ଅନ୍ୟାନ୍ୟ ସମସ୍ତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ତୁଳନାରେ ଓଡ଼ିଶୀର ମୁଦ୍ରା, ଭଙ୍ଗୀ ଓ ଅଙ୍ଗଚାଳନାକୁ ଆୟତ୍ତ କରିବା ସବୁଠାରୁ କଷ୍ଟସାଧ୍ୟ। ତଥାପି ଏହି ନୃତ୍ୟ ପ୍ରତି ତାଙ୍କର ଭଲପାଇବା ଯୋଗୁଁ ସାତଦରିଆ ପାରି ଜାପାନରୁ ଆସି ଭୁବନେଶ୍ୱରକୁ ନିଜ କର୍ମକ୍ଷେତ୍ର ପାଇଁ ବାଛି ନେଇଛନ୍ତି ମାସାକୋ ଓନୋ।

ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ତଥା ସମଗ୍ର ବିଶ୍ୱରେ ଏହାର ଲୋକପ୍ରିୟତା ବୃଦ୍ଧି କରିବାକୁ ସେ କାର୍ଯ୍ୟରତ। ପ୍ରାୟ ଚାରିବର୍ଷ ବୟସରୁ ସେ ମଡର୍ଣ୍ଣ ବ୍ୟାଲେ ଶିଖିବା ଆରମ୍ଭ କରିଥିଲେ। ପରେ ପରେ ହିପ୍-ହପ୍, ଜାଜ୍‌ ଓ ଶାସ୍ତ୍ରୀୟ ବ୍ୟାଲେ ନୃତ୍ୟରେ ପାରଦର୍ଶିତା ହାସଲ କରିଲେ। ଓଡ଼ିଶୀ ନୃତ୍ୟର ପ୍ରେମରେ ପଡ଼ିଲା ପରେ ସେ ସାରା ଜୀବନ ଓଡ଼ିଶୀ ପାଇଁ ସମର୍ପିତ କରିବାକୁ ସ୍ଥିର କଲେ।

ଭୁବନେଶ୍ୱର ମାଇଣ୍ଡଟ୍ରି କ୍ୟାମ୍ପସରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ବାଇଏନାଲେ ୨୦୧୭ ଅବସରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ମାସାକୋ ଓନୋଙ୍କ ସହିତ ପ୍ରାଚୀତାରାଙ୍କ ବାର୍ତ୍ତାଳାପର କିଛି ଅଂଶ:

ସୁଦୂର ଜାପାନରୁ ଆପଣ ଓଡ଼ିଶୀ ନୃତ୍ୟ ପ୍ରତି କିପରି ଆକର୍ଷିତ ହେଲେ?

ପିଲାଟି ବେଳରୁ ମୁଁ ନୃତ୍ୟ ଶିଖିଛି। ପ୍ରାୟ ୧୮ ବର୍ଷ ବୟସରେ ତାଜମହଲର ଚିତ୍ର ଦେଖି ତା’ର କଳାଭାସ୍କର୍ଯ୍ୟ ପ୍ରତି ବିମୋହିତ ହୋଇ ଯାଇଥିଲି। ସେହି ସମୟରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଲି। ସେସବୁ ମଧ୍ୟରେ ମତେ ଓଡ଼ିଶୀ ନୃତ୍ୟ ବିଶେଷ ଭାବେ ଆକୃଷ୍ଟ କରିଥିଲା।

ଭୁବନେଶ୍ୱରକୁ ନିଜ କର୍ମକ୍ଷେତ୍ର ରୂପେ କାହିଁକି ବାଛିଲେ?

ଟୋକିଓରେ ଥିବା ଇଣ୍ଡିଆନ୍ ଏମ୍ପାସିଠାରୁ ବେଙ୍ଗାଳୁରୁସ୍ଥିତ ନୃତ୍ୟଗ୍ରାମ ସମ୍ପର୍କରେ ଜାଣିବାକୁ ପାଇଲି। ସେଠାରେ ପ୍ରାୟ ୫ ବର୍ଷ ମୁଁ ଓଡ଼ିଶୀ ଶିଖିଲି। ସେହି ସମୟରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସହିତ ମିଶିବାର ସୁଯୋଗ ପାଇଲି। ପରେ ପରେ ତାଙ୍କ ଠାରୁ ଓଡ଼ିଶୀ ଶିକ୍ଷା କରିବା ପାଇଁ ‘ସୃଜନ’ରେ ଯୋଗ ଦେଲି। ତା’ ପରଠାରୁ ମୁଁ ଭୁବନେଶ୍ୱରକୁ ନିଜ କର୍ମକ୍ଷେତ୍ର ରୂପେ ବାଛିନେଲି। ପ୍ରାୟ ୨୦୦୧ ମସିହାରୁ ମୁଁ ଭୁବନେଶ୍ୱରଠାରେ ରହି ଓଡ଼ିଶୀ ଶିକ୍ଷା ପ୍ରଦାନ କରିବା ସହ ଭାରତ ଓ ବିଦେଶରେ ନୃତ୍ୟ ପରିବେଷଣ ମଧ୍ୟ କରୁଛି।

ଆପଣଙ୍କର ଓଡ଼ିଶୀ ପ୍ରତି ନିଷ୍ଠା ଓ ଏକାଗ୍ରତା ଯୋଗୁଁ ଜାପାନ୍ ତରଫରୁ ଆପଣଙ୍କୁ କେବେ ସହଯୋଗ ମିଳୁଛି?

