ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାମୀ ଛାଡ଼ିଅଙ୍ଗନବାଡ଼ି ମନ୍ତବ୍ୟ ପାଇଁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ହଟହଟା ହେବା ପରେ ଏବେ ପ୍ରଦୀପ ମହାରଥୀ ସର୍ବସାଧାରଣ ସଭାରେ ସୁନ୍‌ପାମ୍ପୁଡି ଶବ୍ଦ ଉଚ୍ଚାରଣ କରି ଅଡ଼ୁଆରେ ପଡ଼ିଛନ୍ତି।

ଯାଜପୁର ଜିଲ୍ଲା ବିଞ୍ଝାରପୁରର ଏକ ସଭାରେ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଦେଇଥିଲେ ବିବାଦୀୟ ମନ୍ତବ୍ୟ। ବିଜେପି ନେତ୍ରୀଙ୍କୁ ଆକ୍ଷେପ କରି କହିଥିଲେ ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’। ଏହି ମନ୍ତବ୍ୟକୁ ନେଇ ରାଜ୍ୟରେ ହଙ୍ଗାମା ହେବା ପରେ ବରିଷ୍ଠ ନେତା ଡାକ୍ତର ରାଉତ ଦୁଃଖ ପ୍ରକାଶ କରିଥିଲେ।

‘ସ୍ୱାମୀ ଛାଡ଼ି’ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ନଥମୁଣୁ ଏବେ ବିଜେଡିର ଅନ୍ୟତମ ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଛନ୍ତି ଆଉ ଏକ ବିବାଦୀୟ ମନ୍ତବ୍ୟ। ପିପିଲିର ସର୍ବସାଧାରଣ ସଭାରେ ମୋଦି ସରକାରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ କହିଛନ୍ତି ‘ଆଉ ଅଛି ଯେ ସୁନ୍‌ପାମ୍ପୁଡି’ ଖାଇବ। ମହାରଥୀଙ୍କ ଏହି ଯାତ୍ରା ଡାଇଲଗ୍‌କୁ ନେଇ ଏବେ ପୁଣି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସ୍ଥାନ, କାଳ, ପାତ୍ର ନଦେଖି ମହାରଥୀ ମହିଳାଙ୍କ ଉପସ୍ଥିତିରେ ଏଭଳି କଥା କହିବାକୁ ବିରୋଧୀ ନାପସନ୍ଦ କରିଛନ୍ତି।

ଖାଲି ସୁନ୍‌ପାମ୍ପୁଡି ନୁହେଁ, ଆହୁରି ଅନେକ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ମହାରଥୀ। ଯାହା ପ୍ରକାଶଯୋଗ୍ୟ ନୁହେଁ। ତେବେ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି କରିଡରରେ ପ୍ରଶ୍ନ ଉଠୁଛି। ନେତାଙ୍କ ମୁହଁରେ ଲଗାମ୍‌ ଲଗାଇବାକୁ ଦାବି ହେଉଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ‘ମାକୁ ସମ୍ମାନ ଗାଁକୁ କାମ’ର ଆହ୍ବାନ ଦେଉଛନ୍ତି। ହେଲେ ତାଙ୍କରି ଦଳର ନେତା ବାରମ୍ବାର ଲକ୍ଷ୍ମଣରେଖା ଡେଇଁ ସର୍ବସାଧାରଣ ସଭାରେ ଅଶାଳୀନ ମନ୍ତବ୍ୟ ଦେବା ପ୍ରସଙ୍ଗକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ମହାରଥୀ ଏବଂ ଦାମଙ୍କ ଭଳି ବରିଷ୍ଠ ନେତା ମହିଳାମାନଙ୍କ ଉପସ୍ଥିତିରେ ଏଭଳି ଳଗାମ୍‌ ବିହୀନ ମନ୍ତବ୍ୟ ଦେବା କେତେଦୂର ସମିଚୀନ ତାହାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଲାଗି ରହିଛି।

 

Comment