ଅନୁଜ ଦାସ

ପିଲାବେଳେ ପାରମ୍ପରିକ ପୋଷାକ ପିନ୍ଧୁଥିବା ଦୁଇ ଭଉଣୀ ଅନୀତା-ଅମ୍ବ୍ରିତା ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ‘ମେଡ୍‌ ଇନ୍ ଓଡ଼ିଶା’ ପ୍ରଡକ୍ଟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ଦୁଇ ଭଉଣୀ ଜାରି ରଖିଛନ୍ତି ଲଢ଼େଇ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅନେକବାର ଶୁଭିଛି ପ୍ରତିବାଦର ସ୍ୱର। ଆଉ ଏହି ସ୍ୱର ଭିତରେ ଜଣେ ଚିହ୍ନା ଚେହେରା ହେଉଛି ଷ୍ଟେସି ଜେକବ୍ସଙ୍କର। ଟ୍ରମ୍ପଙ୍କୁ ବିରୋଧ କରିବାରେ ଷ୍ଟେସି ଯେତିକି ଜଣାଶୁଣା ତା’ଠୁ ଅଧିକ ପରିଚିତ ହୋଇଛନ୍ତି ତାଙ୍କ ଶାଢ଼ୀ ପାଇଁ ।

ଓଡ଼ିଶାର ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀ ବିଷୟରେ ନ ପଚାରି ରହିପାରିଲେନି। କେଉଁଠୁ ଆଣିଲ, କେତେ ଟଙ୍କା ପଡ଼ିଲା ଏଭଳି ଅନେକ ପ୍ରଶ୍ନର ସାମ୍ନା କଲେ ଷ୍ଟେସି। କିନ୍ତୁ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେଲେ ଯେ, ଏହି ଶାଢ଼ୀ ମେଡ ଇନ ଓଡ଼ିଶା।

ଓଡ଼ିଶାର ଉତ୍କଳ ଅମ୍ରିତାରୁ ଷ୍ଟେସି ଶାଢ଼ୀ ଆଣିଥିବା ଖବର ପ୍ରଚାର ହେଲା ପରେ ଉତ୍କଳ ଅମ୍ରିତାଙ୍କୁ ଆସିଲା ଗ୍ରାହକଙ୍କ କଲ। ବାସ୍‌ ବଢ଼ିଚାଲିଲା ବ୍ୟବସାୟ। ଓଡ଼ିଶାର ସଂସ୍କୃତି, କଳା ଓ ଐତିହ୍ୟକୁ ପ୍ରଚାର ପ୍ରସାର କରିବାର ସ୍ୱପ୍ନ ଦେଖି ଦୁଇ ଭଉଣୀ ଆରମ୍ଭ କଲେ ଉତ୍କଳଅମ୍ରିତା।

୨୦୧୫ରେ ଜନ୍ମ ନେଲା ଉତ୍କଳଅମ୍ରିତା। ଓଡ଼ିଶାର କଳାକୃତି ଓ ପୋଷାକକୁ ବିଦେଶ ଦରବାରରେ ପହଞ୍ଚାଇବା ପାଇଁ ସଂଗ୍ରାମ କଲେ ବଡ଼ ଭଉଣୀ ଅନୀତା ଓ ସାନ ଭଉଣୀ ଅମ୍ରିତା। ବଡ଼ ଭଉଣୀ ଅନୀତା ଓ ସାନ ଭଉଣୀ ଅମ୍ରିତା ପିଲାଟି ଦିନରୁ ଓଡ଼ିଶା ପୋଷାକ ପ୍ରତି ବେଶ ଆଗ୍ରହୀ ଥିଲେ।

ଛୋଟବେଳେ ଯଦି କୌଣସି କାର୍ଯ୍ୟକ୍ରମକୁ ଯିବାର ଥାଏ ତେବେ ଦୁଇ ଝିଅଙ୍କୁ  ଓଡ଼ିଶାର ପାରମ୍ପରିକ ପୋଷାକରେ ସଜେଇ ଦିଅନ୍ତି ମା’। ପିଲାବେଳର ଏହି ଅଭ୍ୟାସ ବଡ଼ ହେଲେ ଦୁଇ ଭଉଣୀଙ୍କୁ ଉଦ୍ୟୋଗପତି କରାଇବା ବୋଲି ବୋଧହୁଏ କେବେବି କେହି ଭାବିନଥିବେ।

