ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ନିର୍ବାଚନ ସଂକ୍ରାନ୍ତୀୟ ମାମଲାକୁ ଓଡ଼ିଶା ହାଇକୋର୍ଟ ବନ୍ଦ କରିଛନ୍ତି। ଫଳରେ ଉପ ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଛି। ଜଣେ ପ୍ରତିପକ୍ଷଙ୍କ ଦେହାନ୍ତ ହୋଇଥିବାରୁ ମାମଲା ଆଗକୁ ଚାଲି ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଫଳରେ ଉପ-ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚତତାର ଅନ୍ତ ଘଟିଛି। ଯେ କୌଣସି ମୁହୂର୍ତ୍ତରେ ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି।
୨୦୧୪ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଥିଲେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ। ସ୍ବଳ୍ପ ଭୋଟରେ ପରାଜିତ ହୋଇଥିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ନିକଟରୁ ଶ୍ରୀ ଆଚାର୍ଯ୍ୟ ୪୫୮ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଣୁ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଶ୍ରୀ ଆଚାର୍ଯ୍ୟ।
ଏ ସମ୍ପର୍କରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,”ହାଇକୋର୍ଟ ଆଇନଗତ ତର୍ଜମା କରିଛନ୍ତି। ଏଥିରେ କିଛି ମତ ଦେବାର ନାହିଁ।”
ହାଇକୋର୍ଟଙ୍କ ରାୟ ପରେ ଏବେ ଉପ-ନିର୍ବାଚନ ତାରିଖ ଉପରେ ୩ ପ୍ରମୁଖ ଦଳଙ୍କ ନଜର ରହିଛି। ନିର୍ବାଚନ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିବାରୁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିପାରି ନଥିଲେ।
ହାଇକୋର୍ଟରେ ମାମଲା ରହିଥିବା ବେଳେ ବିଜେଡି-ବିଜେପି ବଳ ଦେଖାଇଥିଲେ। ବିଜେଡି ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ଆଗୁଆ ଗୋଟି ଚାଳନା କରିଥିଲା। ସେହିପରି ବିଜେପି ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲ କରି ବିଜେଡିକୁ ଚେକ୍ ଦେଇଥିଲା। ତେବେ କଂଗ୍ରେସ ଏସବୁଥିରୁ ପଛରେ ପଡ଼ି ଯାଇଥିଲା। ଏବେ ହାଇକୋର୍ଟଙ୍କ ରାୟ ପରେ ବିଜେପୁର ଉପ-ନିର୍ବାଚନ ଲାଗି ପଥ ପରିଷ୍କାର ହୋଇଯାଇଛି। ତାରିଖ ଘୋଷଣାକୁ ସବୁ ରାଜନୈତିକ ଦଳ ଅପେକ୍ଷା କରିଛନ୍ତି।

 

Comment