ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘କଡ଼ୱି ହୱା’ର ଟ୍ରେଲର ନିକଟରେ ରିଲିଜ ହୋ‍ଇଛି। ଭାରତୀୟ ସିନେଜଗତ ପାଇଁ ବଦଳୁଥିବା ଜଳବାୟୁ ଉପରେ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର। ଏହି ସିନେମାଟି ପୂର୍ବରୁ ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଥିଲା|
‘କଡ଼ୱି ହୱା’ ସିନେମାର ପ୍ରଯୋଜନା ମିଳିତ ଭାବେ ଅକ୍ଷୟ କୁମାର ପରିଜା, ମନିଷ ମୁନ୍ଦ୍ରା ଓ ନୀଳମାଧବ ପଣ୍ଡା କରିଛନ୍ତି। ଏହି ସିନେମାର ବିଶେଷତ୍ୱକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଶିଳ୍ପ ମଧ୍ୟ ପ୍ରସ୍ତୁତ କରିଛନ୍ତି|
ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ଦ୍ୱିତୀୟ ପୃଥିବୀର ଆବିଷ୍କାର ଏଯାଏଁ ସମ୍ଭବ ହୋ‍ଇନାହିଁ। ତେଣୁ ପୃଥିବୀ ମାତାକୁ ବଦଳୁଥିବା ଜଳବାୟୁର ପ୍ରଭାବରୁ ରକ୍ଷା କରିବା ପାଇଁ ସମଗ୍ର ମନୁଷ୍ୟ ଜାତି ତତ୍ପର ହେବା ଉଚିତ|
“ଏହି ସିନେମା ମାଧ୍ୟମରେ ସମାଜ ପାଇଁ ଏକ ବାର୍ତ୍ତା ମଧ୍ୟ ଅଛି। ମନୁଷ୍ୟ ଜାତିକୁ ଆଶୁ ବିପଜ୍ଜନକ ପରିସ୍ଥିତିରୁ ନିବୃତ୍ତ ରହିବା ପାଇଁ ସଚେତନ କରିବା ଏହି ସିନେମାର ଲକ୍ଷ୍ୟ”, କହିଛନ୍ତି ସ୍ୱନାମଧନ୍ୟ ସିନେନିର୍ମାତା ନୀଳମାଧବ ପଣ୍ଡା।
ଏହି ସିନେମାରେ ଜଣାଶୁଣା ଅଭିନେତା ସଞ୍ଜୟ ମିଶ୍ର। ସେ ରାଜସ୍ଥାନର ମହୁଆ ଅଞ୍ଚଳର ଜଣେ ବୃଦ୍ଧ ତଥା ଅନ୍ଧ ଚାଷୀ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ରଣବୀର ଶୋରେ ଜଣେ ବ୍ୟାଙ୍କ ଲୋନ ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି। ଭାରତର ଅନେକ ଅଞ୍ଚଳରେ ଉଚିତ ପରିମାଣର ବର୍ଷା ଅଭାବରି କୃଷକମାନଙ୍କ ଅବସ୍ଥା ଶୋଚନୀୟ ହୋ‍ଇପଡ଼ିଛି। ବ୍ୟାଙ୍କରୁ ନେଇଥିବା ଲୋନ ଫେରାଇବାକୁ ସକ୍ଷମ ନ ହୋ‍ଇପାରିବାରୁ ଅନେକ ଚାଷୀ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଏହି ବିଷୟବସ୍ତୁକୁ ଆଧାରକରି ‘କଡ଼ୱି ହୱା’ର କାହାଣୀ ଗତିଶୀଳ ହୋ‍ଇଛି।
ଅନ୍ୟମାନଙ୍କ ସମେତ ଜଣାଶୁଣା ନାୟିକା ତିଳୋତ୍ତମା ସୋମେ ଓ ଭୂପେଶ ସିଂହ ମଧ୍ୟ ଏହି ସିନେମାରେ ଅଭିନୟ କରିଛନ୍ତି।
‘କଡ଼ୱି ହୱା’ ସିନେମାଟି ଆସନ୍ତା ନଭେମ୍ବର ମାସ ୨୪ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

LEAVE A REPLY

Please enter your comment!
Please enter your name here