ନିଷ୍ଠାପର ଉଦ୍ୟମ ହିଁ ସଫଳତାର ମାପକାଠି। ନିଷ୍ଠାର ସହ କାମ କଲେ ଯେକୌଣସି ବ୍ୟକ୍ତି ସଫଳତା ହାସଲ କରିପାରେ ବୋଲି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମିଠା ଦୋକାନ ‘ଛପନ ଭୋଗ’ର ପ୍ରତିଷ୍ଠାତା ସତ୍ୟବ୍ରତ ମହାନ୍ତି ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି।

‘ଛପନ ଭୋଗ’ ମିଠା ଦୋକାନର ଆରମ୍ଭ କିପରି?
ଇଷ୍ଟୱେଷ୍ଟ ଏୟାରଲାଇନ୍‌ସ ଚାକିରି ଛାଡ଼ିବା ପରେ ମୁଁ ଓଡ଼ିଶା ଫେରି ଆସିଲି। ଆଉ ଚାକିରି ନକରି ଓଡ଼ିଶାରେ କିଛି ନୂଆ ତଥା ଭିନ୍ନ କରିବା ପାଇଁ ଚିନ୍ତା କଲି। ଫଳରେ ୨୦୦୩ରେ ମୁଁ ଜୟଦେବ ବିହାରରେ ‘ଛପନ ଭୋଗ’ ମିଠା ଦୋକାନ ପ୍ରତିଷ୍ଠା କରିଥିଲି।
ରାଜଧାନୀର ଅନ୍ୟ ମିଠା ଦୋକାନଠାରୁ ଛପନ ଭୋଗ କିପରି ଭିନ୍ନ?
ଭୁବନେଶ୍ୱରରେ ଦକ୍ଷିଣ ଓ ଉତ୍ତର ଭାରତର ଲୋକଙ୍କ ସମେତ ଅନ୍ୟ ରାଜ୍ୟର ଲୋକ ବାସବାସ କରୁଛନ୍ତି। ସମସ୍ତଙ୍କ ପସନ୍ଦ ଭିନ୍ନ। ତେଣୁ ବିଭିନ୍ନ ବର୍ଗର ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଛୁ।
ଛପନ ଭୋଗ ନାମକରଣ ପଛର କାରଣ କ’ଣ?
ଆଜି ମୁଁ ଯାହା ବି ହୋଇଛି ସେସବୁ ମହାପ୍ରଭୂ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ। ଦୋକାନ କରିବା ପୂର୍ବରୁ ମୁଁ ଟ୍ରେନରେ ଦିଲ୍ଲୀ ଯାଉଥାଏ। ଦୋକାନର ନାଁ କ’ଣ ରଖିବି ତାକୁନେଇ ମନେମନେ ଭାବୁଥାଏ। ଏହି ସମୟରେ ତିନୋଟି ନାଁ ମୋ ମନରେ ଉଙ୍କି ମାରୁଥାଏ। ହେଲେ ଟ୍ରେନ୍‌ରେ ଶୋଇ ପଡ଼ିବା ବେଳେ ମୋ’ କାନରେ ଆସି କିଏ କହିଲା ପରି ଲାଗିଲା ଯେ, ତୁ ଦୋକାନର ନାଁ ଛପନ ଭୋଗ ରଖେ।
ଆପଣଙ୍କ ଦୋକାନରେ କେତେ କର୍ମଚାରୀ ଅଛନ୍ତି ଏବଂ ସେମାନଙ୍କୁ କିପରି ଗୁରୁତ୍ୱ ଦିଅନ୍ତି?
୩ ଜଣ କର୍ମଚାରୀଙ୍କୁ ନେଇ ମୁଁ ପ୍ରଥମେ ବ୍ୟବସାୟ ଆରମ୍ଭ କରିଥିଲି। ଏବେ କର୍ମଚାରୀଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ବ କର୍ମଚାରୀ ସ୍ଥାୟୀ ଭାବେ କାମ କରୁଛନ୍ତି। ସେମାନଙ୍କ ଇସ୍‌ଆଇ, ଇପିଏଫ୍‌ ଠିକ୍ ସମୟରେ ଦେବା ସହ ମାସିକ ଦରମା ମଧ୍ୟ ଠିକ୍ ସମୟରେ ପ୍ରଦାନ କରିଥାଏ। କର୍ମଚାରୀମାନଙ୍କୁ ମୁଁ ସାନ ଭାଇ ଭଳି ଦେଖେ।ଅସୁବିଧା ସୁବିଧା ସମ୍ପର୍କରେ ସେମାନେ ମୋ’ ସହ ଆଲୋଚନା କରିଥାନ୍ତି।
ଅଧିକାଂଶ ଲୋକ ଏବେ ନନଭେଜ୍ ଏବଂ ଫାଷ୍ଟଫୁଡ୍ ପ୍ରତି ଆକୃଷ୍ଟ ହେଉଥିଲା ବେଳେ ଆପଣ କାହିଁକି ଭେଜ୍ ଆଇଟମ୍ ଉପରେ ଗୁରୁତ୍ବ ଦେଲେ?
ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ମୁଁ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳ ବୁଲି ବୁଲି ତଥ୍ୟ ସଂଗ୍ରହ କରିଥିଲି। ସହରରେ କେତେଜଣ ଅନୁକୂଳ ଚନ୍ଦ୍ରଙ୍କ ଦୀକ୍ଷା ନେଇଛନ୍ତି, ମାରଓ୍ବାଡି ସମ୍ପ୍ରଦାୟର ଲୋକ କେତେ ଅଛନ୍ତି, କେତେ ଲୋକ ପିଆଜ ରସୁଣ ଖାଆନ୍ତି ନାହିଁ । ଏସବୁର ତଥ୍ୟ ସଂଗ୍ରହ କରିବା ପରେ ମୁଁ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ କରିବା ସହ ମିଠା ଦୋକାନ କରିବି ବୋଲି ମନସ୍ଥ କଲି।
ଛପନ ଭୋଗ ମିଠା ଦୋକାନ ଆଉ କେଉଁ ଅଞ୍ଚଳରେ ଖୋଲିବାର କାର୍ଯ୍ୟକ୍ରମ ରହିଛି?
ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମିଠା ଏବଂ ବେକେରୀକୁ ଅନ୍ୟ ଅଞ୍ଚଳକୁ ସମ୍ପ୍ରସାରଣ କରିବୁ ବୋଲି ଭାବିଛୁ। ସେଥିପାଇଁ ଆଉ ତିନି ଚାରିଟି ଆଉଟଲେଟ୍ ବହୁତ ଶୀଘ୍ର ଖୋଲିବୁ। ଫ୍ରାଞ୍ଚାଇଜ୍ ମୋଡ୍‌ରେ ବ୍ୟବସାୟ ଆରମ୍ଭ କରିବୁ ବୋଲି ଭାବିଛୁ।
ଆପଣଙ୍କ ଦୋକାନକୁ କେଉଁ ବର୍ଗର ଗ୍ରାହକ ଆସୁଛନ୍ତି?
ବିଭିନ୍ନ ବର୍ଗର ଲୋକଙ୍କ ପକେଟକୁ ସୁହାଇବା ଭଳି ଆମେ ଖାଦ୍ୟ ପ୍ରସ୍ତୁତ କରିଥାଉ। ସବୁଠୁ ବଡ଼ କଥା ହେଲା, ସବୁ ବର୍ଗ ଓ ବୟସକୁ ଆଖିରେ ରଖି ଛପନ ଭୋଗ ମିଠା ପ୍ରସ୍ତୁତ କରିଆସିଛି ଏବଂ କରିବ ମଧ୍ୟ। ସମସ୍ତେ ମୋ’ ଆଗରେ ସମାନ। ଜଣେ ରିକ୍ସା ଚାଳକ ଆସି ଖାଇଲେ ମୋତେ ଯେତିକି ଖୁସି ଲାଗେ, ମନ୍ତ୍ରୀ ଆସିଲେ ବି ମୋତେ ସେତିକି ଖୁସି ଲାଗେ।
ଡିଜିଟାଲ୍ ମିଡିଆ ବା ସୋସିଆଲ୍ ମିଡିଆରେ ଆପଣ କେତେ ସକ୍ରିୟ?
ଆମର ୱେବସାଇଟ୍ ଅଛି। ଅନଲାଇନରେ ମଧ୍ୟ ଆମେ ସକ୍ରିୟ ଅଛୁ। ଅନ୍‌ଲାଇନରେ ଅର୍ଡର ପାଇଲେ ଆମେ ଗ୍ରାହକଙ୍କ ଘରେ ଖାଦ୍ୟ ପହଞ୍ଚାଇଥାଉ। ବର୍ତ୍ତମାନ ହେଉଛି ସୋସିଆଲ୍ ମିଡିଆ ଯୁଗ। ତେଣୁ ଯୁଗ ସାଙ୍ଗରେ ତାଳ ଦେଇ ଆମକୁ ଯିବାକୁ ହେବ।
ଛପନ ଭୋଗର କେଉଁ ଆଇଟମ୍ ସବୁଠୁ ସ୍ୱାଦିଷ୍ଟ ଓ ଲୋକପ୍ରିୟ?
ଆମ ଦୋକାନରେ ସବୁଠୁ ଭଲ ଆଇଟମ୍ ହେଲା ଛେନାପୋଡ଼। ଏହାସହ ମିଲ୍ କେକ୍‌, କାଜୁ ବର୍ଫି, ଷ୍ଟିମକୁ ମଧ୍ୟ ଅନେକ ଗ୍ରାହକ ପସନ୍ଦ କରନ୍ତି। କାଜୁ ଉପରେ ପ୍ରାୟ ୪୦ ପ୍ରକାର ମିଠା ଛପନ ଭୋଗରେ ପ୍ରତିଦିନ ପ୍ରସ୍ତୁତ ହୋଇଥାଏ।
ନୂଆକରି ବ୍ୟବସାୟ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ଆପଣ କ’ଣ କହିବେ?
ନିଜ ଉପରେ ଆତ୍ମବିଶ୍ୱାସ ରଖଉଥିବା ବ୍ୟକ୍ତି ହିଁ ସଫଳତା ହାସଲ କରିପାରେ। ଯୁବପିଢ଼ିମାନେ ଟଙ୍କା ପଛରେ ନ ଗୋଡ଼ାଇ ଅଭିଜ୍ଞତା ହାସଲ କରିବା ନିହାତି ଦରକାର। ପ୍ରଡକ୍ଟର ଗୁଣବତ୍ତା ଉପରେ ମଧ୍ୟ ଧ୍ୟାନ ଦେବା ନିହାତି ଦରକାର। ପ୍ରତି ମୁହୂର୍ତ୍ତରେ ଗ୍ରାହକଙ୍କ ଅସୁବିଧାକୁ ସମାଧାନ କରିବା ସହ ସେମାନଙ୍କର ମତାମତକୁ ନେଇ ଆଗକୁ ଯିବାକୁ ପଡ଼ିବ।
(ସାକ୍ଷାତକାର: ସତ୍ୟବ୍ରତ ପାଢ଼ୀ)

 

1 COMMENT

Comment