ୍ଦେଶକ ଭାବେ ସେ କାମ କରିଥିଲେ। କେବଳ ସେତିକି ନୁହେଁ ରାଜ୍ୟସଭା ଟିଭିରେ ପ୍ରଦର୍ଶିତ ଇଣ୍ଡିଆନ କନଷ୍ଟିଚ୍ୟୁସନରେ ମଧ୍ୟ ସେ କାମ କରିଛନ୍ତି।
ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲର ପ୍ରାରମ୍ଭରେ ଅନୁରାଗ କଶ୍ୟପଙ୍କ ‘ମୁକ୍କାବାଦ’ ପ୍ରଦର୍ଶିତ ହେବ ତଥା ନାସିରୁଦ୍ଦିନ ଶାହ ଓ ଟିସ୍‌କା ଚୋପ୍ରାଙ୍କ ଦ୍ୱାରା ଅଭିନୀତ ‘ଦ ହଙ୍ଗ୍ରି’ ସିନେମାର ପ୍ରିମିୟର ମଧ୍ୟ ଅନୁଷ୍ଠିତ ହେବ।

Comment