ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜଣାଶୁଣା ସାମ୍ବାଦିକ ବିନୋଦ ବର୍ମାଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିବା ପରେ ଏବେ ବହୁତ କଥା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଗଜିଆବାଦରୁ ବର୍ମାଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ଛତିଶଗଡ଼ ପୋଲିସର କହିବା ଅନୁଯାୟୀ ବ୍ଲାକମେଲିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ବର୍ମା ଜଣେ ବରିଷ୍ଠ ସାମ୍ବାଦିକ ଓ ବିବିସି ପାଇଁ ସେ ଆଗରୁ କାମ କରୁଥିଲେ। ତାଙ୍କୁ ଛତିଶଗଡ଼ କଂଗ୍ରେସ ସହିତ ମଧ୍ୟ ଯୋଡ଼ା ଯାଉଛି।
ଗିରଫ ହେବା ପରେ ସାମ୍ବାଦିକ ବର୍ମା କହିଛନ୍ତି ଯେ ଛତିଶଗଡ଼ ରମଣ ସିଂ ସରକାରର ଜନୈକ ମନ୍ତ୍ରୀ ରାଜେଶ ମୁନତଙ୍କ ଏକ ସେକ୍ସ ସିଡି ତାଙ୍କ ପାଖରେ ଥିବାରୁ ଛତିଶଗଡ଼ ସରକାର ତାଙ୍କୁ ଫସାଇବାକୁ ଚାହୁଁଛନ୍ତି। ବର୍ମା ଏ କଥା ମଧ୍ୟ କହିଛନ୍ତି ଯେ ଏହି ସିଡିଟି ଆଗରୁ ମାର୍କେଟରେ ବୁଲୁଛି ଓ ତାଙ୍କର ଏଥିରେ କିଛି ନେଣଦେଣ ନାହିଁ।
ବର୍ମାଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୮୪,୫୦୬ ଲାଗିଛି। ଆଇଟି ଆକ୍ଟର କିଛି ଧାରା ମଧ୍ୟ ତାଙ୍କ ବିରୁଦ୍ଧରେ ଲାଗିବ। ଛତିଶଗଡ଼ ପୋଲିସର କହିବା ଅନୁଯାୟୀ ସାମ୍ବାଦିକ ବର୍ମା ମନ୍ତ୍ରୀ ରାଜେଶଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି। ବର୍ମାଙ୍କ ଘରୁ ୫୦୦ଟି ସିଡି ଓ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି ପୋଲିସ କହୁଛି।
ପ୍ରକାଶ ବଜାଜ ନାମକ ଜଣେ ବ୍ୟକ୍ତି ପୋଲିସ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ଓ ସେହି ଅଭିଯୋଗ ଭିତ୍ତିରେ ତାଙ୍କୁ ହାଜତରେ ରଖାଯାଇଛି ବୋଲି ପୋଲିସ କହୁଥିବା ବେଳେ ଏହାକୁ ଏକ ଅକ୍ରୋଶମୂଳକ କାର୍ଯ୍ୟ ବୋଲି ବର୍ମାଙ୍କ ନିକଟ ଲୋକେ ଚିତ୍ରଣ କରିଛନ୍ତି।
ରାୟପୁରର ଜଣେ ସିଡି ତିଆରିବାଲାଙ୍କଠାରୁ ଖବର ପାଇ ପୋଲିସ ଏହି ଚଢ଼ାଉ କରିଛି। ସେହି ସିଡି ଦୋକାନରୁ ହିଁ ପୋଲିସକୁ ବର୍ମାଙ୍କ ମୋବାଇଲ ନମ୍ବର ମିଳିଥିଲା।
ଅଭିଯୋଗ ହୋଇଛି ଯେ ବର୍ମା ଶହ ଶହ ସିଡି ତିଆରି କରି ନିଜ ଘରେ ରଖିଥିଲେ ଓ ଏହା ଜରିଆରେ ମନ୍ତ୍ରୀଙ୍କୁ ବ୍ଲାକମେଲ କରୁଥିଲେ। ଛତିଶଗଡ଼ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭୁପେସ୍ ବଘେଲ୍ ଏହି ଗିରଫଦାରୀର ବିରୋଧ କରିଛନ୍ତି।

Comment