ଉଚ୍ଚଶିକ୍ଷା ପାଇଥିବା ଦୁଇ ଭଉଣୀ ଉଦ୍ୟୋଗପତି ହେବେ ବୋଲି ବୋଧହୁଏ କେହି ଭାବିନଥିବେ। ଉଚ୍ଚ ଶିକ୍ଷା ଗ୍ରହଣ କରିବା ପରେ ଦୁଇ ଉଭୟ ଭଉଣୀ ନିଜ ନିଜ ଦକ୍ଷତା ଅନୁଯାୟୀ ଚାକିରି ପାଇଲେ। ହେଲେ ଯୁଆଡେ ଗଲେ ନିଜର ପୋଷାକ ଓ ସାଜସଜ୍ଜାକୁ ନେଇ ବେଶ୍‍ ପ୍ରଶଂସିତ ହେଉଥିଲେ। ଉଭୟଙ୍କ ପୋଷାକରେ ଓଡ଼ିଶାର ଠାଣି ଦେଖିବାକୁ ମିଳୁଥିଲା। ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଡିଜାଇନ ଆକାରରେ ପୋଷାକରେ ଝଲସୁଥିଲା।

ଥରେ ସ୍ୱାମୀଙ୍କ ସହ ଆମେରିକା ଯାତ୍ରା କରିଥିଲେ ଅନୀତା ସାବତ। ସବୁଥର ଭଳି ଏଥର ବି ଓଡ଼ିଶାର ପଶାପଲି ପାଟ ଓ ସମ୍ବଲପୁରୀ ପୋଷାକ ପିନ୍ଧିଥିଲେ ଅନୀତା। କାନରେ ଥିଲା ହାତ ତିଆରି କାନଫୁଲ। ଯିଏ ଥରେ ଦେଖୁଥିଲା ସେ କହୁଥିଲା ଆମକୁ ବି ଦିଅନ୍ତୁ ଓଡ଼ିଶାର ଏହି ସ୍ୱତନ୍ତ୍ର ପୋଷାକ। ଏହି କାନଫୁଲ କେମିତି ବନେଇଚ? ଏହିସବୁ ଶୁଣି ଖୁସି ହୋଇଗଲେ ଅନୀତା। ଭାବିଲେ ସତେ କଣ ଓଡ଼ିଶାର ଜିନିଷ ଏତେ ଆକର୍ଷଣୀୟ ହୋଇଛି। ଏହିସବୁ ଜିନିଷକୁ ବିଦେଶରେ ବ୍ୟବସାୟ କଲେ କେମିତି ହୁଅନ୍ତା? ଏଭଳି ପ୍ରଶ୍ନ ମନରେ ଉଙ୍କି ମାରିଥିଲା। ହେଲେ ସମୟ ଗଡ଼ିବା ସହ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା।

ଅନ୍ୟପଟେ ଉଚ୍ଚଶିକ୍ଷା ପାଇ ମଲଟି ନ୍ୟାସ୍‌ନାଲ କମ୍ପାନିରେ ଯୋଗଦେଲେ ସାନ ଭଉଣୀ ଅମ୍ରିତା। ମା’ଙ୍କ ଦେହ ବାରମ୍ବାର ଖରାପ ହେବାରୁ ଘର ଛାଡ଼ି ଆଉ ବାହାରେ ରହିବାକୁ ଇଛା କଲେନି। ଓଡ଼ିଶା ଫେରିଆସିଲେ, ଆଇଏଏସ ପାଇଁ ପ୍ରସ୍ତୁତ ଜାରି ରଖିଲେ। ୩ ଥର ପରୀକ୍ଷା ଦେଲେ, ହେଲେ ବିଫଳ ହେଲେ। ନିଷ୍ପତ୍ତି ନେଲେ ଏଥିରେ ଆଉ ସମୟ ନଷ୍ଟ ନକରି ନିଜର ବ୍ୟବସାୟ ଆରମ୍ଭ କରିବେ।

ଏହି ସମୟରେ ଉଭୟ ଭଉଣୀ ଆରମ୍ଭ କଲେ ଉତ୍କଳ ଅମ୍ରିତା। ଖୋଜି ବୁଲିଲେ ଓଡ଼ିଶାର ସାମଗ୍ରୀ। କିଛି ନୂଆ କରିବାର ନିଶାରେ ବାହାରିପଡ଼ିଲେ ଦୁଇ ଭଉଣୀ। ଓଡ଼ିଶାର ସାମଗ୍ରୀକୁ ଖୋଜି ଖୋଜି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଂକଳ୍ପ ନେଲେ ଅନୀତା ଓ ଅମ୍ରିତା।

