ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଘଟଣାକୁ ପୂରିଲା ୬ ଦିନ
  • ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ
  • ମିଛ କେସ୍‌ରେ ଉଠାଇ ନେଇଥିବା ଅଭିଯୋଗ ଆଣିଲେ ପରିବାରବର୍ଗ
କୋରାପୁଟ ଗଣ ଦୁଷ୍କର୍ମ ଘଟଣାକୁ ଆଜି ୬ ଦିନ ବିତିଛି। ଏ ଦିଗରେ ପୋଲିସ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିପାରିନି। ଏହି ସମ୍ବେଦନଶୀଳ ଘଟଣାରେ କେଉଁମାନେ ଅଭିଯୁକ୍ତ ତାକୁ ନେଇ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ବେଳେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଛି।
୧୧ ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୋରିଷପଦର ଜଙ୍ଗଲରେ ଘଟିଥିଲା ଏହି ଅଭାବନୀୟ ଘଟଣା। କୁନ୍ଦୁଲି ହାଟରୁ ଘରକୁ ଜନୈକା ନାବାଳିକା ଘରକୁ ଫେରୁଥିବା ବେଳେ ୩ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥିରେ ସିଆର୍‌ପିଏଫ୍ ଯବାନଙ୍କ ହାତ ରହିଥିବା ପୀଡ଼ିତାଙ୍କ ଭାଇ ଅଭିଯୋଗ କରିଥିଲେ। ହେଲେ ସିଆର୍‌ପିଏଫ୍‌ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରେଡ୍ ଫ୍ଲାଗ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ କରିଥିଲେ। କ୍ରାଇମବ୍ରାଞ୍ଚ ଟିମ୍‌ କୋରାପୁଟ ଗସ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ଚିହ୍ନଟ ହୋଇପାରି ନାହାନ୍ତି। ଆଜି ପୋଲିସ ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଥିଲେ ହେଁ ଏମାନେ ନିର୍ଦ୍ଦୋଷ ବୋଲି ସେମାନଙ୍କ ପରିବାରବର୍ଗ କହିଛନ୍ତି।
ଗୋଟିଏ ପଟେ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥଇବା ବେଳେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଛି। ରାଜ୍ୟ ଗୃହ ସଚିବ, ଡିଜିପି, କୋରାପୁଟ ଏସ୍‌ପି, ଏନ୍‌ଆଇଏ ଡିଜି, ସିବିଆଇ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି।
କଂଗ୍ରେସ ବନ୍ଦ କଲା କୋରାପୁଟ, ବିଜେଡି-ବିଜେପି ଚୁପ୍
ଗଣ ଦୁଷ୍କର୍ମ ଘଟଣାକୁ ୫ ଦିନ ପୂରିବା ପରେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ ଆଜି ୭ ଘଣ୍ଟିଆ କୋରାପୁଟ ବନ୍ଦ କରି ଅଭିଯୁକ୍ତଙ୍କ ଗିରଫ ଦାବି କରିଛି। ହେଲେ କଥା କଥାକେ ରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଙ୍କୁ ଘେରୁଥିବା ଅନ୍ୟତମ ବିରୋଧ ଦଳ ବିଜେପିର ଆଭିମୁଖ୍ୟ କୋରାପୁଟ ଘଟଣାରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି। ଘଟଣାରେ ସିଆର୍‌ପିଏଫ୍‌ ଯବାନଙ୍କ ହାତ ରହିଥିବା ଅଭିଯୋଗ ହେଉ ଥିବାରୁ ବିଜେପି ଦୂରେଇ ରହୁଥିବା ଚର୍ଚ୍ଚା ହେଉଛି। ସେହିପରି ଶାସକ ବିଜେଡି ମଧ୍ୟ ଏହାକୁ ଅସ୍ତ୍ର କରିପାରୁନି। ବିଜେପି ଏବଂ ବିଜେଡି ଏହି ସମ୍ବେଦନଶୀଳ ଘଟଣାରୁ ଦୂରେଇ ରହୁଥିବାରୁ ସତ୍ୟତା କିପରି ଲୋକଲୋଚନକୁ ଆସିବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

 

LEAVE A REPLY

Please enter your comment!
Please enter your name here