ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଞ୍ଜୟ ଲୀଲା ଭଂସାଲିଙ୍କ ବହୁ ପ୍ରତିକ୍ଷିତ ବିଗ୍‌ ବକେଟ୍ ଐତିହାସିକ ସିନେମା ‘ପଦ୍ମାବତୀ’ର ଟିଜର ରିଲିଜ୍ ହେବା ପରେ ସିନେପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ରଣବୀର ଦୀପିକା-ସାହିଦଙ୍କ ଐତିହାସିକ ଲୁକ୍ସ ସହିତ ଏହାର ସାଉଣ୍ଡ୍ ଶୁଣିଲେ ଲୋମ ଟାଙ୍କୁରି ଉଠୁଛି।
ଓଡ଼ିଶାବାସୀଙ୍କ ପାଇଁ ଆଉ ଖୁସିର କାରଣ ହେଉଛି ମୁମ୍ବାଇସ୍ଥିତ ଓଡ଼ିଆ ସାଉଣ୍ଡ୍ ଡିଜାଇନର ନିହାର ରଞ୍ଜନ ସାମଲ ଏହି ସିନେମା ସହ ଜଡିତ ଅଛନ୍ତି। ଭଂସାଲିଙ୍କ ସହ ‘ବାଜିରାଓ ମସ୍ତାନି’ରେ ସଫଳତାର ସହ କାମ କରିବା ପରେ ଦ୍ୱିତୀୟ ଥର ପାଇଁ ପଦ୍ମାବତୀ’ରେ ମଧ୍ୟ ସେ ପାଲଟିଛନ୍ତି ତାଙ୍କର ପ୍ରଥମ ଭରସା।
“ଏହି ସିନେମାର ସାଉଣ୍ଡ୍ ରେକର୍ଡିଂ କରିବା ତଥା ଐତିହାସିକ କାହାଣୀ ସହ ଖାପ ଖୁଆଇଲା ପରି ସାଉଣ୍ଡ୍ ଦେବା କଷ୍ଟସାଧ୍ୟ ବ୍ୟାପାର ଥିଲା। ହେଲେ ଭଂସାଲିଙ୍କ ନିର୍ଦ୍ଦେଶନାରେ ଦୀପିକା, ରଣବୀର ତଥା ସାହିଦଙ୍କ ସହ କାମ କରିବାର ଅଭିଜ୍ଞତା ଅନନ୍ୟ। ଏହି ସିନେମାରେ ସମସ୍ତ ଅଡିଓ ସୁଟିଂ ସେଟ୍‌ରେ ହିଁ ରେକର୍ଡିଂ କରାଯାଇଛି। ପରେ ଏହାକୁ ଷ୍ଟୁଡିଓରେ କ୍ଲିନ୍‌ କରି ବିଭିନ୍ନ ପ୍ରକାରର ଇଫେକ୍ଟ ସହ ମିଶାଇ ଫାଇନାଲ ସାଉଣ୍ଡ ପ୍ରସ୍ତୁତ କରାଯାଇଛି”, କହିଛନ୍ତି ନିହାର ସାମଲ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସିନେମାରେ ପଦ୍ମାବତୀର ଚରିତ୍ରରେ ଅବତୀର୍ଣ୍ଣ ହେବା ପାଇଁ ଦୀପିକା ମଧ୍ୟ ବହୁ ପରିଶ୍ରମ କରିଛନ୍ତି। ୨୦୧୩ ମସିହାରେ ରିଲିଜ ହୋଇଥିବା ‘ମାଡ୍ରାସ କାଫେ’ ସିନେମା ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।
“ମାଡ୍ରାସ କାଫେ ପାଇଁ ଯୁଦ୍ଧଭିତ୍ତିକ ସାଉଣ୍ଡ୍ ଦେବା ମଧ୍ୟ ସହଜ ନଥିଲା। ମୋର କାମ ଦେଖିବା ପରେ ଭଂସାଲି ମତେ ପ୍ରଥମ ଥର ‘ବାଜିରାଓ ମସ୍ତାନି’ ପାଇଁ କାମ କରିବାର ସୁଯୋଗ ଦେଇଥିଲେ”, କହିଛନ୍ତି ନିହାର।
ସେ କାମ କରିଥିବା ଅନ୍ୟାନ୍ୟ ସିନେମାଗୁଡ଼ିକ ମଧ୍ୟରେ ‘ପିକେ’, ‘ପିଙ୍କ୍’, ‘ତନୁ ୱେଡ୍‌ସ ମନୁ ରିଟର୍ଣ୍ଣସ’, ‘ଭିକି ଡୋନର’ ଆଦି ଅନ୍ୟତମ। ଫିଜିକ୍ସରେ ମାଷ୍ଟର ଡିଗ୍ରୀ ଲାଭ କରିଲା ପରେ ପରିବାରବର୍ଗଙ୍କ ଅରାଜି ସତ୍ତ୍ୱେ ନିହାର ପୁନେସ୍ଥିତ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ପଢ଼ିବା ପାଇଁ ମନସ୍ଥ କରିଲେ। ସେବେଠାରୁ ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ଲାଗିପଡ଼ିଥିଲେ।
“ପ୍ରଥମେ ମତେ ଲାଗୁଥିଲା, ସିନେମା ପାଇଁ ସାଉଣ୍ଡ୍ ଡିଜାଇନ୍ କରିବା କେବଳ ଟେକ୍ନିକାଲ୍ କାମ କିନ୍ତୁ ପରେ ଜାଣିବାକୁ ପାଇଲି ଏହାପାଇଁ ମଧ୍ୟ ସୃଜନଶକ୍ତିର ଆବଶ୍ୟକତା ରହିଛି’’, ନିହାର କହନ୍ତି।

Comment