ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶକୁ ପୋଲିଓ ମୁକ୍ତ କରିବା ପାଇଁ ବ୍ରହ୍ମପୁରର ଛାତ୍ରଛାତ୍ରୀ କରିଛନ୍ତି ଭିନ୍ନ ପ୍ରୟାସ। ସବୁଠୁ ବଡ଼ ମାନବ ପାଦ ତିଆରି କରି ପ୍ରଶଂସା ସାଉଁଟିଛନ୍ତି। ଏହି ମାନବ ପାଦ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌’ ରେ ସ୍ଥାନ ପାଇଛି। ଏହି ପାଦର ଲମ୍ବ  ୧୩୫ ଫୁଟ ରହିଥିବା ବେଳେ ଓସାର ହେଉଛି ୬୦ ଫୁଟ। ଏହି ପାଦ ଉପରେ କଳା ଓ ଧଳା ରଙ୍ଗର ଡ୍ରେସ ଏବଂ ଧଳା ଟୋପି ପିନ୍ଧି ଛାତ୍ରଛାତ୍ରୀ ୫ ମିନିଟ୍ ଧରି ଛିଡ଼ା ହୋଇଥିଲେ।
ବିଶ୍ବ ପୋଲିଓ ଦିବସ ଅବସରରେ ବ୍ରହ୍ମପୁର ରୋଟାରୀ କ୍ଲବ ତରଫରୁ ବ୍ରହ୍ମପୁର ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା ସ୍ବତନ୍ତ୍ର ଉତ୍ସବ। ଏହି ଉତ୍ସବରେ ବିଭିନ୍ନ ସ୍କୁଲ, କଲେଜର ପ୍ରାୟ ୧୭୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାର ଏବଂ ରୋଟାରୀ କ୍ଲବ ଅଧିକାରୀମାନେ ଉପସ୍ଥିତ ଥିଲେ।
ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, “ବ୍ରହ୍ମପୁର ପାଇଁ ଆଜି ହେଉଛି ଗର୍ବ ଓ ଗୌରବର ଦିନ। ସାରା ବିଶ୍ବରେ ବ୍ରହ୍ମପୁରକୁ ପୋଲିଓ ମୁକ୍ତ ଅଭିଯାନରେ ଛାତ୍ରଛାତ୍ରୀମାନେ ଏକ ନିଆରା ଢଙ୍ଗରେ ସାମିଲ୍ କରିଛନ୍ତି।”
ଏହି ସଫଳତା ପାଇଁ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ରଛାତ୍ରୀମାନେ ଏକ ନିଆରା ଢଙ୍ଗରେ ପୋଲିଓ ମୁକ୍ତ ପାଇଁ ସଚେତନତା ସୃଷ୍ଟି କରି ବ୍ରହ୍ମପୁରକୁ ଗୌରବାନ୍ବିତ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here