ଓଡ଼ିଶାଲାଇଭ୍‍ ବ୍ୟୁରୋ

ଯଦିଓ ପାରାଦୀପ ଉପକୂଳରେ ଇସ୍ପାତ କାରଖାନା ସ୍ଥାପନରୁ ପୋସ୍କୋ ଓହରିଛି, ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ଯେ ଏହି ଜମି ଉପରେ ଅନ୍ୟ କମ୍ପାନି କାରଖାନା ପ୍ରତିଷ୍ଠା ପାଇଁ ଆଗ୍ରହୀ। ଅନେକ କମ୍ପାନି ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ଜଣେ ଅଧିକାରୀ।
ମାର୍ଚ୍ଚ ମାସରେ ପୋସ୍କୋ ପକ୍ଷରୁ ପ୍ରକଳ୍ପ ପାଇଁ ବ୍ୟବହାର ହେବାକୁ ଥିବା ୨୭୦୦ ଏକର ଜମିକୁ ଫେରାଇ ନେବାକୁ ସରକାରଙ୍କୁ ଅନୁରୋଧ କରା ଯାଇଥିଲା। ଏହା ପରେ ସରକାର ପୋସ୍କୋକୁ ଚିଠି ଲେଖି ଉକ୍ତ ଜମି ଯୋଗାଣ ବାତିଲ ହେଲା ବୋଲି ଜଣାଇଥିଲେ। ବର୍ତ୍ତମାନ ସରକାର ଆଉ ଏକ ପାର୍ଟିର ଯୋଗାଡ଼ରେ ଅଛନ୍ତି।
ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ନିକଟରେ  ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ବହୁ ବଡ଼ ବଡ଼ କମ୍ପାନି  ଏହି ଜମି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଅବଶ୍ୟ ସେ କେଉଁ କେଉଁ କମ୍ପାନି ଆଗ୍ରହୀ ଅଛନ୍ତି ସେ କଥା ପ୍ରକାଶ କରିନଥିଲେ। କିନ୍ତୁ ଖବର ମିଳିଛି ଯେ ଜିନ୍ଦଲ ଷ୍ଟିଲ ଓ ପାୱାର(ଜେଏସଡବ୍ଲୁ) ପୋସ୍କୋ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଜମି ସକାଶେ ସରକାରଙ୍କୁ ଆବେଦନ କରିଛନ୍ତି।
ଖବର ଅନୁସାରେ କମ୍ପାନି ପକ୍ଷରୁ ୧୦ ନିୟୁତ କ୍ଷମତା ବିଶିଷ୍ଟ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ଓ ଏଥିପାଇଁ ୫୦ ହଜାର କୋଟି ଟଙ୍କା ନିବେଶ ହେବ।
ତେବେ ଅଧିକାରୀ ଜଣକ କହିଛନ୍ତି ଯେ କାହାକୁ ଓ କେଉଁ ତରିକାରେ ଜମି ଯୋଗାଇ ଦିଆଯିବ ତାହା ଏ ପର୍ଯ୍ୟନ୍ତ  ଆଲୋଚନା ହୋଇନାହିଁ। ସରକାରଙ୍କ ପକ୍ଷରୁ ବର୍ତ୍ତମାନ କେବଳ  ଏହି ଜମି ଚାରିପଟେ ପାଚେରୀ ନିର୍ମାଣ କରାଯାଉଛି।

Comment