ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣା: ଆନ୍ଧ୍ର-ଓଡିଶା ସୀମାରେ ଦୁର୍ବଳ ହେଉଛି ମାଓ ସଙ୍ଗଠନ। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପୋଲିସ ପକ୍ଷରୁ କରାଯାଉଥିବା ମିଳିତ କୁମ୍ବିଂ ଅପରେସନ୍‌ରେ ହାଡକୋର ମାଓବାଦୀମାନେ ଛତ୍ରଭଙ୍ଗ ଦେଉଥିବା ବେଳେ ଆଉ କିଛି ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି।

ଏହି କ୍ରମରେ ଆଜି ୪ ଜଣ ମୋଷ୍ଟ ଓ୍ବାଣ୍ଟେଡ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋରା ବଳରାମ, କୋରା ସତି, ପାଙ୍ଗି ଗଣେଶ ଏବଂ ଡି ଭେଙ୍କଟ ରାଓ। ଏହି ୪ ଜଣ ବିଶାଖାପାଟଣା ଜିଲ୍ଲାର ଜି କେ ବିଧି ପଞ୍ଚାୟତର। ଏମାନେ ବିଶାଖାପାଟଣା ଏସ୍‌ ପି ରାହୁଲ ଦେବଶର୍ମାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଏହି ୪ ଜଣ ହାଡକୋର ମାଓବାଦୀ ଗତ ୧୨ ବର୍ଷ ଧରି ଗାଲିକୋଣ୍ଡା ଏରିଆ କମିଟିରେ ସକ୍ରିୟ ଥିଲେ। ମାଓନେତା ଜାମ୍ବରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। କୋରା ବଳରାମ, କୋରା ସତି ମାଓନେତା ଜାମ୍ବରୀର ମୁଖ୍ୟ ସହଯୋଗୀ ଥିଲେ ଏବଂ ଏରିଆ କମାଣ୍ଡର ଭାବେ ରହିଥିଲେ।

ବଳରାମ ଓ ସତିଙ୍କ ନାମରେ ୧୫ରୁ ଅଧିକ ହତ୍ୟା, ଲୁଟ, ଅପହରଣ, ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଭଳି ବହୁ ସଙ୍ଗୀନ ମାମଲା ରହିଛି। ସେହିପରି ପାଙ୍ଗି ଗଣେଶ(ଗଦର) ଓ ଡି ଭେଙ୍କଟ ରାଓ ନାମରେ ୧୦ରୁ ଅଧିକ ମାମଲା ଆନ୍ଧ୍ରପ୍ରଦେଶର ବିଭିନ୍ନ ଥାନାରେ ରହିଛି।

ଏହି ୪ ଜଣ ମୋଷ୍ଟ ଓ୍ବାଣ୍ଟେଡ ମାଓବାଦୀଙ୍କୁ ଧରାଇ ଦେବା ପାଇଁ ଆନ୍ଧ୍ର ପୋଲିସ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ମାଓ ସଙ୍ଗଠନରେ ଗୋଷ୍ଠୀ କନ୍ଦଳ ବଢ଼ିବାରୁ ଏବଂ ସଙ୍ଗଠନ ଦୁର୍ବଳ ହେଉଥିବାରୁ ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ମାଓବାଦୀ କୋରା ବଳରାମ ପୋଲିକୁ କହିଛି ଯେ, “ମାଓ ସଙ୍ଗଠନରେ କନ୍ଦଳ ବୃଦ୍ଧି ପାଉଛି।ଫଳରେ ଅନେକ ମାଓବାଦୀ ସଙ୍ଗଠନରୁ ମୁହଁ ଫେରାଉଛନ୍ତି। ଅନେକ ଶାନ୍ତିରେ ସାଧାରଣ ଜୀବନ ଯାପନ କରିବାକୁ ଇଚ୍ଛା ପ୍ରକାଶ କଲେଣି। ୨୦୦୬ରେ ଆମେ ମାଓନେତା ଜାମ୍ବରୀଙ୍କ କଥାରେ ପ୍ରଭାବିତ ହୋଇ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲୁ। ହେଲେ ଏବେ ସଙ୍ଗଠନର ଶୀର୍ଷ ନେତାଙ୍କ ମୃତ୍ୟୁ ପରେ ଅସୁରକ୍ଷିତ ମନେ କରି ସଙ୍ଗଠନ ଛାଡ଼ିଛୁ।”

ବିଶାଖାପାଟଣା ଏସ୍‌ପି ରାହୁଲ ଦେବଶର୍ମା କହିଛନ୍ତି, “ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ। ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଦିଆଯିବ। ଏଥିସହ ସେମାନଙ୍କୁ ସମାଜରେ ବଞ୍ଚିବା ପାଇଁ ଓ ନିଜ ପରିବାର ଚଳାଇବା ପାଇଁ ପୋଲିସ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହାସହ ପୋଲିସ ପକ୍ଷରୁ ଏମାନଙ୍କ ଉପରେ ନଜର ରଖାଯିବ।”

Comment