ମୁଁ ଏକମାତ୍ର ଜାପାନୀ ଓଡ଼ିଶୀ ନୃତ୍ୟାଙ୍ଗନା, ଯିଏ କି ପୃଥିବୀର ବିଭିନ୍ନ ସମ୍ମାନସ୍ପଦ ସ୍ଥାନରେ ପରିବେଷଣ କରିଛି। ଆମେରିକା, କାନାଡା, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ସ୍ୱିଡେନ୍, ଅଷ୍ଟ୍ରେଲିଆ, ମାଲୟେସିଆ, ସିଙ୍ଗାପୁର, ଚାଇନା, ଥାଇଲାଣ୍ଡ, ଇଣ୍ଡୋନେସିଆ, କୋରିଆ ସମେତ ଜାପାନ ଓ ଭାରତର ବିଭିନ୍ନ ସ୍ଥାନରେ ମୁଁ ନୃତ୍ୟ ପରିବେଷଣ କରିବା ସହିତ ଶିକ୍ଷାଦାନ ମଧ୍ୟ କରିଛି। ୨୦୦୮ ମସିହାରେ ଜାପାନରେ ଶ୍ରେଷ୍ଠ ୧୦୦ ଜଣ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ମୋ ନାମ ତାଲିକାଭୁକ୍ତ ହେବା ମୋ ପାଇଁ ଗୌରବର ବିଷୟ ଥିଲା। ବାରଣାସୀଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିବାର ସୁଯୋଗ ମଧ୍ୟ ପାଇଛି।

ପିଲାଟି ବେଳରୁ ବ୍ୟାଲେ ଓ ଅନ୍ୟାନ୍ୟ ଆଧୁନିକ ନୃତ୍ୟ ଶିଖିବା ପରେ ଓଡ଼ିଶୀର ଭଙ୍ଗୀକୁ ଆୟତ୍ତ କରିବା ବେଳେ କଷ୍ଟସାଧ୍ୟ ଥିଲା?

ଭାରତର ସମସ୍ତ ଶାସ୍ତ୍ରୀୟ ନୃତ୍ୟ ତୁଳନାରେ ଓଡ଼ିଶୀରେ ପାରଦର୍ଶିତା ହାସଲ କରିବା ଅପେକ୍ଷାକୃତ କଷ୍ଟ। ଶରୀରର ଭଙ୍ଗୀ, ଆଖିଚାଳନା ତଥା ସଂସ୍କୃତ ଗୀତ ଓ ତାର ଭାବକୁ ବୁଝି ନୃତ୍ୟ ପରିବେଷଣ କରିବା ପାଇଁ ଅନେକ ସାଧନା କରିବାକୁ ପଡ଼ିଥିଲା। ଓଡ଼ିଶୀ ପ୍ରତି ମୋର ଆନ୍ତରିକତା ଓ ଭଲପାଇବା ଯୋଗୁଁ ମୁଁ ଏହି ନୃତ୍ୟକୁ ନିଜର କରିପାରିଛି।

ଆଜିକାଲି ପିଲାମାନେ ବିଶେଷ ଭାବରେ ଆଧୁନିକ ନୃତ୍ୟଶୈଳୀକୁ ସହଜ ମନେ କରି ଶାସ୍ତ୍ରୀୟ ନୃତ୍ୟରେ ରୁଚି ଶିଖିବା ଦେଖାଯାଉନାହିଁ ଏ ବିଷୟରେ କ’ଣ କରିବେ?

ଓଡ଼ିଶୀ ନୃତ୍ୟକୁ ଭଲ କରି ଶିଖିବା ପାଇଁ ବର୍ଷ ବର୍ଷର ସାଧନା ଓ ଧୈର୍ଯ୍ୟ ଆବଶ୍ୟକ। ପିଲାମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବାକୁ ହେଲେ କିଛି ମାତ୍ରାରେ ନୂଆ ଗୀତ ନୂଆ ଭାବର ଗୀତ ପରିବେଷଣ କରିବାକୁ ହେବ। ଜାପାନରେ ମୁଁ ଏକ ଡାନସ ବ୍ୟାଲେ ‘ଡ୍ରାମା ଅଫ୍ ଦ କ୍ରେନ୍’ ପରିବେଷଣ କରିଥିଲି। ଓଡ଼ିଶୀ ନୃତ୍ୟକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ମୋର ଉଦ୍ଦେଶ୍ୟ।

Comment