ଓଡ଼ିଶାଲାଇଭ୍‍ ବ୍ୟୁରୋ

ମୁନ୍ ମୁଭିସ୍ ବ୍ୟାନର ଓ ସାର୍ଥକ ମ୍ୟୁଜିକର ମିଳିତ ଆନୁକୁଲ୍ୟରେ ନିର୍ମିତ ସିନେମା ‘ବଜରଙ୍ଗୀ’ର ଅଡ଼ିଓ ନିକଟରେ ରିଲିଜ୍ ହୋଇଛି। ଷ୍ଟାର୍ କିଡ୍ ଅନୁଭା ଓ ଅମ୍ଳାନଙ୍କ ପୋଲିସ୍-ଚୋର ଚରିତ୍ର ଦର୍ଶକଙ୍କୁ ଏକ ନୂଆ ସ୍ଵାଦ ଦେବ ବୋଲି ଆଶା ଅଛି। ପୂର୍ବରୁ ଗଣେଶ ପୂଜା ଅବସରରେ ରିଲିଜ୍ ହେବାକୁ ଥିବା ଏହି ସିନେମା ଆସନ୍ତା କାଲି ମୁକ୍ତିଲାଭ କରିବ।

“ଯଦିଓ ସିନେମାର ସୁଟିଂ ପୂର୍ବରୁ ସରିଥିଲା, ରିଲିଜ୍ ପୂର୍ବରୁ ଏହାର ପ୍ରତ୍ୟେକଟି ଦିଗରେ ଧ୍ୟାନ ଦିଆଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ଏହାର ଗୀତଗୁଡ଼ିକ ୟୁଟ୍ୟୁବରେ ଲୋକପ୍ରିୟତା ଅର୍ଜନ କରିସାରିଛି। ସିନେମା ମଧ୍ୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବାରେ ସମର୍ଥ ହେବ ବୋଲି ମୋର ବିଶ୍ଵାସ”, କହିଛନ୍ତି ଅନୁଭା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ବଜରଙ୍ଗୀ’କୁ କେବଳ ରୋମାଣ୍ଟିକ୍ ଲଭ୍ ଷ୍ଟୋରି ବୋଲି କହିହେବ ନାହିଁ, ଏଥିରେ ସେତିକି ମାତ୍ରାରେ କମେଡି ଫ୍ୟାମିଲି ଡ୍ରାମା ମଧ୍ୟ ଅଛି।

“ଅମ୍ଳାନଙ୍କ ସାଙ୍ଗରେ ମୋର ପୂର୍ବ ବନ୍ଧୁତା ଯୋଗୁଁ ଏହି ସିନେମାରେ କାମ କରିବା ସହଜ ହୋଇଥିଲା। ସିନେମାରେ ମୋର କଷ୍ଟ୍ୟୁମକୁ ସାଧାରଣ ଝିଅର ପୋଷାକ ପରି ରଖାଯାଇଛି, ଯାହାଫଳରେ ଦର୍ଶକଙ୍କୁ ନିଜର ଲାଗିବ”, କହିଛନ୍ତି ଅନୁଭା।

ସେ ଜଣେ ପୋଲିସ୍ ଅଫିସରର ଭୂମିକାରେ ନିଜର ଦକ୍ଷତାର ପରିଚୟ ଦେଇଛନ୍ତି। ଅନ୍ୟାନ୍ୟ ସିନେମା ତୁଳନାରେ ଅମ୍ଳାନ ମଧ୍ୟ ଏଠାରେ ଏକ ଚୋର ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବାକୁ ଚେଷ୍ଟା କରିଛନ୍ତି।

ଓଡ଼ିଆ ସିନେଇଣ୍ଡଷ୍ଟ୍ରିର ଅଲ୍ ଟାଇମ୍ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ନୈନା ଦାଶଙ୍କ ଭୂମିକା ମଧ୍ୟ କାହାଣୀ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ। “ବହୁତ ଦିନ ପରେ ସିଦ୍ଧାନ୍ତ ସାର୍ ଏକ ଦମଦାର ଚରିତ୍ରରେ ନଜର ଆସିବେ” କହିଛନ୍ତି ଅନୁଭା।

ଅନୁଭା ପୂର୍ବରୁ ବାବୁସାନଙ୍କ ସହ ‘ସୁଇଟ୍ ହାର୍ଟ’ ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ‘ବଜରଙ୍ଗୀ’ ସିନେମାର ନିର୍ଦ୍ଦେଶନା ବିନି ପଟ୍ଟନାୟକ ଦେଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଶଚିକାନ୍ତ ଜେନା।

ପ୍ରେମାନନ୍ଦଙ୍କ ସଙ୍ଗୀତ ସଂଯୋଜନାରେ ହ୍ୟୁମାନ୍ ସାଗର, ଅନନ୍ୟା, ସୋହିନି, ଦୀପ୍ତିରେଖା, ବିଶ୍ଵଜିତ୍, ଶିବାଶିଷ ଓ ଆଶୁତୋଷ ଆଦି ଜଣାଶୁଣା ଗାୟକ ଗାୟିକା କଣ୍ଠଦାନ କରିଛନ୍ତି।

ଅକ୍ଟୋବର ୩ ତାରିଖରେ ସମଗ୍ର ଓଡ଼ିଶାରେ ୭୫ଟି ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Comment