ରାଜ୍ୟର କୋଣ-ଅନୁକୋଣରେ ଯେଉଁଠୁ ବି ବୁଣାକାରଙ୍କ ଖବର ପାଇଲେ ପହଞ୍ଚିଗଲେ ତାଙ୍କ ପାଖରେ। ଓଡ଼ିଶାର ସବୁ ପାରମ୍ପରିକ ଶାଢ଼ୀ ଓ ସାଜସଜ୍ଜା ଜିନିଷ ସଂଗ୍ରହ ହେଲା। ନୂଆ ନୂଆ ବୁଣାକାର ଓ କଳାକାରଙ୍କୁ ଭେଟିବାରେ ସୁଯୋଗ ବି ପାଇଲେ। ଖୁବ କମ୍ ଟଙ୍କାରେ ମିଳିଲା ସବୁ ସାମଗ୍ରୀ। ଅନଲାଇନ ମାଧ୍ୟମରେ ଏହି ସବୁକୁ ବିକ୍ରି କରିବା ପାଇଁ ଚିନ୍ତା କଲେ।

ଫେସବୁକ ଜରିଆରେ ଆରମ୍ଭ ହେଲା ବ୍ୟବସାୟ। ନିଜ ଫେସବୁକ ପେଜ ତଥା ଇନଷ୍ଟାଗ୍ରାମରେ ଭଳିକି ଭଳି ପୋଷାକର ଡିଜାଇନ ପୋଷ୍ଟ କଲେ। ଏହା ସହ ଆମ ଓଡ଼ିଶା ସଂସ୍କୃତିର ଛାପ ଥିବା ବିଭିନ୍ନ ଡିଜାଇନର ଜିନିଷ ବି ସ୍ଥାନ ପାଇଲା ଏହି ପେଜରେ। ପ୍ରଥମେ ପ୍ରଥମେ ଟିକେ ସମସ୍ୟା ହେଲା, ହେଲେ ଏବେ ବେଶ ଭଲ ବ୍ୟବସାୟ ଚାଲିଛି। ବୁଣାକାର ବି ପାଉଛନ୍ତି ଉଚିତ ପ୍ରାପ୍ୟ। ଫ୍ଲିପକାର୍ଟ ଓ ଆମାଜନରେ ବି ଉପଲବ୍ଧ ହେଉଛି ଉତ୍କଳ ଅମ୍ରିତାର ଶାଢ଼ୀ, କୂର୍ତ୍ତା, ଚୂଡ଼ିଦାର ଭଳି ବହୁ ଆକର୍ଷଣୀୟ ପୋଷାକ।

କୌଣସି ଅଭିନେତା କି ଅଭିନେତ୍ରୀ ନୁହଁ, ମଡେଲ ବି ନୁହଁ, ଦୁଇ ଭଉଣୀ ହିଁ ହେଉଛନ୍ତି ଉତ୍କଳ ଅମ୍ରିତାର ବ୍ରାଣ୍ଡ୍ ଆମ୍ବାସଡ଼ର। ବର୍ତ୍ତମାନର ଯୁବପିଢ଼ି ୱେଷ୍ଟର୍ଣ୍ଣ କଲଚରକୁ ଆପଣାଉଥିବା ବେଳେ ଏହି ଦୁଇ ଭଉଣୀ ମେଡ ଇନ୍ ଓଡ଼ିଶା ପାଇଁ ଜାରି ରଖିଛନ୍ତି ଲଢ଼େଇ।

ସାରା ବିଶ୍ୱରେ ମେଡ ଇନ ଓଡ଼ିଶା ବ୍ରାଣ୍ଡର ପୋଷାକ ଓ ସାମଗ୍ରୀ ଯେପରି ପହଞ୍ଚିବ ସେନେଇ ସ୍ୱପ୍ନ ଦେଖୁଛନ୍ତି ଅନୀତା ଓ ଅମ୍ରିତା। ସତରେ ସଭିଙ୍କ ପାଇଁ ଏହି ଦୁଇ ଭଉଣୀ ସାଜିଛନ୍ତି ପ୍ରେରଣା।

Comment