ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ। ଗୁଜୁରାଟ ବିଧାନସଭା ଭୋଟରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହ୍ରାସ କରିବା ପାଇଁ କଂଗ୍ରେସ ଯୁବରାଜ ଏହି ରଣନୀତି ଆପଣାଇଥିବା ଚର୍ଚ୍ଚା ହେଉଛି।

ଆଗକୁ ଆସୁଛି ଗୁଜୁରାଟ ବିଧାନସଭା ଭୋଟ। ଏଥିପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନୂଆ ଅବତାର ଦେଖିବାକୁ ମିଳିଛି। ରାହୁଲ ପୂର୍ଣ୍ଣ ଆତ୍ମ ବିଶ୍ବାସର ସହ ଗୁଜୁରାଟରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ରାହୁଲଙ୍କ ଏହି ନୂଆ ଅବତାରକୁ କେହି କେହି ନରେନ୍ଦ୍ର ମୋଦିଙ୍କ ନକଲ ବୋଲି କହୁଛନ୍ତି।
ଗୁଜୁରାଟ ଗସ୍ତ ଅବସରରେ ରାହୁଲ ବହୁତ କିଛି ନୂଆ କଥା କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ୨୦୧୪ ନିର୍ବାଚନ କ୍ୟାମ୍ପେନ୍‌ ବେଳେ ମୋଦି ଚା ପେ ଚର୍ଚ୍ଚା, ସେଲଫି, ଛୋଟ ପିଲାଙ୍କ ସହ ମିଶିବା ଭଳି କାର୍ଯ୍ୟକ୍ରମ କରି ସଫଳତା ପାଇଥବଲେ। ଏହାକୁ ଏବେ ରାହୁଲ ଗୁଜୁରାଟ ଭୋଟ ପରିପ୍ରେକ୍ଷୀରେ ଆପଣାଇଛନ୍ତି।
ଆଦିବାସୀଙ୍କ ସହ ନାଚିଲେ
ଗୁଜୁରାଟ ଗସ୍ତ ଅବସରରେ ରାହୁଲ ଆଦିବାସୀଙ୍କ ସହ ନାଚିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗୁଜୁରାଟର ଛୋଟ ଉଦୟପୁରର ଆଦିବାସୀଙ୍କ ତିମ୍‌ଲି ନୃତ୍ୟରେ ରାହୁଲ ଭାଗ ନେଇଥିଲେ। ସମାଜବିଜ୍ଞାନୀ ଡକ୍ଟର ବିଦ୍ୟୁତ ଯୋଶୀ କହିଛନ୍ତି, ବିଭିନ୍ନ ନେତା କିଛି ନୂଆ କରିବାକୁ ଚାହାନ୍ତି। ଏଣୁ ଚର୍ଚ୍ଚାରେ ରହିବା ପାଇଁ ସେମାନେ ଏସବୁ କରୁଛନ୍ତି। ଆଦିବାସୀଙ୍କ ନିକଟତର ହେବା ପାଇଁ ରାହୁଲ ଏହି ନୀତି ଆପଣାଇଛନ୍ତି।
ଆକ୍ରମଣାତ୍ମକ ଭାଷଣ
ନରେନ୍ଦ୍ର ମୋଦି ଯେମିତି ପ୍ରଥମରୁ ଆକ୍ରମଣାତ୍ମକ ଭାଷଣ ଦେଇ ଲୋକଙ୍କ ମନ ଜିଣୁଥିଲେ ଏବେ ରାହୁଲ ସେହି ଢ଼ଙ୍ଗକୁ ଆପଣାଇଛନ୍ତି। ସିଧାସଳଖ ସାଧାରଣ ଜନତା ସହ କଥା ହେଉଛନ୍ତି ଏବଂ ସୋସିଆଲ ମିଡିଆକୁ ଗୁରୁତ୍ବ ଦେଉଛନ୍ତି। ସୋସିଆଲ  ମିଡିଆରେ ରାହୁଲ ବିରୋଧୀ ଦଳର ଖବର ରଖୁଛନ୍ତି।
ନରେନ୍ଦ୍ର ମୋଦିଙ୍କୁ ୨୦୧୪ ନିର୍ବାଚନ ବୈତରଣୀ ପାର୍‌ କରିଥିଲା ବିଜେପିର ଆଇଟି ସେଲ୍। ମୋଦିଙ୍କ ବିଭିନ୍ନ ଗସ୍ତ, କାର୍ଯ୍ୟକ୍ରମ ଏବଂ ଭାଷଣକୁ ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେପି କଂଗ୍ରେସକୁ ପଛରେ ପକାଇ ଦେଇଥିଲା। ହେଲେ ଏବେ କଂଗ୍ରେସର ଆଇଟି ସେଲ୍‌ ମଜଭୁତ ହୋଇଛି। ରାହୁଲଙ୍କ ପ୍ରତିଟି କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ଅଗ୍ରାଧିକାର ଦିଆଯାଉଛି।

 

Comment