ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ଶକ୍ତିଶାଳୀ ତଥା ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ରଜନୀଶ କୁମାର ଏବେ  ଚିନ୍ତାଗ୍ରସ୍ତ।ଦାୟୀତ୍ୱ ନେବା ପରେ ସେ ବ୍ୟାଙ୍କର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଯେତିକି ନିରାଶ ହୋଇ ନାହାନ୍ତି ତାଙ୍କୁ ଅଧିକ ଘାରିଚି ‘ପେଟିଏମ୍’ ଭଳି କମ୍ପାନିର ଉଦୟ ଓ କାୟା ବିସ୍ତାର। ଛୋଟ ଅର୍ଥ କାରବାର କରିବାକୁ ସକ୍ଷମ ଏହିସବୁ କମ୍ପାନି(ଫିଣ୍ଟେକ୍ କମ୍ପାନି) ପକ୍ଷରୁ ଯେଉଁ ପ୍ରତିଯୋଗିତା ଆରମ୍ଭ ହୋଇଛି ସେନେଇ ଏସବିଆଇ ଅଧ୍ୟକ୍ଷ ଚିନ୍ତା ପ୍ରକଟ କରିଛନ୍ତି।

ରଜନୀଶ କୁମାର ଏକ ଦୈନିକ ଆର୍ଥିକ ଖବରକାଗଜକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ଆଜିର ଦିନରେ ଟେକ୍ନୋଲୋଜିକୁ ଯେଉଁଭଳିକୁ ଭାବରେ ବ୍ୟବହାର କରାଯାଉଛି ଓ ଦିନକୁ ଦିନ ନୂଆ ତରିକା ବାହାରୁଛି ସେହି କାରଣରୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଛି ଏବଂ ଅନେକ ପ୍ରତିବନ୍ଧକ ମଧ୍ୟ ସାମ୍ନାକୁ ଆସିଛି। ଆମକୁ ଏହି ସବୁ ଚାଲେଞ୍ଜ ପ୍ରତି ସଚେତନ ହେବାକୁ ପଡିବ। ଆମର ପ୍ରାଥମିକତା ହେବ ଆମର କାର୍ଯ୍ୟ କ୍ଷେତ୍ରକୁ ଏହି ଫିଣ୍ଟେକ୍ କମ୍ପାନିର ପ୍ରଭାବରୁ ଓ କବଳରୁ ରକ୍ଷା କରିବା।“

ରଜନୀଶଙ୍କ କହିବା ଅନୁଯାୟୀ ବିଗତ ତିନି ଚାରି ବର୍ଷ ମଧ୍ୟରେ ବ୍ୟାଙ୍କିଂ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ପେଟିଏମ ଭଳି କମ୍ପାନି ପାରମ୍ପରିକ ସେବା ଯୋଗାଇ ଦେଉଥିବା ବ୍ୟାଙ୍କଗୁଡ଼ିକ ପାଇଁ ଘୋର ଅସୁବିଧା ସୃଷ୍ଟି କରିଛନ୍ତି। ଏହିସବୁ ଷ୍ଟାର୍ଟଅପ୍ କମ୍ପାନି ବ୍ୟାଙ୍କ ଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଉପରେ ଦଖଲ ଦେବା ଆରମ୍ଭ କରିଛନ୍ତି ଓ ଏଥିପାଇଁ ବ୍ୟାଙ୍କଗୁଡ଼ିକ ଚିନ୍ତାରେ ରହୁଛନ୍ତି।

ଗୋଟିଏ ପଟେ ଡିଜିଟାଲ ୱାଲେଟ ଓ ସେହିଭଳି ବିଭିନ୍ନ ପେମେଣ୍ଟ ତରିକର ଲୋକପ୍ରିୟତା ବଢୁଥିବା ବେଳେ ଅପରପଟେ ବ୍ୟାଙ୍କମାନେ ହାତ ବାନ୍ଧି ବସିଛନ୍ତି। ଲୋକେ ବି ‘ପେଟିଏମ’ ଓ ‘ଭିମ୍’ ଭଳି ଆପର  ସହଜ ଓ ସରଳ ପଦ୍ଧତିକୁ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏପରିକି ଗ୍ରାହକମାନେ ବ୍ୟାଙ୍କ ଯିବା ବି ବନ୍ଦ କରିସାରିଲେଣି। ଏହା ସମଗ୍ର ବ୍ୟାଙ୍କ ସେକ୍ଟର ପାଇଁ ଚାଲେଞ୍ଜ ହୋଇଛି, କିନ୍ତୁ ବେଶି ଚାଲେଞ୍ଜ ଏସବିଆଇ ପାଇଁ। ରଜନୀଶଙ୍କ କହିବା କଥା ନିଜ ଗଡ଼ ବଞ୍ଚାଇବା ତାଙ୍କ ପାଇଁ ଏବେ ସବୁଠାରୁ ବଡ଼ କାମ।

ରଜନୀଶଙ୍କ ପୂର୍ବରୁ ଅଧ୍ୟକ୍ଷ ଥିବା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଷ୍ଟେଟ ବ୍ୟାଙ୍କରେ ଡିଜିଟାଲ ଟେକ୍ନଲୋଜିକୁ ବେଶ୍ ଉତ୍ସାହିତ କରିଥିଲେ।ତାଙ୍କ କାର୍ଯ୍ୟକାଳରେ ଏସବିଆଇ ଇ-ବଡ୍ଡି ଆପ୍‍ ଆରମ୍ଭ କରିଥିଲା। ଏଥିସହିତ ଷ୍ଟେଟ ବ୍ୟାଙ୍କକୁ ଅନ୍ୟମାନଙ୍କଠାରୁ ଅଲଗା ଓ ଆଗରେ ରଖିବା ପାଇଁ ବହୁ ଆଇଟି ଏକ୍ସପର୍ଟଙ୍କୁ ନିଆଯାଇଥିଲା। ତା’ସତ୍ତ୍ୱେ ବର୍ତ୍ତମାନ ଡିଜିଟାଲ ୱାଲେଟ କମ୍ପାନି ମାନେ ଦିନରାତି ଯେଉଁଭଳି ବ୍ୟବସାୟ ବଢ଼ାଇ ଚାଲିଛନ୍ତି ପେମେଣ୍ଟ ଆପ୍‌ ବଜାରରେ ଷ୍ଟେଟ ବ୍ୟାଙ୍କ ବଡ୍ଡିର ଉପସ୍ଥିତି ମାତ୍ର ୩୦ ପ୍ରତିଶତ।

Comment