ଓଡ଼ିଶାଲାଇଭ୍ ବ୍ୟୁରୋ
ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିବା ପରେ ପୁଣିଥରେ ତାଜା ହୋଇଛ ମିଶନ୍ ଗଣିତ। ୨୦୧୯ ପାଇଁ ବିଜେପି ମିଶନ୍-୧୨୦କୁ ନେଇ ଅଙ୍କ କଷୁଥିବା ବେଳେ ବିଜେଡି ୧୧୭ ପ୍ଲସ୍କୁ ନେଇ ଉତ୍ସାହିତ ହୋଇଯାଇଛି। ବିଜେଡି-ବିଜେପିର ମିଶନ୍କୁ କଂଗ୍ରେସ ସମାଲୋଚନା କରିଛି।
୨୦୧୯ରେ କିଏ କରିବ ବାଜିମାତ୍? ପୂର୍ଣ୍ଣ ବହୁମତ ପାଇ ଓଡ଼ିଶାରେ କିଏ ଗଢ଼ିବ ସରକାର? ଏହାକୁ ନେଇ ବିଜେଡି ଏବଂ ବିଜେପି ଭିତରେ ଚାଲିଛି ଅଙ୍କକଷା। ବିଜେପି ମିଶନ୍-୧୨୦କୁ ନେଇ ଗତ ୪ ମାସ ହେଲା ଅଙ୍କ କଷୁଥିବା ବେଳେ ବିଜେଡି ୧୧୭ ପ୍ଲସ୍ ଆସନ ଦଖଲ କରିବ ବୋଲି ଦାବି କରିଛି। କଂଗ୍ରେସ ମଧ୍ୟ ଉଭୟ ଦଳକୁ ଏକାକୀ ଚେକ୍ ଦେବା ପାଇଁ ସଜବାଜ ହେଉଛି।
ମିଶନ୍-୧୨୦କୁ ନେଇ ବିଜେପି ତାର ଗେମ୍ ପ୍ଲାନ୍ ଆରମ୍ଭ କରିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଅଗଷ୍ଟ ମାସରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମିଶନ୍ରେ ସକ୍ସେସ୍ ହେବା ପାଇଁ କର୍ମୀଙ୍କ ମନରେ ଜୋସ୍ ଭରିଛନ୍ତି। ଅମିତ୍ ଶାହାଙ୍କ ରଣନୀତିକୁ ସଫଳ କରିବା ପାଇଁ ଓଡ଼ିଶା ବିଜେପି ନେତାଏ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି।
ବିଜେପିର ମିଶନ୍-୧୨୦କୁ ସେତେବେଳେ ବିଜେଡି ଏବଂ କଂଗ୍ରେସ ଚାଲେଞ୍ଜ ଦେଇଥିଲେ। ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ମିଶନ୍ ୧୨୩ର ପାଠ ପଢ଼ାଇଥିବା ବେଳେ କଂଗ୍ରେସ ନେତା ସୁର ରାଉତରାୟ ୮୨ ଆସନରେ ଦଳ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ହେଲେ ଏହି ମିଶନ୍ ଯୁଦ୍ଧ ଭିତରେ ମେଣ୍ଟ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଥିଲା। ବିଜେପିର ଗତିରୋଧ କରିବା ପାଇଁ ଅଣ ବିଜେପି ଦଳ ଏକାଠି ହେବାକୁ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଆହ୍ବାନ ଦେବା ପରେ କଂଗ୍ରେସ-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।
ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ବରରେ ଆୟୋଜିତ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ଲିଟେରାରି ଫେଷ୍ଟିଭାଲରେ ନବୀନ ଯୋଗଦେଇ ମେଣ୍ଟକୁ ନା କହିଛନ୍ତି। ୨୦୧୯ରେ ବିଜେଡି ଏକାକୀ ଲଢ଼ିବ ଏବଂ ପୂର୍ଣ୍ଣବହୁମତ ପାଇ ସରକାର ଗଢ଼ିବ ବୋଲି ବିଜେଡି ସୁପ୍ରିମୋ କହିବା ପରେ ପୁଣିଥରେ ମିଶନ୍ ରାଜନୀତି ଚର୍ଚ୍ଚାର ପରିସରକୁ ଆସିଛି।
ମେଣ୍ଟକୁ ନା କହିବା ପରେ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ମୁହଁ ଖୋଲିଛନ୍ତି। କହିଛନ୍ତି, “କଂଗ୍ରେସ ସହ ମେଣ୍ଟ କଥା ମୁଁ କହିନାହିଁ। ସାମ୍ପ୍ରଦାୟିକତା ବିରୋଧରେ ଅଣ ବିଜେପି ଶକ୍ତି ଏକାଠି ହେବାକୁ ଆହ୍ବାନ ଦେଇଥିଲି। ବିନା ମେଣ୍ଟରେ ବିଜେଡି ୧୧୭ରୁ ଅଧିକ ଆସନ ପାଇବ।”
ବିଜେପିର ମିଶନ୍-୧୨୦ ଏବଂ ବିଜେପିର ୧୧୭ ପ୍ଲସ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ଏପଟେ ଉଭୟ ବିଜେପି ଏବଂ ବିଜେଡିର ମିଶନକୁ କଂଗ୍ରେସ ସମାଲୋଚନା କରିଛି।
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, “ବିଜେପି ଏବଂ ବିଜେଡି ୨୦୧୪ ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି। ଲୋକେ ସବୁ ଜାଣିଲେଣି କିଏ କ’ଣ? ଆଗାମୀ ଦିନରେ ଉଭୟ ଦଳଙ୍କୁ ଭୋଟର ଉଚିତ୍ ଜବାବ ଦେବେ।”