ଓଡ଼ିଶାଲାଇଭ୍‍ ବ୍ୟୁରୋ

ଲାଗୁଛି ନିଜ ଆଇଫୋନକୁ ନେଇ ଗର୍ବ ଅନୁଭବ କରୁଥିବା ବିଶ୍ଵ ପ୍ରସିଦ୍ଧ ଆପଲ କମ୍ପାନିରେ ସବୁ କିଛି ଠିକ୍ ଚାଲିନି।ଗତ ଶୁକ୍ରବାର ଦିନ ପ୍ରିମାର୍କେଟ ଟ୍ରେଡିଂରେ ଆପଲର ସେୟାରରେ ୧.୫ ପ୍ରତିଶତ ଘାଟା ପରିଲକ୍ଷିତ ହୋଇଥିଲା। କୁହାଯାଉଛି ଆଇଫୋନ ୮ ଓ ଆଇଫୋନ ୮ ପ୍ଳସ୍ ପାଇଁ ଗ୍ରାହକ ନ ଥିବାରୁ କମ୍ପାନିର ସେୟାର ଖସିଛି। ବଡ଼ ଆଡ଼ମ୍ବର ସହ କିଛିଦିନ ତଳେ ଆଇଫୋନ ୮ ଓ ଅନ୍ୟ ଭାରିଏଣ୍ଟଟି ବଜାରକୁ ଆସିଥିଲା। କିନ୍ତୁ ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି।
ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ପ୍ରକାଶିତ ଏକ ଖବରରେ କୁହାଯାଇଛି ଯେ ନଭେମ୍ବର ମାସରେ ବିକ୍ରି ହେବାକୁ ଥିବା ଆଇଫୋନ ଉପରେ ସଂଖ୍ୟାଗତ କଟକଣା ଜାରି କରାଯାଇଛି ଓ ଅର୍ଡର କମାଇବା ଲାଗି କୁହାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଉଭୟ ମଡେଲର ଅର୍ଡରରେ ୫୦ ପ୍ରତିଶତ ହ୍ରାସ କରିବା ପାଇଁ କମ୍ପାନି ପକ୍ଷରୁ କୁହାଯାଇଛି।
ଗତମାସରେ ଏହି ଖବର ମଧ୍ୟ ଆସିଥିଲା ଯେ ଆଇଫୋନ ୭ ଓ ଆଇଫୋନ ୭ ପ୍ଲସ୍ ତୁଳନାରେ ଆଇଫୋନ ୮ର ପ୍ରିବୁକିଂ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଥିଲା। ମୋବାଇଲ ବିକ୍ରି କରୁଥିବା ରିଟେଲ ସଂସ୍ଥା ପକ୍ଷରୁ କିନ୍ତୁ ସୂଚନା ମିଳିଛି ଯେ ଅଧିକତର ଗ୍ରାହକ ଆସନ୍ତା ମାସରେ ଆସିବାକୁ ଥିବା ଆଇଫୋନ ୧୦କୁ ଅପେକ୍ଷା କରିଛନ୍ତି ଏବଂ ସେଥିପାଇଁ ଆଇଫୋନ ୮ର ଚାହିଦା ବିଶେଷ ଭାବରେ ନାହିଁ।

Comment