ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିକିତ୍ସା ବିଜ୍ଞାନରେ ଜଗା-କାଳିଆଙ୍କ କେସ୍ ବିରଳ ଘଟଣା। ଏହାକୁ ଧୈର୍ଯ୍ୟର ସହ ମୁକାବିଲା କରିବାରେ ଏମ୍‌ସ ବିଶେଷଜ୍ଞ ଦଳ ସଫଳ ହୋଇଛନ୍ତି ବୋଲି ଏମ୍‌ସ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି

ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ଜଗା-କାଳିଆଙ୍କୁ ଅଲଗା କରାଯାଇଛି ବୋଲି ଏମ୍‌ସ ବିଶେଷଜ୍ଞ ଦଳ କହିଛନ୍ତି। ଅପରେସନ୍ ପରେ ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି। ଆଗାମୀ ୪୮ ଘଣ୍ଟା ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏମ୍‌ସ ତରଫରୁ କୁହାଯାଇଛି।
ଫୁଲବାଣୀ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ବୁଧବାର ଆରମ୍ଭ ହୋଇଥିଲା। ସକାଳ ୬ଟାରୁ ଉଭୟଙ୍କୁ ଓଟିରେ ଭର୍ତ୍ତି କରାଯିବା ପରେ ୯ଟା ୩୦ରେ ସେମାନଙ୍କ ଅପରେସନ୍ ଆରମ୍ଭ ହୋଇଥିଲା। ରାତି ୮ଟା ୪୫ ମିନିଟରେ ଉଭୟଙ୍କୁ ଅଲଗା କରାଯାଇଥିବା ଏମ୍‌ସ କର୍ତ୍ତୃପକ୍ଷ କହିଛନ୍ତି। ଏହି ଅପରେସନ୍‌ରେ ୩୦ ଜଣ ବିଶେଷଜ୍ଞ ଟିମ୍ ସାମିଲ୍ ହୋଇଥିଲେ। ୨୦ ଜଣ ନ୍ୟୁରୋ ସର୍ଜନ୍‌ଙ୍କ ସମେତ ୧୦ ଜଣ ନିଶ୍ଚେତକ ସାମିଲ୍ ହୋଇଥିଲେ। ଉଭୟଙ୍କୁ ଅଲଗା କରାଯିବା ପରେ ପ୍ଲାଷ୍ଟିକ ସର୍ଜରୀ ଆରମ୍ଭ ହୋଇଥିଲା। ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ପ୍ଲାଷ୍ଟିକ ସର୍ଜରୀ ଚାଲିବା ପରେ ଉଭୟଙ୍କୁ ଅବଜରଭେସନ୍‌ରେ ରଖାଯାଇଥିଲା। ଗୁରୁବାର ସକାଳୁ ତାଙ୍କୁ ଓଟିରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଏହି ଜଟିଳ ଅପରେସନ୍‌କୁ ଟିମ୍‌ ୱାର୍କ ମାଧ୍ୟମରେ କରାଯାଇଥିଲା ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି।
ଏମ୍‌ସ ନ୍ୟୁରୋ ସାଇନ୍ସ ସେଣ୍ଟରର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, “ଚିକିତ୍ସା ବିଜ୍ଞାନରେ ଜଗା କାଳିଆଙ୍କ ଘଟଣା ବିରଳ। ୩୦ ଲକ୍ଷ ଶିଶୁରେ ଜଣେ ଶିଶୁ ଏଭଳି ଅବସ୍ଥାରେ ଦେଖିବାକୁ ମଳିଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଜନ୍ମ ହେବା ମାତ୍ରେ ପ୍ରାଣ ହରାଇଥାନ୍ତି। ୨୫ ପ୍ରତିଶତଙ୍କ କ୍ଷେତ୍ରରେ ସଜର୍ରୀ ସଫଳ ହୋଇଥାଏ।”
ଅଗଷ୍ଟ ୨୬ ତାରିଖରେ ୪୦ ଜଣିଆ ଡାକ୍ତରୀ ଟିମ୍ ୨୦ ଘଣ୍ଟା ଧରି ଅପରେସନ୍ କରିଥିଲେ। ଏହା ଥିଲା ପ୍ରାଥମିକ ପର୍ଯ୍ୟାୟ ଅପରେସନ୍। ଏହି ଟିମ୍‌ରେ ଜାପାନରୁ ଆସିଥିବା ବିଶେଷଜ୍ଞ ଟିମ୍ ମଧ୍ୟ ସାମିଲ୍ ହୋଇଥିଲେ। ଫୁଲବାଣୀର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ୍ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ରିଲିଫ୍ ପାଣ୍ଡିରୁ ୧ କୋଟି ଟଙ୍କାର ସହାୟତା ଦେଇଥିଲେ। ଜଗା-କାଳିଆ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଏମ୍ସର ବିଶେଷଜ୍ଞ ଟିମ୍‌ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here